ଭୁବନେଶ୍ୱର,୧୩/୦୩: କୋରାପୁଟ ପରେ ରାଜଧାନୀ ଭୁବନେଶ୍ୱରରେ ସୁଟିଂ କରିବେ ଚର୍ଚ୍ଚିତ ଫିଲ୍ମ ନିର୍ମାତା ଏସ୍‌ଏସ୍‌  ରାଜାମୌଲୀ । ଏନେଇ ସିନେମାର ପ୍ରମୁଖ ଷ୍ଟାର୍‌ ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା  ଓ ତେଲୁଗୁ ସୁପର୍‌ଷ୍ଟାର୍‌ ମହେଶବାବୁ ମଧ୍ୟ ଭୁବନେଶ୍ୱର ଆସିବେ ବୋଲି ସୂଚନା ମିଳିଛି । ସିନେମା ଟିମ୍‌ ଭୁବନେଶ୍ୱର ଏବଂ ଏହାର  ଆଖାପାଖରେ ସୁଟିଂ ନେଇ ଯୋଜନା  କରିଛି । ବର୍ତ୍ତମାନ ପୂରା ଟିମ୍‌ ସିନେମା ଏସ୍‌ଏସ୍‌ଏମ୍‌ବି-୨୯ର  ସୁଟିଂ ପାଇଁ କୋରାପୁଟରେ ଡେରା ପକାଇଛି । 

ସେମିଲିଗୁଡ଼ା ବ୍ଲକ୍‌ ତଳମାଳି  ଅଞ୍ଚଳରେ ଫିଲ୍ମର ସୁଟିଂ ଜୋର୍‌ରେ ଆଗେଇ  ଚାଲିଛି । ଲୋକପ୍ରିୟ ଷ୍ଟାର୍‌ମାନଙ୍କ ସହ ସୁଟିଂ  ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ  ଭିଡ଼ ଜମୁଛି । ଫିଲ୍ମର କାହାଣୀକୁ ଗୋପ  ରଖାଯାଇଥିବାବେଳେ କ୍ୟାମ୍ପ୍‌ କରି ସୁଟିଂ ସେଟ୍‌ ଜଗିଛି ସିନେମା ନିର୍ମାଣଧୀନ ଟିମ୍‌ ।  ପାଖାପାଖି ୫୦୦ରୁ ଅଧିକ ସଦସ୍ୟ ଗତ  ୮-୯ ତାରିଖରୁ ଆସି ସିନେମା ସୁଟିଂରେ ଲାଗିଛନ୍ତି । ଆଗ ନିର୍ଦ୍ଦେଶକ ରାଜାମୌଲୀ ଓ ଅଭିନେତା ମହେଶବାବୁ ଆସିଥିବାବେଳେ ପଛରେ ପହଞ୍ଚିଥିଲେ ଅଭିନେତ୍ରୀ ପ୍ରିୟଙ୍କା  ଚୋପ୍ରା । ସମସ୍ତେ ଦେଓମାଳି କଟେଜ୍‌ରେ ରହୁଥିଲା ବେଳେ ଆସନ୍ତା ୨୯ ତାରିଖ  ତଥା ମାର୍ଚ୍ଚ ଶେଷ ସୁଦ୍ଧା ସେଠାରେ ସମସ୍ତ ସୁଟିଂ ସରିବ । ଏହାପରେ ଟିମ୍‌ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରି ପୂର୍ବରୁ ଠିକ୍‌  ହୋଇଥିବା ସ୍ଥାନରେ ସୁଟିଂ କରିବ ବୋଲି  ସୂଚନା ମିଳିଛି । କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ  କେଉଁ ସ୍ଥାନରେ ହେବ ତା’ର ସୂଚନା  ନଥିବା ବେଳେ ପ୍ରଯୋଜନା ସଂସ୍ଥା ପକ୍ଷରୁ  ଘୋଷଣାକୁ ଅପେକ୍ଷା ରହିଛି ।