କଟକ,୧୪/୦୫: କିଟ୍ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିବା ଘଟଣାକୁ ନେଇ ହାଇକୋର୍ଟରେ ମଙ୍ଗଳବାର ଏକ ମାମଲା ରୁଜୁ ହୋଇଛି । ହାଇକୋର୍ଟର କାର୍ଯ୍ୟକାରୀ ବିଚାରପତିଙ୍କ ଦ୍ୱାରା ପୂରା ଘଟଣାର ତଦନ୍ତ କରିବା ଲାଗି ପିଟିସନ୍ରେ ପ୍ରାର୍ଥନା କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇର ପ୍ରତାପ ମହାନ୍ତି ଏହି ମାମଲା ରୁଜୁ କରିଛନ୍ତି ।
ସେ ପିଟିସନ୍ରେ ଦର୍ଶାଇଛନ୍ତି ଯେ, ଗତ ଚାରି ମାସ ମଧ୍ୟରେ କିଟ୍ରେ ୩ଟି ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି । ଏହାଦ୍ୱାରା କେବଳ କିଟ୍ ବଦନାମ୍ ହେଉନାହିଁ, ରାଜ୍ୟ ସରକାର ଏବଂ ଭାରତ ସରକାର ମଧ୍ୟ ବଦନାମ୍ ହେଉଛନ୍ତି । ପୂର୍ବରୁ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ରାଜ୍ୟ ସରକାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତଦନ୍ତ କମିଟି ୟୁଜିସି ଗାଇଡ୍ଲାଇନ୍ ଆଧାରରେ ଅନେକ ଦିଗକୁ ନେଇ ତଦନ୍ତ କରିନାହିଁ । ତେଣୁ ହାଇକୋର୍ଟର ଜଣେ କାର୍ଯ୍ୟକାରୀ ବିଚାରପତିଙ୍କ ଦ୍ୱାରା ସମଗ୍ର ଘଟଣାର ତଦନ୍ତ ପାଇଁ ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଏହି ମାମଲାରେ ବୈଦେଶିକ ମନ୍ତ୍ରାଳୟ, ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ସଚିବ, ଉଚ୍ଚଶିକ୍ଷା ବିଭାଗ ସଚିବ, ପୁଲିସ ଡିଜି, କଟକ-ଭୁବନେଶ୍ୱର ପୁଲିସ କମିସନର, ପଟିଆ ଥାନା ଅଧିକାରୀ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ଏହି ମାମଲା ରୁଜୁ କରିଛନ୍ତି ।