କୋଣାର୍କ,୨୪/୧୧: ଆସନ୍ତା ଡିସେମ୍ବର ୧ରୁ ଆରମ୍ଭ  ହେବ କୋଣାର୍କ ଉତ୍ସବ ଓ ଚନ୍ଦ୍ରଭାଗା ବେଳାଭୂମିରେ  ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । ଏଥିନିମନ୍ତେ ପର୍ଯ୍ୟଟନ  ବିଭାଗ ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି ଚାଲିଛି । ମୁକ୍ତାକାଶ  ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଓ ଚନ୍ଦ୍ରଭାଗା ବେଳାଭୂମିରେ ଦେଶ ବିଦେଶର ଶିଳ୍ପୀଙ୍କୁ ନେଇ ବାଲୁକା  କଳା ପ୍ରଦର୍ଶନୀ ଅନୁଷ୍ଠିତ ହେବ ।  

ମୁକ୍ତାକାଶ ରଙ୍ଗମଞ୍ଚକୁ ଆକର୍ଷଣୀୟ କରିବା ଲାଗି  ଗ୍ରୀନ୍‌ ରୁମ୍‌ ମରାମତି, ପାଚେରିରେ ପାରମ୍ପରିକ ଝୋଟି ଓ  ଚିତା ରଙ୍ଗ, ଶବ୍ଦ ଓ ଆଲୋକ ବ୍ୟବସ୍ଥା, ଦର୍ଶକ ଗ୍ୟାଲେରୀ  ସାଜସଜା, ଯାତ୍ରୀ ନିବାସର ରୁମ୍‌ ମରାମତି ଆଦି କାର୍ଯ୍ୟ  ଆଗେଇ ଚାଲିଛି ।  ରଙ୍ଗମଞ୍ଚ ପରିସରରେ ଥିବା ବଡ଼ ବଡ଼ ଗଛରେ  ଚାନ୍ଦୁଆ ଓ ଏଲ୍‌ଇଡି ଆଲୋକମାଳା ଶୋଭା ବଢ଼ାଉଛି ।  

ରଙ୍ଗମଞ୍ଚରେ ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ସାଢ଼େ ୮ଟା  ପର୍ଯ୍ୟନ୍ତ ଖ୍ୟାତନାମା ନୃତ୍ୟଶିଳ୍ପୀଙ୍କ ଦ୍ୱାରା ପରିବେଷଣ ହେବ  ଓଡ଼ିଶୀ, କଥକ, ମଣିପୁରୀ, କୁଚିପୁଡ଼ି, ଭାରତନାଟ୍ୟମ୍‌,  ମୋହିନୀଆଟ୍ଟମ୍‌ । ରଙ୍ଗମଞ୍ଚ ଗ୍ୟାଲେରିରେ ୧୪ଶହ  ଦର୍ଶକ ବସିବା ଭଳି ବ୍ୟବସ୍ଥା ହୋଇଛି । ଟିକଟର ମୂଲ୍ୟ  ପାଞ୍ଚ ଦିନ ପାଇଁ ସିଜିନ୍‌(୪ଶହ), ଦୈନିକ ୧ଶହ ଟଙ୍କା  ଓ ୨୦ଟଙ୍କା । ଓଟିଡିସି ପକ୍ଷରୁ ଭୁବନେଶ୍ୱର ଓ ପୁରୀରୁ  ସ୍ୱତନ୍ତ୍ର ପ୍ୟାକେଜ୍‌ ଟୁର ବ୍ୟବସ୍ଥା ରହିଛି । ଏଥିସହିତ  ହେଲିପ୍ୟାଡ୍‌ରେ ଅପେରା ଓ ମୀନା ବଜାର ଅନ୍ୟତମ  ଆକର୍ଷଣ ହେବ ।