କୋଲକାତା: ଦକ୍ଷିଣ କୋଲକାତାର ସାଉଥ କାଲକାତା ଲ କଲେଜରେ ଜଣେ ୨୪ ବର୍ଷୀୟ ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ମାମଲା ଧିରେଧିରେ ତେଜିବାରେ ଲାଗିଛି। ଏହି ଘଟଣାରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ମନୋଜିତ ମିଶ୍ର (୩୧), ସେହି କଲେଜର ପ୍ରଥମ ବର୍ଷର ଛାତ୍ର ଜାଇବ ଅହମଦ (୧୯) ଏବଂ ଅନ୍ୟ ଜଣେ ଛାତ୍ର ପ୍ରମିତ ମୁଖାର୍ଜୀ (୨୦) ରହିଛନ୍ତି । ତେବେ ମୁଖ୍ୟ ଅଭିଯୁକ୍ତ ମନୋଜିତ ଜଣେ ପୂର୍ବତନ ଛାତ୍ର ତଥା ତୃଣମୂଳ କଂଗ୍ରେସର ଛାତ୍ର ସଂଗଠନ ଛାତ୍ର ପରିଷଦର ଦକ୍ଷିଣ କୋଲକାତା ଜିଲ୍ଲାର ସାଧାରଣ ସମ୍ପାଦକ ଭାବେ କର୍ଯ୍ୟ କରୁଥିବା ନେଇ ସୂଚନା ମିଳିଛି। ଏହି ଘଟଣା ଗତ ବୁଧବାର (୨୫ ଜୁନ ୨୦୨୫) ସନ୍ଧ୍ୟା ୭ଟା ୩୦ ରୁ ୧୦ଟା ୫୦ ମଧ୍ୟରେ ମହାବିଦ୍ୟାଳୟ ପରିସରରେ ଘଟିଥିବା ନେଇ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ଛାତ୍ରୀ ଜଣଙ୍କ ପରୀକ୍ଷା ଫର୍ମ ଜମା ଦେବା ପାଇଁ କଲେଜକୁ ଆସିଥିଲେ। ଏହି ସମୟରେ ମନୋଜିତ ମିଶ୍ର ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ, କିନ୍ତୁ ତାଙ୍କର ପୂର୍ବରୁ ଜଣେ ପୁରୁଷ ବନ୍ଧୁଙ୍କ ସହ ସମ୍ପର୍କ ଥିବା କାରଣରୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ ଅଭିଯୁକ୍ତମାନେ ତାଙ୍କୁ ଜବରଦସ୍ତ ଗାର୍ଡ ରୁମକୁ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି। ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତମାନେ ତାଙ୍କୁ ଏବଂ ତାଙ୍କ ପ୍ରେମିକଙ୍କୁ ମାରିଦେବା ସହ ତାଙ୍କ ପିତାମାତାଙ୍କୁ ଗିରଫ କରାଇବାର ଧମକ ଦେଇଥିଲେ। ସେ ଆହୁରି ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତମାନେ ଦୁଷ୍କର୍ମର ଭିଡିଓ ରେକର୍ଡ କରି ତାଙ୍କୁ ବ୍ଲାକମେଲ କରିଥିଲେ ଏବଂ ତୃଣମୂଳର ଛାତ୍ର ସଂଗଠନ ପ୍ରତି ନିଷ୍ଠା ଦେଖାଇବାକୁ ବାଧ୍ୟ କରିଥିଲେ।
ପୋଲିସ ବୁଧବାର ରାତିରେ କସବା ଅଞ୍ଚଳରେ ମନୋଜିତ ମିଶ୍ର ଏବଂ ଜାଇବ ଅହମଦଙ୍କୁ ଗିରଫ କରିଥିଲା ଏବଂ ପ୍ରମିତ ମୁଖାର୍ଜୀଙ୍କୁ ଗୁରୁବାର ମଧ୍ୟରାତ୍ରିରେ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା। ତିନି ଅଭିଯୁକ୍ତଙ୍କ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଗୁରୁବାର ଆଲିପୁର ଅତିରିକ୍ତ ମୁଖ୍ୟ ବିଚାରପତି ମାଜିଷ୍ଟ୍ରେଟ ଅଦାଲତରେ ହାଜର କରାଯାଇଥିଲା। ଯେଉଁଠାରେ ସେମାନଙ୍କୁ ୪ ଦିନ ପାଇଁ ପୋଲିସ ହେପାଜତକୁ ପଠାଯାଇଛି। ଛାତ୍ରୀଙ୍କର ପ୍ରାଥମିକ ଚିକିତ୍ସା ପରୀକ୍ଷା କରାଯାଇଛି ଏବଂ ଅନେକ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି। ଅପରାଧ ସ୍ଥଳକୁ ସିଲ କରାଯାଇଛି ଏବଂ ଫରେନସିକ ପରୀକ୍ଷା ପାଇଁ ସୁରକ୍ଷିତ ରଖାଯାଇଛି।
ଏହି ଘଟଣା ପଶ୍ଚିମବଙ୍ଗରେ ରାଜନୈତିକ ବିବାଦର କାରଣ ହୋଇଛି। ବିରୋଧୀ ଦଳ ବିଜେପିର ନେତା ସୁବେନ୍ଦୁ ଅଧିକାରୀ ଏବଂ ଅମିତ ମାଲବୀୟ ଏହି ଘଟଣାକୁ "ଭୟଙ୍କର" ବୋଲି ଅଭିହିତ କରି ମମତା ବାନାର୍ଜୀ ସରକାରଙ୍କୁ ମହିଳାଙ୍କ ସୁରକ୍ଷା ପ୍ରତି ଅବହେଳା ଅଭିଯୋଗରେ ଟାର୍ଗେଟ କରିଛନ୍ତି। ସେମାନେ ଏହାକୁ ଗତ ବର୍ଷ ଆରଜି କର ମେଡିକାଲ କଲେଜରେ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ମାମଲା ସହ ଯୋଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅନ୍ୟପକ୍ଷରେ, ତୃଣମୂଳ କଂଗ୍ରେସ ଏକ ବୟାନରେ ଏହି ଘଟଣାର ନିନ୍ଦା କରିଛି ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛି। ଜାତୀୟ ମହିଳା ଆୟୋଗ (ଏନସିଡବ୍ଲୁ) ମଧ୍ୟ ଏହି ଘଟଣାର ଗମ୍ଭୀରତା ଦେଖି କୋଲକାତା ପୋଲିସ କମିଶନରଙ୍କୁ ଚିଠି ଲେଖି ୩ ଦିନ ମଧ୍ୟରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି।
ଏହି ଘଟଣା କୋଲକାତାରେ ମହିଳାଙ୍କ ସୁରକ୍ଷା ପ୍ରତି ପୁଣି ଥରେ ପ୍ରଶ୍ନ ଉଠାଇଛି, ଯାହା ଆରଜି କର ମାମଲା ପରେ ସାରା ଦେଶରେ ବିକ୍ଷୋଭର କାରଣ ହୋଇଥିଲା। ତେବେ ଏ ମାମଲା ନେଇ ତଦନ୍ତ ଜାରି ରହିଛି ଏବଂ ପୋଲିସ ଅଧିକ ପ୍ରମାଣ ସଂଗ୍ରହ କରୁଛି।