ମୁମ୍ୱାଇ,୦୪/୦୧: ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ଭଉଣୀ ନୁପୁର ସାନନଙ୍କୁ ମିଳିଲା ମନର ସାଥୀ । ଇନଷ୍ଟାଗ୍ରାମରେ ଏହି ଖୁସି ଖବର ସେୟାର କରିଛନ୍ତି ନୁପୁର । ଯେଉଁଥିରେ ଷ୍ଟେବିନଙ୍କ ରୋମାଣ୍ଟିକ ପ୍ରସ୍ତାବର ସୁନ୍ଦର ଫଟୋ ସେୟାର ହୋଇଛି । ଖୁବଶୀଘ୍ର ସେ ଗାୟକ ଷ୍ଟେବିନ ବେନଙ୍କ ସହ ବିବାହ କରିବେ । ଏନେଇ ଉଭୟଙ୍କ ଗତକାଲି ନିର୍ବନ୍ଧ ସରିଛି । ରିପୋର୍ଟ ଅନୁସାରେ, ଏହି ଦମ୍ପତି ଜାନୁଆରୀ ୧୧ରେ ଉଦୟପୁରରେ ବିବାହ କରିବେ ବୋଲି କୁହାଯାଉଛି ।

ଜାନୁଆରୀ ୪ରେ, ନୁପୁର ସାନନ ଷ୍ଟେବିନ ବେନଙ୍କ ରୋମାଣ୍ଟିକ୍ ପ୍ରପୋଜାଲର ଅନେକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହା ସେ ସେମାନଙ୍କ ଛୁଟି ସମୟରେ ଏକ ୟାଟରେ କରିଥିଲେ । ପ୍ରଥମ ଫଟୋରେ, ଷ୍ଟେବିନ୍ ବେନ୍ ଗୋଟିଏ ଆଣ୍ଠୁରେ ନୁପୁରଙ୍କୁ ପ୍ରପୋଜ କରୁଥିବା ନଜର ଆସିଛନ୍ତି । ଅନ୍ୟମାନେ ପ୍ଲାକାର୍ଡ ଧରିଛନ୍ତି ଯାହା ଉପରେ ଲେଖା ଅଛି, "ତୁମେ ମୋତେ ବିବାହ କରିବ?" ଦ୍ୱିତୀୟରେ, ନୁପୁର ତାଙ୍କର ହୀରା ମୁଦି ଦେଖାଇଛନ୍ତି । ଅନ୍ୟ ଏକ ଫଟୋରେ ଉଭୟ ପରସ୍ପରକୁ ଆଲିଙ୍ଗନ କରୁଥିବା ନଜର ଆସିଛନ୍ତି । ଅନ୍ୟ ଏକ ଫଟୋରେ କ୍ରିତି ସାନନ୍ ସେମାନଙ୍କୁ ଆଲିଙ୍ଗନ କରୁଥିବା ଦେଖାଯାଉଛି, ଯଦିଓ ତାଙ୍କ ମୁହଁ ସ୍ପଷ୍ଟ ଭାବରେ ଦେଖାଯାଉନାହିଁ ।

ଫଟୋଗୁଡ଼ିକୁ ସେୟାର କରି, ନୁପୁର ସାନନ୍ ଲେଖିଛନ୍ତି, "ସମ୍ଭାବନାରେ ପରିପୂର୍ଣ୍ଣ ଏକ ଦୁନିଆରେ, ମୋ ପାଖରେ 'ହଁ' କହିବାର ସବୁଠାରୁ ସହଜ ସୁଯୋଗ ଥିଲା ।" ଏହି ପୋଷ୍ଟ ସେୟାର ହେବା ମାତ୍ରେ ସମସ୍ତେ ଏହି କପଲଙ୍କୁ ଶୁଭକାମନା ଜଣାଇଛନ୍ତି । ପ୍ରକାଶ ଥାଉକି, ନୁପୁର ଏବଂ ଷ୍ଟେବିନ୍ ବେନ୍ ୨୦୨୩ ମସିହାରୁ ସମ୍ପର୍କରେ ଥିବା ଚର୍ଚ୍ଚା ହେଉଛି । ଦୁହେଁ ପ୍ରାୟତଃ ଏକାଠି ନଜର ଆସିଥାନ୍ତି ଓ ଫଟୋ ସେୟାର କରିଥାନ୍ତି । ରିପୋର୍ଟ ଅନୁଯାୟୀ, ନୁପୁର ସାନନ୍ ଏବଂ ଷ୍ଟେବିନ୍ ବେନ୍ଙ୍କ ବିବାହ ଜାନୁଆରୀ ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ହେବ, ମୁଖ୍ୟ କାର୍ଯ୍ୟକ୍ରମ ଜାନୁଆରୀ ୧୧ ତାରିଖରେ ହେବ । ନୁପୁର ଏବଂ ଷ୍ଟେବିନ୍ ବିବାହକୁ ସିକ୍ରେଟ କରିବାକୁ ଚାହୁଁଛନ୍ତି । ବିବାହ ଉତ୍ସବ ଉଦୟପୁରରେ ଅନୁଷ୍ଠିତ ହେବା ବେଳେ, ଦମ୍ପତି ଜାନୁଆରୀ ୧୩ତାରିଖରେ ମୁମ୍ବାଇରେ ଏକ ପୃଥକ ରିସେପ୍ସନ ଆୟୋଜନ କରିବାକୁ ଯୋଜନା କରୁଛନ୍ତି।