ହରଭଙ୍ଗା,୧୫/୧୧ : ହରଭଙ୍ଗା ଆଦିମ ଅଧିବାସୀ ଆଦିବାସୀ ସମାଜ ପକ୍ଷରୁ ବ୍ଲକସ୍ତରୀୟ ୧୫୧ତମ ବିର୍ସାମୁଣ୍ଡା ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି l କ୍ରାନ୍ତିବୀର ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ଜନନାୟକଙ୍କ ଏହି ଜନ୍ମ ଜୟନ୍ତୀକୁ ନେଇ ସମାଜ ପକ୍ଷରୁ ଠିଡ଼ିକଜୋର ଜଗନ୍ନାଥ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରାରେ ପାରମ୍ପରିକ ଆଦିବାସୀ ଅସ୍ତ୍ର ଖଣ୍ଡା, ଟାଙ୍ଗୀ, ଧନୁଶର, ସହ ଢୋଲ ମହୁରୀ ତାଳେତାଳେ ପୁରୁଷ ମହିଳା ନୃତ୍ୟ କରି ଜାତୀୟ ରାଜପଥରେ ତହସିଲ କାର୍ଯ୍ୟାଳୟ ନିକଟରୁ ପରିକ୍ରମା କରି ସମାଜର ଝାଡ଼ରାଜିଙ୍ଗଠାରେ ଥିବା ସଭାଗୃହ ପରିସରରେ ପହଂଚିଥିଲେ l ପରେ ଏକ ସାଧାରଣସଭା ଅନୁଷ୍ଠିତ ହୋଇଥିଲା ।

ଅନୁଷ୍ଠିତ ସାଧାରଣ ସଭାରେ ମହାସଂଘର ସଭାପତି କର୍ଣ୍ଣ ପ୍ରଧାନ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥିଭାବେ ହରଭଙ୍ଗା ଗୋଷ୍ଠୀଉନ୍ନୟନ ଅଧିକାରୀ ବିଜୟ ପ୍ରଧାନ ଉପସ୍ଥିତ ରହିଥିଲେ l ସମ୍ମାନିତ ଅତିଥିଭାବେ ସାମାଜିକ ସୁରକ୍ଷା ଅଧିକାରୀ ଅବିନାଶ ପାଣ୍ଡିଆ, ପୂର୍ବତନ ସଭାପତି କନିଷ୍ଠ ମଲ୍ଲିକ, ଉପଦେଷ୍ଟା ଜଣକ ପାତ୍ର, ସୁଶୀଲ ଦେହୁରୀ, ଉପ ସଭାପତିଙ୍କ ସମେତ ୧୨ଟି ପାଲ୍ଲୀରୁ ଆସିଥିବା ସଭାପତି ମଂଚାସୀନ ରହିଥିଲେ l ଅତିଥି ଗଣ ବିର୍ସାମୁଣ୍ଡାଙ୍କ ସଂଘର୍ଷ ଯିବନି ଉପରେ ଆଲୋକପାତ କରିଥିବାବେଳେ ସମାଜ ଓ ଦେଶ ପାଇଁ ୨୪ବର୍ଷ ଭିତରେ ମା’ ମାଟି ଓ ଇଂରେଜ ବିରୁଦ୍ଧରେ ଭାରତ ସ୍ୱାଧୀନତା ପାଇଁ ବଳିଦାନ ଅତୁଳନୀୟ ଥିଲା l

ଏହି ଜନନାୟକଙ୍କୁ ଚିର ସ୍ମରଣୀୟ ପାଇଁ ସାରା ଭାରତ ବର୍ଷରେ ସରକାରୀ ଓ ସମାଜ ପକ୍ଷରୁ ଜନ୍ମଜୟନ୍ତୀ ପାଳନ କରାଯାଇଛି l ହରଭଙ୍ଗା ବ୍ଲକସ୍ତରୀୟ ବିର୍ସାମୁଣ୍ଡା ଜନ୍ମ ଜୟନ୍ତୀରେ ୧୨ଟି ପାଲ୍ଲୀରୁ ହଜାର ସଂଖ୍ୟକ ଆଦିବାସୀ ମହିଳା ଓ ପୁରୁଷ ଆଜି ଉପସ୍ଥିତ ରହିଥିଲେ ।