ପୁରୀ/ଭୁବନେଶ୍ୱର ,୧।୧୨ :    ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ସଂସ୍କୁତି ବିଭାଗ ଓ  ସଙ୍ଗୀତ  ନାଟକ ଏକାଡେମୀର ମିଳିତ ଉଦ୍ୟମରେ କୋଣାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି  ପାଞ୍ଚ ଦିନିଆ ୩୫ ତମ କୋଣାର୍କ ଉତ୍ସବ ଏବଂ ୧୪ ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ। 

ଏହି ଉତ୍ସବକୁ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି  ଯୋଗ ଦେଇ ଉଦଘାଟନ କରିଛନ୍ତି । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଜଗତସିଂହପୁର  ସାଂସଦ ଡ଼. ବିଭୁ ପ୍ରସାଦ ତରାଇ , ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ , ସତ୍ୟବାଦୀ  ବିଧାୟକ  ଓମ ପ୍ରକାଶ ମିଶ୍ର , ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର , କାକଟପୁର ବିଧାୟକ ତୁଷାରକାନ୍ତି ବେହେରା , ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଳୱନ୍ତସିଂହ ,ପର୍ଯ୍ୟଟନ ବିଭାଗର ନିର୍ଦେଶକ ସମର୍ଥ ବର୍ମା ,   ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିଲେ l

କୋଣାର୍କ ଉତ୍ସବର ପ୍ରଥମ ଦିନରେ ଭୁବନେଶ୍ବର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ ପରିବେଷଣ କରିଥିଲେ ଓଡ଼ିଶୀ ନୃତ୍ୟ।   ଜଗନ୍ନାଥ ଅଷ୍ଟକମ୍, ଭାବରଙ୍ଗ ଓ ଶକ୍ତି  ଏହି ତିନୋଟି ନୃତ୍ୟ ଶୈଳୀକୁ ଏକ ଅପୂର୍ବ ଭାବା ବେଗରେ ପରିବେଷଣ କରିଥିଲେ। ଓଡିଶୀ ନୃତ୍ୟ ଶୈଳୀର ଲାସ୍ୟ, ଭଙ୍ଗି, ମୁଦ୍ରା ଓ ଲାଳିତ୍ୟର ପରିପ୍ରକାଶ ଘଟିଥିଲା ସମସ୍ତ ଶିଳ୍ପୀ ମାନଙ୍କ ପରିବେଷଣରେ । ସଙ୍ଗୀତରେ ସ୍ଵର ତୋଳିଥିଲେ ଗୁରୁ ଡ. ବିଜୟ କୁମାର ଜେନା ଓ ଗୁରୁ ବିଜୟ କୁମାର ବାରିକ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଲିଙ୍ଗରାଜ ପ୍ରଧାନ ଓ ଗୁରୁ ପଙ୍କଜ କୁମାର ପ୍ରଧାନ। ଦ୍ୱିତୀୟ ପର୍ଯ୍ୟାୟରେ ନୂଆ ଦିଲ୍ଲୀ ରୁ  ଆସିଥିବା ମାଳତୀ ଶ୍ୟାମ ଓ ସାଥୀ ବୃନ୍ଦଙ୍କ ଦ୍ଵାରା ପରିବେଷଣ ହୋଇଥିଲା ଲକ୍ଷ୍ନୋ ଘରନାର ନୃତ୍ୟ“ନର୍ତନ ମଞ୍ଜରୀ”। ନୃତ୍ୟ ଶୈଳୀକୁ ପରିବେଷଣ କରି ଏକ ଆଧ୍ୟାତ୍ମିକ ଚେତନାର ସ୍ପର୍ଶ ଦେଇଥିଲେ। 

 

ପ୍ରତିବର୍ଷ କୋଣାର୍କ ଉତ୍ସବ ସହିତ ଆୟୋଜିତ ହୋଉଛି ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ।  ୧୪ ବର୍ଷ ଧରି ଏହା ଆୟୋଜିତ ହେଉଛି। ଚନ୍ଦ୍ରଭାଗା କୂଳକୁ ବିଶ୍ୱର କୋଣ ଅନୁକୋଣରୁ ଆସିଥାନ୍ତି ବାଲୁକା ଶିଳ୍ପୀ ଗଣ। ଏ ବର୍ଷ ଭାରତ ବର୍ଷରୁ ପ୍ରାୟ ୧୨୧ ଜଣ ଶିଳ୍ପି ଯୋଗ ଦେଇଛନ୍ତି। ସେଥିରୁ ୩୬ ଜଣ ମହିଳା ଓ ୮୫ ଜଣ ପୁରୁଷ। ସ୍ପେନ୍, ଜର୍ମାନ୍, ରୁଷିଆ, ପର୍ତ୍ତୁଗାଲ, ଶ୍ରୀଲଙ୍କା, ମେକ୍ସିକୋ, ଜାପାନ ଓ ୟୁକେ ରୁ ପ୍ରାୟ ୮ ଜଣ ବିଦେଶୀ ବାଲୁକା ଶିଳ୍ପି ଆସି ପହଞ୍ଚିଛନ୍ତି ଚନ୍ଦ୍ରଭାଗା ବେଳାଭୂମିରେ ତାଙ୍କ କଳା ନୈପୁଣ୍ୟକୁ ରୂପ ଦେବା ପାଇଁ। ସେଥିରେ ତିନିଜଣ ମହିଳା, ପାଞ୍ଚ ଜଣ ପୁରୁଷ ଅଛନ୍ତି। ଏମାନଙ୍କୁ ଦେଖି  ଅଥଳ ଜଳରାଶିବି ସେଇ ମାନଙ୍କୁ ଏବଂ ତାଙ୍କ ବାଲୁକା କଳାକୁ ଟିକେ ଛୁଇଁ ଦେବାକୁ ଅସଂଖ୍ୟ ଢେଉରେ ତରଙ୍ଗାୟିତ ହେଉଛି। ଆକୁଳ ବ୍ୟାକୁଳରେ ଆନମନା ହେଉଛି।