ନୂଆଦିଲ୍ଲୀ,୩।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିକଟରେ ଭାରତ ଉପରେ ୨୫ପ୍ରତିଶତ ଟାରିଫ୍ ଲାଗୁ କରିବାକୁ ଘୋଷଣା କରିଥିଲେ। ଏହି ଘୋଷଣାକୁ ଭାରତ ଉପରେ ବାଣିଜ୍ୟ ଚୁକ୍ତି ପାଇଁ ଚାପ ପକାଇବାର ପ୍ରୟାସ ଭାବରେ ଦେଖାଯାଉଛି। ଟ୍ରମ୍ପଙ୍କୁ ଏହି ପଦକ୍ଷେପ ପାଇଁ କାନାଡାର ବିଜନେସ୍ ଟାଇକୁନ୍ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଭାରତ ଉପରେ ଟାରିଫ୍ ଲାଗୁ କରିବା ଏକ ବଡ଼ ଭୁଲ ।
ଷ୍ଟେଠ୍ ବେଡ୍ କମ୍ପାନୀର ଅଧ୍ୟକ୍ଷ କିର୍କ ଲୁବିମୋଭ ଟ୍ରମ୍ପଙ୍କ ଏହି ରଣନୀତିକୁ ‘ଏକ୍ସ’ ରେ କଡା ସମାଲୋଚନା କରିଛନ୍ତି। ସେ ଲେଖିଛନ୍ତି ଟ୍ରମ୍ପ ଏବେ ଦୁନିଆର ସବୁଠାରୁ ଦୃତ ଗତିରେ ବଢୁଥିବା ଅର୍ଥବ୍ୟବସ୍ଥା ଭାରତ ସହ ଲଢେଇ ମୁଡ୍ରେ ଅଛନ୍ତି। ଏହା ଏକ ବଡ଼ ଭୂ-ରାଜନୈତିକ ଭୁଲ। ଲୁବିମୋଭଙ୍କ ମତରେ ଭାରତର ମହତ୍ବ କେବଳ ଆର୍ଥିକ ନୁହେଁ, ବଂର ସପ୍ଲାଇ ଚେନ୍ରେ ଚୀନ୍ର ପ୍ରଭାବକୁ ସନ୍ତୁଳିତ କରିବା ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସେ ଟ୍ରମ୍ପଙ୍କୁ ପରାମର୍ଶ ଦେଇଛନ୍ତି ଭାରତକୁ କଣ୍ଟା-ହାତୁଡାରେ ନିୟନ୍ତ୍ରଣ କରିବା ବଦଳରେ କାନାଡା ଓ ଭାରତ ସହ ସହଯୋଗ ରକ୍ଷା କରନ୍ତୁ। ଫଳରେ ବିଶ୍ବରେ ସମ୍ବଳର ଅଭାବକୁ ସନ୍ତୁଳିତ କରିହେବ।’ ସେ ଆହୁରି ଲେଖିଛନ୍ତି, 'ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱରେ ସବୁଠାରୁ ସମ୍ମାନିତ ଏବଂ ଅନେକ ଦେଶରେ ତାଙ୍କର ପ୍ରଭାବ ଅଛି। ଆମେରିକାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଚୀନ୍ ଏବଂ ବ୍ରିକ୍ସର ପ୍ରାଧାନ୍ୟ ଏବଂ ଅଭିବୃଦ୍ଧିକୁ ଦୁର୍ବଳ କରିବା।ତେବେ ଏହା ଆମେରିକା ପାଇଁ ବଡ଼ ଭୁଲ ହୋଇପାରେ।’
ଉଲ୍ଲେଖନୀୟ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଗତ ସପ୍ତାହରେ ଭାରତ ଉପରେ ୨୫% ଟାରିଫ ଓ ଜରିମାନା ଲଗାଇଥିଲେ। ରୁଷ ସହ ବାଣିଜ୍ୟ କରିବା ଉପରେ ଅତିରିକ୍ତ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାର ମଧ୍ୟ ଘୋଷଣା କରିଥିଲେ। ଯାହାଫଳରେ ପୁରା ଦୁନିଆରେ ଚର୍ଚ୍ଚାର ବିଷୟ ରହିଛି। ଟ୍ରମ୍ପ କହିଥିଲେ, କୌଣସି ଦେଶ ତୁଳନାରେ ଭାରତରେ ସବୁଠାରୁ କଠୋର ଏବଂ ଅଣ-ଆର୍ଥିକ ବାଣିଜ୍ୟ ବାଧା ଅଛି । ଏହାବ୍ୟତୀତ ସେମାନେ ଅଧିକାଂଶ ସାମରିକ ଉପକରଣ ରୁଷଠାରୁ କିଣୁଛନ୍ତି । ଚୀନ୍ ପରେ ଭାରତ ରୁଷର ସବୁଠାରୁ ବଡ଼ ଶକ୍ତି କ୍ରେତା, ତାହା ପୁଣି ଯେଉଁ ସମୟରେ ସମସ୍ତେ ଚାହୁଁଛନ୍ତି ଯେ ୟୁକ୍ରେନରେ ହେଉଥିବା ହତ୍ୟାକୁ ରୋକାଯାଉ। “ରୁଷ ସହ ଭାରତ କ’ଣ କରୁଛି ମୁଁ ତା’କୁ ଖାତିର କରେ ନାହିଁ। ସେମାନେ ନିଜ ନିଜର ମୃତ ଅର୍ଥନୀତିକୁ ନେଇ ଏକାଠି ବୁଡ଼ନ୍ତୁ। ମୁଁ କିନ୍ତୁ ସମସ୍ତଙ୍କ ପାଇଁ ଚିନ୍ତା କରେ। । ସମସ୍ତ ପ୍ରକାରର ଚେତାବାନୀ ଓ ପରାମର୍ଶ ସତ୍ତ୍ୱେ ଭାରତ ସରକାର ରୁଷ ଠାରୁ ତେଲ ଆମଦାନୀ କରୁଛନ୍ତି, ଏଥିପାଇଁ ନୂଆଦିଲ୍ଲୀ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଟ୍ରମ୍ପ କହିଛନ୍ତି। ଟ୍ରମ୍ପଙ୍କ ଏହି ବୟାନକୁ ନେଇ କାନାଡାର ବିଜନେସ୍ ଟାଇକୁନ୍ କିର୍କ ଲୁବିମୋଭଙ୍କ ରିଆକ୍ସନ ଆସିଛି।