ପ୍ରମୂଖ ଖବର
  • ଜାଡ଼ରେ ଥରିଲା ଓଡ଼ିଶା, ଖସିଲା ପାରଦ: ୧୬ ଯାଏ ୧୦ ଡିଗ୍ରୀ ତଳେ ଅଧିକାଂଶ ସହର
  • ||

ଶିଶୁ ଦିବସରେ ହେବ ‘କୋଟିଏ ହସ’ କାର୍ଯ୍ୟକ୍ରମ, ପୁରସ୍କୃତ ହେବେ ସୁସ୍ଥ ଶିଶୁ

Published By : Prameya | November 13, 2024 12:07 PM

ଭୁବନେଶ୍ୱର,୧୩/୧୧ : ଶିଶୁ ଦିବସରେ ସମ୍ମାନିତ ହେବେ ସୁସ୍ଥ ଶିଶୁ । ରାଜ୍ୟର ସମସ୍ତ ଅଙ୍ଗନୱାଡି ଜ୍ଞାନ କେନ୍ଦ୍ରରେ ୬ ଜଣ ଲେଖାଏ ସୁସ୍ଥ ଶିଶୁଙ୍କୁ ପୁରସ୍କୃତ କରାଯିବ । ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧୀନ ‘କୋଟିଏ ହସ’ କାର୍ଯ୍ୟକ୍ରମ ଏବଂ ପୋଷଣ ଅଭିଯାନ ସହ ସମାନ୍ତରାଳ ଭାବରେ ଏହାକୁ ରାଜ୍ୟବ୍ୟାପୀ ଆୟୋଜିତ କରାଯିବ । ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାକୁ ଏକ ନିର୍ଦ୍ଦେଶାବଳୀ ପ୍ରଦାନ କରାଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟର ସବୁ ଅଙ୍ଗନୱାଡି କେନ୍ଦ୍ରରେ ପାଳିତ ହେବ ଶିଶୁ ଦିବସ । 

ଏହି ଅବସରରେ ଆଦ୍ୟ ଶୈଶବର ଯତ୍ନ ଓ ଶିକ୍ଷା ଉପରେ ଶିଶୁମାନଙ୍କ ପାଇଁ ଉତ୍ସବ "କୋଟିଏ ହସ’ କାର୍ଯ୍ୟକ୍ରମ ଆୟୋଜିତ ହେବ । ତେବେ ଚଳିତ ବର୍ଷ ପ୍ରଥମ କରି ରାଜ୍ୟର ସମସ୍ତ ୮୪୧୮ଟି ଅଙ୍ଗନୱାଡି ଜ୍ଞାନ କେନ୍ଦ୍ରରେ "କୋଟିଏ ହସ’ ସହିତ ପୋଷଣ ଶିଶୁ ଓ ସେମାନଙ୍କ ପିତାମାତାଙ୍କୁ ମଧ୍ୟ ପ୍ରୋତ୍ସାହିତ କରାଯିବ । ପୋଷଣ ଟ୍ରାକର ଅନୁସାରେ ସାଧାରଣ ବର୍ଗରେ ଥିବା ଶିଶୁମାନଙ୍କୁ ଦୁଇଟି ବର୍ଗ ଯଥା- ୬ ମାସରୁ ୩ ବର୍ଷ ଏବଂ ୩ ବର୍ଷ ରୁ ୬ ବର୍ଷ ଅନୁଯାୟୀ ସୁସ୍ଥ ଶିଶୁ ଚିହ୍ନଟ କରାଯିବ । ଅଙ୍ଗନୱାଡି କେନ୍ଦ୍ର ସ୍ତରରେ ସ୍ୱତନ୍ତ୍ର କମିଟି ଦ୍ୱାରା ଉଭୟ ବର୍ଗରେ ଶ୍ରେଷ୍ଠ ତିନି ଜଣଙ୍କୁ ଚିହ୍ନଟ କରି ପୁରସ୍କୃତ କରାଯିବ । ପୁରସ୍କାରରେ ଆକର୍ଷଣୀୟ ଉପହାର ଏବଂ ପୁଷ୍ଟିକର ଟୋକେଇ(ନ୍ୟୁଟ୍ରିସନ ବାସ୍କେଟ୍‌) ଦେବାକୁ ଯୋଜନା ରହିଛି । 

କୁପୋଷଣ ମୁକ୍ତ ରାଜ୍ୟ ଲାଗି ସରକାର ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ଉଭୟ ଶିଶୁ ଓ ମାତାପିତାଙ୍କୁ ଏ ଦିଗରେ ପ୍ରତ୍ସୋହିତ କରିବା ଲାଗି ଏଭଳି ନିଆରା ପଦକ୍ଷେପ ନିଆଯାଇଛି । ସମାନ ଖାଦ୍ୟାଭ୍ୟାସ, ପରିବେଶରେ ରହି ଶିଶୁର ଉତ୍ତମ ଯତ୍ନ କିପରି ସଠିକ ଭାବରେ ନିଆଯାଇପାରିବ, ସେ ସମ୍ପର୍କରେ ମାଆ-ମାଆ, ପରିବାର-ପରିବାର ଓ ଗୋଷ୍ଠୀ ସଦସ୍ୟଙ୍କ ଭିତରେ ଭାବର ଆଦାନ ପ୍ରଦାନ ଓ ଆଲୋଚନା ଦ୍ୱାରା ସାମୁହିକ ସଚେତନତା ସୃଷ୍ଟି ହେବ । ଫଳରେ ଦୁର୍ବଳ ରହୁଥିବା ଶିଶୁର ମାଆ ଓ ପରିବାର ସଦସ୍ୟ ଶିଶୁର କିପରି ଯତ୍ନ ନେଇପାରିବେ ସେନେଇ ଧାରଣା ଜାଗୃତ ହେବ । ଏହି ଉତ୍ସବରେ ସମସ୍ତ ହିତାଧିକାରୀ, ଆଶା, ୱାର୍ଡ ମେମ୍ବର ପ୍ରମୁଖ ଯୋଗ ଦେବେ । ଉଭୟ ମା' ଓ ଶିଶୁଙ୍କ କଲ୍ୟାଣ ନିମନ୍ତେ ସମସ୍ତଙ୍କ ସହଯୋଗର ଅବଶ୍ୟକତା ରହିଛି ଏବଂ ଏହା ସହିତ ସକାରାତ୍ମକ ପରିବେଶ ସୃଷ୍ଟି କରିବା ନିମନ୍ତେ ସମସ୍ତଙ୍କୁ ସଚେତନ କରାଯାଉଛି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.