ନୂଆଦିଲ୍ଲୀ ୦୪/୦୮:  ରୁଷ୍‌ର କାମଚଟ୍‌କା ଉପଦ୍ୱୀପରେ ଥିବା କ୍ରାଶେନିନିକୋଭ୍‌ ଆଗ୍ନେୟଗିରିରେ ଦୀର୍ଘ ୬୦୦ ବର୍ଷ ପରେ ପ୍ରଥମ ଥର ପାଇଁ ଉଦ୍‌ଗୀରଣ ହୋଇଛି । ଦେଶର ଏମର୍ଜେନ୍ସି ମନ୍ତ୍ରଣାଳୟ ରବିବାର ଏହି ସୂଚନା ଦେଇଛି । ସେଥିରେ କୁହାଯାଇଛି ଯେ, ୧୮୫୬ ମିଟର ଉଚ୍ଚ କ୍ରାଶେନିନିକୋଭ୍‌ ଆଗ୍ନେୟଗିରିରେ ସ୍ଥାନୀୟ ସମୟ ଭୋର୍‌ ୨.୫୦ରେ ଉଦ୍‌ଗୀରଣ ଆରମ୍ଭ ହୋଇଥିଲା । ଏହାପରେ ସମୁଦ୍ର ପତ୍ତନଠାରୁ ପ୍ରାୟ ୬ କିମି ଉଚ୍ଚତା ଯାଏ ପାଉଁଶ ପରିବ୍ୟାପ୍ତ ହୋଇଯାଇଥିଲା । ସେହି ପାଉଁଶ ପୂର୍ବଦିଗରେ ପ୍ରଶାନ୍ତ ମହାସାଗର ଅଭିମୁଖେ ମୁହାଁଇଛି । 

ସେହିପରି ଆଗ୍ନେୟଗିରି ଉଦ୍‌ଗୀରଣ ଯୋଗୁ ସେହି ଅଞ୍ଚଳରେ ବାୟୁସୀମାକୁ ବନ୍ଦ କରାଯାଇଛି । ବୈଜ୍ଞାନିକମାନେ ୪ ଦିନ ପୂର୍ବରୁ କାମଚଟ୍‌କାରେ ଆସିଥିବା ୮.୮ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁ ଏହି ଉଦ୍‌ଗୀରଣ ହୋଇଥିବା ମନେ କରୁଛନ୍ତି । ସେହି ଭୂକମ୍ପ ଯୋଗୁ ସୁନାମୀ ଆଲର୍ଟ ମଧ୍ୟ ଜାରି କରାଯାଇଥିଲା । କ୍ରାଶେନିନିକୋଭ୍‌ ଆଗ୍ନେୟଗିରି କାମଚଟ୍‌କା ଉପଦ୍ୱୀପର ପୂର୍ବ ଉପକୂଳରେ କ୍ରୋନୋତ୍ସକି ନେଚର ରିଜର୍ଭରେ ରହିଛି । ସେଠାରେ ଶେଷଥର ଲାଗି ୧୪୬୩ରେ ଉଦ୍‌ଗୀରଣ ହୋଇଥିଲା । ସେବେଠାରୁ ତାହା ନିଷ୍କ୍ରିୟ ରହିଥିଲା । ଦେଶର ଏମର୍ଜେନ୍ସି ମନ୍ତ୍ରଣାଳୟ ଏହାକୁ ‘ଅରେଞ୍ଜ ଆଭିଏସନ୍‌ କୋଡ୍‌’ ଦେଇଛି । ଅର୍ଥାତ୍‌ ବିମାନଗୁଡି଼କ ଲାଗି ଏହା ବିପଦ । ସେହିପରି ଆଗ୍ନେୟଗିରି ନିକଟକୁ ନ ଯିବାକୁ ମନ୍ତ୍ରଣାଳୟ ଲୋକଙ୍କୁ ପରାମର୍ଶ ଦେଇଛି । ଏହାପୂର୍ବରୁ ବୁଧବାର କାମଚଟ୍‌କା ଉପଦ୍ୱୀପରେ ଥିବା ଅନ୍ୟ ଏକ ଆଗ୍ନେୟଗିରି କ୍ଲୁଚେସ୍କୋୟ ସୋପକାରେ ଉଦ୍‌ଗୀରଣ ହୋଇଥିଲା ।