ନୂଆଦିଲ୍ଲୀ: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଏବେ ସାମ୍ନାକୁ ଆସିଛି ଆଉ ଏକ ସମାନ ଘଟଣା, ହେଲେ ଏଠାରେ ବଡ ଦୁର୍ଘଟଣାକୁ ରୋକାଯାଇ ପାରିଛି । ବୁଧବାର ସନ୍ଧ୍ୟାରେ କୋଲକାତାରୁ ଶ୍ରୀନଗର ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ବାରାଣସୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି, କୁହାଯାଉଛି କି ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଜରୁରୀକାଳୀନ ଅବତରଣ ହୋଇଛି। ବିମାନଟିରୁ ଇନ୍ଧନ ଲିକ୍ ହୋଇଥିଲା, ଯାହା ଫଳରେ ବିମାନ କର୍ମଚାରୀ ମାନେ ନିକଟସ୍ଥ ବାରାଣସୀ ବିମାନବନ୍ଦରକୁ ସୂଚନା ଦେଇଥିଲେ ଏବଂ ଅବତରଣ ପାଇଁ ଅନୁମତି ମାଗିଥିଲେ। ଇଣ୍ଡିଗୋ ବିମାନଟି ମୋଟ ୧୬୬ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ନେଇ ଯାତ୍ରା କରୁଥିଲା । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି। ବିମାନବନ୍ଦର କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରୁଛନ୍ତି। ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ଏବଂ ସ୍ୱାଭାବିକ କାର୍ଯ୍ୟ ପୁଣି ଆରମ୍ଭ ହୋଇଛି।"

ଇଣ୍ଡିଗୋ ବିମାନ ୬ଇ-୬୯୬୧ ରେ ଏକ ତ୍ରୁଟି ଦେଖାଦେଇଛି। ବିମାନ କମ୍ପାନୀ କହିଛି ଯେ ଯାତ୍ରୀ ମାନଙ୍କୁ ଅନ୍ୟ ଏକ ବିମାନରେ ଶ୍ରୀନଗର ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି। ବିମାନ ଉଡ଼ାଣ ସମୟରେ ଇନ୍ଧନ ଲିକ୍ ହୋଇଥିଲା। ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି) ବାରାଣସୀ ସହିତ ଯୋଗାଯୋଗ କରିବା ପରେ, ପାଇଲଟ୍ ଅପରାହ୍ନ ୪:୧୦ ରେ ରନୱେରେ ବିମାନଟିକୁ ସୁରକ୍ଷିତ ଭାବରେ ଅବତରଣ କରିଥିଲେ।

ଗତ ମାସରେ, ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ମଧ୍ୟ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା, ଯାହା ଫଳରେ ଉଡ଼ାଣ ପୂର୍ବରୁ ଜରୁରୀକାଳୀନ ଅବତରଣ କରାଯାଇଥିଲା। ବିମାନଟିରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କ ସମେତ ୧୫୧ ଜଣ ଯାତ୍ରୀ ଥିଲେ।