ଭୁବନେଶ୍ୱର, ୦୫/୦୧ : ଦେଖରେ ଦେଖରେ ଆଙ୍କିଛି ମୁଁ ପ୍ରଭୁ ଜଗନ୍ନାଥଙ୍କ ଚିତ୍ର, ମା ଦୁର୍ଗା, କୃଷ୍ଣ, କାଳୀଙ୍କ ଚିତ୍ର ବି ଆଙ୍କିଛି, ଆସଆସ ଗ୍ରାହକ ଈଶ୍ୱର... ଦେଖିବ ମୋ କଳାର ସମ୍ଭାର... ବଙ୍ଗଳା ଭାଷାରେ ଗୀତ ଗାଉଛନ୍ତି ଚିତ୍ରଶିଳ୍ପୀ। ସାମ୍ନାରେ ଥୁଆ ହୋଇଛି ଭଳିକି ଭଳି ଚିତ୍ର । ଜଗନ୍ନାଥ, କୃଷ୍ଣ ଲୀଳା, ଲକ୍ଷ୍ମୀ, ଗଣେଶ, କାର୍ତ୍ତିକ, ରାବଣବଦ୍ଧ, କିଏ କିଛି କିଣନ୍ତୁ କି ନକିଣନ୍ତୁ, ଗୀତ ଶୁଣିବାକୁ ଧାଇଁ ଆସୁଛନ୍ତି । ବୁଝି ହେଉନଥିଲେ ବି ଶିଳ୍ପୀର ବେଦନା ଗୀତରେ ଝଲସି ଉଠୁଛି । ଅସୁସ୍ଥତା ସତ୍ତ୍ଵେ ପେଟପାଟଣା ପାଇଁ ସେ ଗୀତ ଗାଇଗାଇ ଚିତ୍ର ବିକୁଛନ୍ତି । ଏଭଳି ଜଣେ ନିଆରା ଶିଳ୍ପୀ ହେଲେ ଭନ୍ତୁ ଚିତ୍ରକର ଓରଫ ଭନ୍ତୁ ଦାଦା । 

ଏକାମ୍ର ହାଟରେ ଚାଲିଛି ଗାନ୍ଧି ଶିଳ୍ପ ବଜାର। ଏଠାରେ ଏକ ଷ୍ଟଲ୍ ପକାଇଛନ୍ତି କୋଲକାତାରୁ ଆସିଥିବା ଭନ୍ତୁ ଦାଦା । ପେସା ଓ ନିଶା ତାଙ୍କର ଚିତ୍ରକଳା । ବାପା ଜିତେନ୍ଦ୍ର ମଧ୍ୟ ଏହି କାମ କରୁଥିଲେ । ତେଣୁ ବାପାଙ୍କ ପରେ ଭନ୍ତୁ ଏବେ ସେହି କାମ କରୁଛନ୍ତି । ପ୍ରତିବର୍ଷ ସେ ଭୁବନେଶ୍ୱର ଆସନ୍ତି । ପ୍ରତିଦିନ କପଡା ଓ କାଗଜରେ ସେ ରଙ୍ଗ ଦେଇ ଚିତ୍ର ଆଙ୍କନ୍ତି । ବଡ଼କଥା, କୌଣସି ରାସାୟନିକ ରଙ୍ଗ ନୁହେଁ, ଗଛର ପତ୍ର, ବେଲରେ ପ୍ରସ୍ତୁତ କରିଥାନ୍ତି ରଙ୍ଗ ଓ ଅଠା । ପଚାରିବାରୁ ସେ କୁହନ୍ତି ଏଥିପାଇଁ ପରିଶ୍ରମ ଅଧିକ । ହେଲେ ପାରିବାରିକ କଳାକୁ ବଞ୍ଚାଇବାକୁ ପ୍ରୟାସ ଚାଲିଛି । ୨୦୦ରୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫଟୋଚିତ୍ର ତାଙ୍କ ପାଖରେ ରହିଛି । ଅପରପକ୍ଷେ, ଭନ୍ତୁଙ୍କ ଗୀତ ଶୁଣି ଗ୍ରାହକମାନେ କିଛିବର୍ଷ ତଳେ ଭାଇରାଲ ହୋଇଥିବା ‘କଚା ବାଦାମ ଭଜା ବାଦାମ’ ଗୀତକୁ ମନେ ପକାଇଛନ୍ତି।

ଏହି ଖବରଟିକୁ ପଢନ୍ତୁ- ବିଳମ୍ଵିତ ରାତିରେ ଭୟାବହ ଅଗ୍ନିକାଣ୍ଡ, ୮ ଗୋରୁ ଓ ୩ ଛେଳି ଜୀବନ୍ତ ଦଗ୍ଧ