କୋଣାର୍କ,୩୦।୧୧: ଡିସେମ୍ବର ୧ ତାରିଖ ଅର୍ଥାତ୍ ସୋମବାର ଠାରୁ ଆରମ୍ଭ ହେଉଛି କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ। ଅର୍କକ୍ଷେତ୍ର କୋଣାର୍କ ହୋଇ ଉଠିଛି ଉତ୍ସବମୁଖର। ଏହି ଉତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସଂଧ୍ୟାରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ, ଚନ୍ଦ୍ରଭାଗା ମେଳା ପଡ଼ିଆରେ ସୁଭଦ୍ରା ଶକ୍ତି ମେଳା ଶେଷ ପର୍ଯ୍ୟାୟ କାର୍ଯ୍ୟ ଅନୁଧ୍ୟାନ କରିଥିଲେ।
ଡିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ରଙ୍ଗୀନ ହେବ ରଙ୍ଗମଞ୍ଚ। ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ, ଚନ୍ଦ୍ରଭାଗା ସ୍ବର୍ଣ୍ଣାଭ ବେଳାଭୂମିରେ ବାଲୁକା କଳା ଉତ୍ସବ, ମେଳାପଡ଼ିଆରେ ସୁଭଦ୍ରା ଶକ୍ତି ମେଳା ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରଙ୍ଗମଞ୍ଚ ପରିସରରେ ଛୋଟବଡ଼ ବୃକ୍ଷ ରାଜି, ରଙ୍ଗବେରଙ୍ଗର ଚାନ୍ଦୁଆ, ଚିତ୍ରକଳା ରାତିର ଶୋଭାକୁ ଅତ୍ୟନ୍ତ ଆକର୍ଷଣୀୟ କରୁଛି। ସନ୍ଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚରେ ଓଡ଼ିଶୀ, କଥକଳି, କୁଚିପୁଡି, ମଣିପୁରୀ, ଭାରତନାଟ୍ୟମ ଓ କଥକ ଆଦି ନୃତ୍ୟ ପରିବେଷଣ ସହିତ ଚନ୍ଦ୍ରଭାଗା ବେଳାଭୂମିରେ ଦେଶ ବିଦେଶର ଶତାଧିକ ବାଲୁକାଶିଳ୍ପୀ ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ କଳାକୃତି ପ୍ରଦର୍ଶିତ କରିବେ। ସେହିଭଳି ହେଲିପ୍ୟାଡରେ ୩ଟି ଅପେରା ଓ ମୀନାବଜାର ଅନ୍ୟତମ ଆକର୍ଷଣ ସାଜିବ।