ନୁଆଦିଲ୍ଲୀ,୧୮/୦୫: ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଆଇପିଏଲ୍‌ ୨୦୨୫ର ୬୦ତମ ମ୍ୟାଚ୍‌ ରବିବାର ଖେଳାଯାଇଛି। ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଗୁଜରାଟ। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ଓଭରରେ ୩ ଓ୍ବିକେଟ ହରାଇ ୧୯୯ ରନ୍‌ କରିଛି। ଦଳ ପକ୍ଷରୁ କେଏଲ୍‌ ରାହୁଲ ସର୍ବାଧିକ ୧୧୨ ରନ୍‌ର ଶତକୀୟ ଇନିଂସ ଖେଳିଥିଲେ। ରାହୁଲ ତାଙ୍କ ପାଳିରେ ୬୫ ବଲ୍‌ରେ ୧୪ଟି ଚୌକା ଏବଂ ୪ଟି ଛକା ମାରିଥିଲେ। 

ଅନ୍ୟ ଖେଳାଳି ମାନଙ୍କ ମଧ୍ୟରେ ଅଭିଶେକ ପୋରେଲ ୧୯ଟି ବଲ୍‌ରେ ଗୋଟିଏ ଚୌକା ତିନୋଟି ଛକା ସହିତ ୩୦ ରନ୍‌ କରିଥିଲେ। ସେହିପରି ଅକ୍ଷର ପଟେଲ ୧୬ଟି ବଲ୍‌ରେ ଦୁଇଟି ଚୌକା ଏବଂ ଗୋଟିଏ ଛକା ସହିତ ୨୫ ରନ୍‌ କରିଥିଲେ। ଟ୍ରିଷ୍ଟାନ୍‌ ଷ୍ଟବ୍ସ ୧୦ଟି ବଲ୍‌ରେ ୨ଟି ଛକା ସହିତ ୨୧ ରନ୍‌ କରିଥିଲେ। ଫାପ୍‌ ଡୁ ପ୍ଳେସିସ୍‌ ମାତ୍ର ୧୦ ଟି ବଲ୍‌ରେ ୫ ରନ୍‌ ସଂଗ୍ରହ କରିିଥିଲେ। ଗୁଜରାଟ ପକ୍ଷରୁ ଅର୍ସଦ ଖାନ୍‌, ପ୍ରସିଦ୍ଧ କ୍ରିଷ୍ଣା ଏବଂ ସାଇ କିଶୋରଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା।