କୋଣାର୍କ, ୧୮/୦୪: ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢ଼ା ଯିବା ଲାଗି ୩ବର୍ଷ ସମୟ ଧାର୍ଯ୍ୟ  ହୋଇଥିଲା । ଆଜିକୁ ଅଢ଼େଇ ବର୍ଷ ବିତିଗଲାଣି । ସମୟ ସୀମା ସରି ଆସୁଥିବା ବେଳେ ଏବେ ସୂର୍ଯ୍ୟମନ୍ଦିର ବାଲି କଢ଼ା ପ୍ରକ୍ରିୟା ଅଧାରୁ ସମ୍ପୂର୍ଣ୍ଣ ବନ୍ଦ  ରହିଛି । ଯାହାକୁ ନେଇ ଆଶଙ୍କା ଦେଖାଦେଇଛି ।  

୨୦୨୨ ସେପ୍ଟେମ୍ବର ୮ରେ ଏଏସ୍‌ଆଇ ଓ  ବିଡିଆର୍‌ ନିର୍ମାଣ ବିଭାଗ ସୂର୍ଯ୍ୟମନ୍ଦିର ଗର୍ଭଗୃହ  ଦ୍ୱାର ନିକଟରେ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ କରି  ବାଲି କାଢ଼ିବା ଲାଗି ଶୁଭ ଦେଇଥିଲେ । ପ୍ରାଥମିକ  ପର୍ଯ୍ୟାୟରେ ଉତ୍ତର ଓ ପଶ୍ଚିମ କୋଣରେ ଲିଫ୍ଟ  ପାଇଁ ମୂଳଦୁଆ ନିର୍ମାଣ ପରେ ଲୁହା ବିମ୍‌ ଲଗା  ଯାଇଥିଲା । ପରେ ଟନେଲ୍‌ ଓ ଲିଫ୍ଟ ନିର୍ମାଣ ନିମନ୍ତେ  ଫର୍ମାଟ ଓ ଲେଆଡଟ୍‌ କାର୍ଯ୍ୟ ଆରମ୍ଭ ହୋଇଥିଲା ।  

ସେହିଭଳି ଦକ୍ଷିଣ ପାଶ୍ୱର୍ରେ ଲୁହା ବିମ୍‌ ସାହାଯ୍ୟରେ  ମନ୍ଦିର ଚୂଡ଼ାକୁ ପାହାଚ ନିର୍ମାଣ, ଉତ୍ତର ପଶ୍ଚିମ କୋଣରେ ମନ୍ଦିର ପାଦଦେଶରୁ ଚୂଡ଼ା ପର୍ଯ୍ୟନ୍ତ ଏକ ଲିଫ୍ଟ ଲଗାଯାଇଛି । ଏହି ସ୍ୱତନ୍ତ୍ର ଲିଫ୍ଟ ମାଧ୍ୟମରେ  ମନ୍ଦିର ଚୂଡ଼ାରୁ ଗର୍ଭଗୃହରେ ରହିଥିବା ବାଲି  ଗୁଡ଼ିକୁ ମନ୍ଦିର ପାଦଦେଶକୁ ସୁରକ୍ଷିତ ଉପାୟରେ  ପର୍ଯ୍ୟାୟକ୍ରମେ ବାହାର କରାଯିବ । ଚୂଡ଼ାରେ ୪ଫୁଟ  ଓସାର ଓ ୫ଫୁଟରେ ଲମ୍ବରେ ଗର୍ତ୍ତ କରାଯାଇ ବାଲି  ଗୁଡ଼ିକ ଲିଫ୍ଟ ମାଧ୍ୟମରେ ବାହାରକୁ ବାହାରିବ । ପର୍ଯ୍ୟାୟକ୍ରମେ କାର୍ଯ୍ୟ ଆରମ୍ଭ ହୋଇ ଏବେ  ଶେଷ ପର୍ଯ୍ୟାୟରେ ଅଟକି ରହିଥିବା ଦେଖିବାକୁ ମିଳିଛି। ବାଲି ନିଷ୍କାସନ ସରିଲେ ପର୍ଯ୍ୟଟକଙ୍କ  ପାଇଁ ଜଗମୋହନ ଦ୍ୱାର ଖୋଲି ଦିଆଯିବ ବୋଲି  ଏଏସ୍‌ଆଇ ସୂଚନା ଦେଇଥିଲା । 

ସୂଚନାଯୋଗ୍ୟ, ଗତ ଡିସେମ୍ବର ୭ରେ  ଏଏସ୍‌ଆଇ ଏଡିଜି ଜାନଭିଜ ଶର୍ମା, କନଜରଭେସନ୍‌  ନିର୍ଦ୍ଦେଶକ ଭୀମା ଆଜମିର୍‌, ଏଏସ୍‌ଆଇ ଆଞ୍ଚଳିକ  ନିର୍ଦ୍ଦେଶକ ଡ. ଦିଲ୍ଲୀପ କୁମାର ଖମାରୀ, ସର୍କଲ  ସୁପରିଣ୍ଟେଣ୍ଡେଣ୍ଟ ଡ. ଡି.ବି ଗଡ଼ନାୟକ, ଆଇଆଇଟି  ଚେନ୍ନାଇ, ଆଇଆଇଟି ଦିଲ୍ଲୀ, କୋର୍‌ କମିଟିର  ବିଶେଷଜ୍ଞ ଦଳ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢ଼ା  ପ୍ରକ୍ରିୟା ଓ ଅବସ୍ଥିତି ନେଇ ଅନୁଧ୍ୟାନ କରିଥିଲେ ।  ମନ୍ଦିର ଚୂଡ଼ାରୁ ୫ଫୁଟ ତଳକୁ ବାଲି ରହିଥିବା  ଜାଣିବାକୁ ପାଇଥିଲେ ।