କଟକ,୧୪/୦୫: କିଟ୍‌ରେ ନେପାଳୀ ଛାତ୍ରୀ  ଆତ୍ମହତ୍ୟା କରିବା ଘଟଣାକୁ ନେଇ ହାଇକୋର୍ଟରେ ମଙ୍ଗଳବାର  ଏକ ମାମଲା ରୁଜୁ ହୋଇଛି । ହାଇକୋର୍ଟର  କାର୍ଯ୍ୟକାରୀ ବିଚାରପତିଙ୍କ ଦ୍ୱାରା ପୂରା ଘଟଣାର  ତଦନ୍ତ କରିବା ଲାଗି ପିଟିସନ୍‌ରେ ପ୍ରାର୍ଥନା  କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇର  ପ୍ରତାପ ମହାନ୍ତି ଏହି ମାମଲା ରୁଜୁ କରିଛନ୍ତି । 

 ସେ ପିଟିସନ୍‌ରେ ଦର୍ଶାଇଛନ୍ତି ଯେ, ଗତ ଚାରି  ମାସ ମଧ୍ୟରେ କିଟ୍‌ରେ ୩ଟି ଆତ୍ମହତ୍ୟା ଘଟଣା  ସାମ୍ନାକୁ ଆସିଛି । ଏହାଦ୍ୱାରା କେବଳ କିଟ୍‌ ବଦନାମ୍‌  ହେଉନାହିଁ, ରାଜ୍ୟ ସରକାର ଏବଂ ଭାରତ  ସରକାର ମଧ୍ୟ ବଦନାମ୍‌ ହେଉଛନ୍ତି । ପୂର୍ବରୁ ଜଣେ  ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ରାଜ୍ୟ  ସରକାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ  ତଦନ୍ତ କମିଟି ୟୁଜିସି ଗାଇଡ୍‌ଲାଇନ୍‌ ଆଧାରରେ  ଅନେକ ଦିଗକୁ ନେଇ ତଦନ୍ତ କରିନାହିଁ । ତେଣୁ  ହାଇକୋର୍ଟର ଜଣେ କାର୍ଯ୍ୟକାରୀ ବିଚାରପତିଙ୍କ  ଦ୍ୱାରା ସମଗ୍ର ଘଟଣାର ତଦନ୍ତ ପାଇଁ ଅଦାଲତ  ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା  କରିଛନ୍ତି । ଏହି ମାମଲାରେ ବୈଦେଶିକ ମନ୍ତ୍ରାଳୟ,  ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ସଚିବ,  ଉଚ୍ଚଶିକ୍ଷା ବିଭାଗ ସଚିବ, ପୁଲିସ ଡିଜି, କଟକ-ଭୁବନେଶ୍ୱର ପୁଲିସ କମିସନର, ପଟିଆ ଥାନା  ଅଧିକାରୀ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି।  ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନୁପ  କୁମାର ମହାପାତ୍ର ଏହି ମାମଲା ରୁଜୁ କରିଛନ୍ତି ।