ନୂଆଦିଲ୍ଲୀ ୩୦/୦୬: ଉତ୍ତର କୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍‌ ଜଙ୍ଗ ଉନ୍‌ଙ୍କ ଝିଅ କିମ୍‌ ଜୁ ଏ ଏବେ ଚର୍ଚ୍ଚାରେ । କିମ୍‌ ଜଙ୍ଗ୍‌ ତାଙ୍କୁ ନିଜ ଉତ୍ତରାଧିକାରୀ କରିପାରନ୍ତି ବୋଲି ରିପୋର୍ଟ ସାମ୍ନାକୁ ଆସୁଛି । ଜୁନ୍‌ ୨୪ରେ କିମ୍‌ ଜଙ୍ଗ୍‌ ଦେଶର ଉତ୍ତର ତଟରେ ଥିବା ବୋନସାନ୍‌ କଲମା ବେଳାଭୂମି ରିସୋର୍ଟକୁ ଉଦ୍‌ଘାଟନ କରିଥିଲେ । ସେହି କାର୍ଯ୍ୟକ୍ରମରେ ଝିଅ କିମ୍‌ ଜୁ ଏ ତାଙ୍କ ସହିତ ଉପସ୍ଥିତ ଥିଲେ । ସେଦିନ ତାଙ୍କୁ ଉତ୍ତରାଧିକାରୀ ଭଳି ପ୍ରୋଟୋକଲ୍‌ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ କିମ୍‌ ଜଙ୍ଗ୍‌ଙ୍କ ପତ୍ନୀ ରି ସୋଲ ଜୁ ମଧ୍ୟ ସାମିଲ ହୋଇଥିଲେ । କିନ୍ତୁ ତାଙ୍କୁ ସ୍ୱାମୀଙ୍କ ଆଖପାଖରେ ଦେଖିବାକୁ ମିଳିନଥିଲା । ରି ଙ୍କ ବଦଳରେ କିମ୍‌ଙ୍କ ଝିଅ ହିଁ ତାଙ୍କ ସହିତ ଫାର୍ଷ୍ଟ ଲେଡି ଭାବେ ଉପସ୍ଥିତ ରହିଥିଲେ । ପିତାଙ୍କ ହାତ ଧରି ସେ ବେଳାଭୂମିରେ ଚାଲୁଥିବା ଦେଖିବାକୁ ମିଳିଥିଲା । 

ଉଭୟ ଏକାଠି ବେଳାଭୂମିର ଗୋଟିଏ କୋଣରୁ ଅନ୍ୟ ପଟକୁ ଯାଇଥିଲେ । ଲୋକଙ୍କର ଅଭିବାଦନ ମଧ୍ୟ ସ୍ୱୀକାର କରିଥିଲେ । ଏହାପୂର୍ବରୁ ଆଉ କିଛି କାର୍ଯ୍ୟକ୍ରମରେ ମଧ୍ୟ ଏହି ପିତା-ପୁତ୍ରୀଙ୍କୁ ଦେଖିବାକୁ ମିଳିଥିଲା । ଏଭଳିସ୍ଥିତିରେ ଦକ୍ଷିଣ କୋରିଆର ଗୁଇନ୍ଦା ଏଜେନ୍ସି ଏନ୍‌ଆଇଏସ୍‌ କିମ୍‌ ଜୁ ଏ ଙ୍କୁ ଉତ୍ତର କୋରିଆର ସମ୍ଭାବିତ ଉତ୍ତରାଧିକାରୀ ଭାବେ ଦେଖାଯାଉଥିବା ନେଇ ଏକ ରିପୋର୍ଟରେ ସଙ୍କେତ ଦେଇଛି । ସେହି ଆକଳନ ସାର୍ବଜନୀନ ଗତିବିଧିରେ କିମ୍‌ ଜୁ ଏଙ୍କ ଉପସ୍ଥିତି ଓ ତାଙ୍କୁ ମିଳୁଥିବା ପ୍ରୋଟୋକଲ୍‌ ଉପରେ ଆଧାରିତ ।

କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ବ୍ୟକ୍ତିଗତ ଜୀବନ ସବୁବେଳେ ରହସ୍ୟରେ ରହିଆସିଛି । ତାଙ୍କର ୩ଟି ପିଲା ଥିବା କୁହାଯାଇଥାଏ । ପ୍ରଥମେ ତାଙ୍କର ବଡ଼ ପୁଅଙ୍କ ନାମ ଉତ୍ତରାଧିକାରୀ ହେବା ନେଇ ଚର୍ଚ୍ଚା କରାଯାଉଥିଲା । କିନ୍ତୁ ତାଙ୍କୁ କେବେ ସାର୍ବଜନୀନ ଭାବେ ଦେଖାଯାଇନାହିଁ । ସେହିପରି କିମ୍‌ ଜଙ୍ଗ୍‌ଙ୍କ ଭଉଣୀଙ୍କୁ ମଧ୍ୟ ସମ୍ଭାବିତ ଉତ୍ତରାଧିକାରୀ ଭାବେ ମନେ କରାଯାଉଥିଲା । ବିଗତ କିଛି ବର୍ଷ ମଧ୍ୟରେ ତାଙ୍କର ସାର୍ବଜନୀନ ଉପସ୍ଥିତି ବି କମିଛି । ଏଭଳିକ୍ଷେତ୍ରରେ କିମ୍‌ ଜୁ ଏଙ୍କ ନାମ ଉତ୍ତରାଧିକାରୀ ଦୌଡ଼ରେ ଆଗରେ ରହିଛି । ଅନ୍ୟପଟେ ଏକଚ୍ଛତ୍ରବାଦୀ ମାନସିକତା ରଖୁଥିବା ଶାସକ ବହୁ ପୂର୍ବରୁ ନିଜର ଉତ୍ତରାଧିକାରୀଙ୍କୁ ଜନତାଙ୍କ ନିକଟରେ ଉପସ୍ଥାପିତ କରିବାକୁ ଉଦ୍ୟମ କରିଥାନ୍ତି । ନୂଆ ଶାସକଙ୍କୁ ଜନତା ଯେପରି ସହଜତାର ସହ ସ୍ୱୀକାର କରିବେ ସେଥିଲାଗି ଏଭଳି ପଦକ୍ଷେପ ନିଆଯାଇଥାଏ । ସେହି ଦୃଷ୍ଟିରୁ କିମ୍‌ ଜୁ ଏଙ୍କୁ ମାତ୍ର ୧୩-୧୪ ବର୍ଷ ବୟସ ହୋଇଥିଲେ ମଧ୍ୟ ପିତା କିଙ୍ଗ୍‌ ଜଙ୍ଗ୍‌ ତାଙ୍କୁ ଉତ୍ତରାଧିକାରୀ ଭାବେ ଜନତାଙ୍କ ନିକଟରେ ଉପସ୍ଥାପିତ କରିବାକୁ ଉଦ୍ୟମ କରୁଥିବା କୁହାଯାଉଛି ।