ନୂଆଦିଲ୍ଳୀ,୧୫।୭: ତାମିଲନାଡୁ ସ୍ଥିତ ଦେଶର ସବୁଠାରୁ ବଡ କୁଡୁନକୁଲମ ନ୍ୟୁକ୍ଲିଅର ପାଓ୍ବାର ପ୍ଲାଣ୍ଟର ସବୁଠାରୁ ସମ୍ବେଦନଶୀଳ ଡାଟା ଲିକ୍ ହୋଇଯାଇଛି। ‘ଓ୍ବାର୍ଲ୍ଡ ଲିକ୍ସ’ ନାମକ ଦୁଇଟି ହ୍ୟାକର ଗ୍ରୁପ୍ ଏହି ପାଓ୍ବାର ପ୍ଲାଣ୍ଟର ସୂଚନା ପୋଷ୍ଟ କରିଛି। ଏଥିରେ ପ୍ଲାଣ୍ଟର କିଛି ଅଂଶର ବ୍ଲୁପ୍ରିଣ୍ଟ, ସପ୍ଳାୟର୍ସର ସୂଚନା, ମିଟିଂ ଓ ଇନ୍ସପେକ୍ସନ ରେକର୍ଡ, ଉପକରଣ ରିଭ୍ୟୁ ଓ ଇନସ୍ୟୁରାନ୍ସ ପଲିସି ସମ୍ପର୍କି ପ୍ରାୟ ୧୯,୦୦ ଜରୁରୀରୁ ଅଧିକ ଜରୁରୀ ଦସ୍ତାବିଜର ଡିଟେଲ୍ସ ରହିଛି। ‘ଓ୍ବାର୍ଲ୍ଡ ଲିକ୍ସ’ ହ୍ୟାକର ଗ୍ରୁପ୍ ଦାବି କରିଛି ଯେ, ଏହି ଦସ୍ତାବିଜ ଅନିଲ ଅମ୍ବାନୀଙ୍କ ‘ରିଲାୟନ୍ସ’ ଗ୍ରୁପ୍ର ରହିଛି, ଯାହାକି ଏହି ପ୍ଲାଣ୍ଟରେ କନଟ୍ରାକ୍ଟର ରୂପରେ କାମ କରେ।
ସରକାରଙ୍କୁ ସୂଚନା ଦେଲା ରିଲାୟନ୍ସ ଗ୍ରୁପ୍
ତାମିଲନାଡୁ ସ୍ଥିତ କୁଡନକୁଲମ୍ ନ୍ୟୁକ୍ଲିଅର ପାଓ୍ବାର ପ୍ଲାଣ୍ଟ ଭାରତର ୭ ପରମାଣୁ ୟୁନିଟ୍ ଭିତରୁ ସବୁଠାରୁ ବଡ। ରଏଟର୍ସର ରିପୋର୍ଟ ଅନୁସାରେ, ଅନିଲ ଅମ୍ବାନୀଙ୍କ ରିଲାୟନ୍ସ ଗ୍ରୁପ୍ କହିଛି ଯେ, ଏହାର ଡାଟାରେ ଆଶିଂକ ଲିକ୍ ହୋଇଛି। କମ୍ପାନୀ କହିଛି ଏହି ଡାଟା ଥାର୍ଡ ପାର୍ଟି ଡାଟା ସେଣ୍ଟର ସର୍ଭିସ ପ୍ରୋଭାଇଡର ‘ୟୋଟ୍ଟା’ର ସର୍ଭରରେ ହୋଷ୍ଟ ଥିଲା। ରିଲାୟନ୍ସ ଏହି ଘଟଣାର ସୂଚନା ଭାରତ ସରକାରଙ୍କୁ ଦେଇଛି। ତେବେ କମ୍ପାନୀ ଏହା କହି ନାହିଁ ଯେ, କେଉଁ ଭଳି ଡାଟା ଚୋରି ହୋଇଛି। ପରମାଣୁ ସୁରକ୍ଷା ସମ୍ପର୍କିତ ମାମଲାରେ ସରକାରଙ୍କୁ ପରାମର୍ଶ ଦେବା ଓ ଦେଶର ପ୍ରସ୍ତୁତିର ଆକଳନ କରୁଥିବା ସଂସ୍ଥା ‘ନ୍ୟୁକ୍ଳିଅର ଥ୍ରେଟ୍’ ଇନିଶିଏଟିଭ ସିନିୟର ଡାଇରେକ୍ଟର ନିକୋଲାସ୍ ରୋଥ୍ କହିଛନ୍ତି, ଡାଟା ଲିକ୍ ଦ୍ବାରା ପ୍ଳାଣ୍ଟର ସୁରକ୍ଷା ପ୍ରତି ଗମ୍ଭୀର ବିପଦ ହୋଇପାରେ। ଏଭଳି ଘଟଣା କମ୍ପାନୀ ଉପରେ ସୁରକ୍ଷା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଲିକ୍ ହୋଇଛି ସବୁଠାରୁ ସମ୍ବେଦନଶୀଳ ୧୯ ହଜାର ଫାଇଲ୍
ରଏଟର୍ସର ସୂଚନା ଅନୁସାରେ, ସେ ଲିକ୍ ହୋଇଥିବା ଦସ୍ତାବିଜର ଯାଞ୍ଚ କରିଛି। ଯାହାକି ୨୦୧୬ ରୁ ୨୦୨୫ ମଧ୍ୟରେ ରହିଛି। ତେବେ ନ୍ୟୁଜ ଏଜେନ୍ସି ରଏଟର୍ସ ଏହି ଫାଇଲ ଅସଲି କି ନାହିଁ ତାହା ସ୍ପଷ୍ଟ କରିନି। ଓ୍ବାର୍ଲ୍ଡ ଲିକ୍ସ ଓ୍ବେବସାଇଟ୍ରେ ଥିବା ରିଲାୟନ୍ସର ମୋଟ ୮୫୮,୦୦୦ ଭିତରୁ ୧୯ ହଜାର ଫାଇଲ ସବୁଠାରୁ ସମ୍ବେଦନଶୀଳ ଓ ସିକ୍ରେଟ ଲାଗୁଛି। ରିଲାୟନ୍ସ ଗ୍ରୁପ କମ୍ପାନୀ ରିଲାୟନ୍ସ ଇନଫ୍ରାଷ୍ଟ୍ରକଚରକୁ ୨୦୧୮ ରେ କୁଡନକୁଲମ୍ ପ୍ଲାଣ୍ଟର ୟୁନିଟ୍ ୩ ଓ ୟୁନିଟ୍ ୪ର ଡିଜାଇନ୍ ଓ କନଷ୍ଟ୍ରକସନ୍ କନଟ୍ରାକ୍ଟ ମିଳିଥିଲା। ବର୍ତ୍ତମାନ ଏହାର ଦୁଇଟି ୟୁନିଟ୍ ତିଆରି ଚାଲିଛି ଓ ୨୦୨୭ ପର୍ଯ୍ୟନ୍ତ ଏହାକୁ ଚାଲୁ ହେବାର ଆଶା ରହିଛି। ଚାଲୁ ହେବାପରେ ଏଥିରେ ମୋଟ ୨୦୦୦ ମେଗାଓ୍ବାଟ ବିଜୁଳି ଉତ୍ପାଦନ ହେବ।
‘ଓ୍ବାର୍ଲ୍ଡ ଲିକ୍ସ’ ଗ୍ରୁପ୍ କିଏ ?
ଏହି ହ୍ୟାକର ଗ୍ରୁପ୍ର ମୁଖ୍ୟ କାମ କମ୍ପାନୀର ଡାଟା ଚୋରାଇ ଟଙ୍କା ଆଦାୟ କରିବା। ଯଦି ଏହି ଟଙ୍କା ଦିଆନଯାଏ ତେବେ ଏହାର ଡାଟାକୁ ଡାର୍କ ଓ୍ବେବ୍ ରେ ସାର୍ବଜନୀନ କରିଦେଇଥାଏ। ଏହା ପୂର୍ବରୁ ଏହି ଗ୍ରୁପ୍ ନାଇକ୍ ଓ ଭାରତର ଟାଟା ଗ୍ରୁପକୁ ମଧ୍ୟ ଟାର୍ଗେଟ କରିଥିଲା। ଏହି ଗ୍ରୁପ୍ ଜୁନ୍ରେ ଟାଟା ଗ୍ରୁପ୍ର ଡାଟା ଲିକ୍ କରିଥିଲା, ଯେଉଁଥିରେ ଆପଲ ଓ ଟେସଲା ଭଳି ବଡ ବ୍ରାଣ୍ଡର କନଫିଡେନ୍ସିଆଲ କମ୍ପୋନେଟ୍ ଡିଜାଇନ୍ ସାମିଲ ଥିଲା। ସେତେବେଳେ ହ୍ୟାକର୍ସ ୧୫ ଲକ୍ଷ ଡଲାର ମାଗିଥିଲେ। କମ୍ପାନୀ ଟଙ୍କା ଦେବାକୁ ମନା କରି ଦେଇଥିବାରୁ ଡାଟା ଲିକ୍ କରି ଦିଆଯାଇଥିଲା।
ଆହୁରି ପଢନ୍ତୁ : ଘରୋଇ ରାସନ ଭଳି ତୁରନ୍ତ ମିଳିବ LPG ସିଲିଣ୍ଡର, ଇନଷ୍ଟାମାର୍ଟ ଆଣିଲା ଅନ୍-ଡିମାଣ୍ଡ ଡେଲିଭରି ସେବା !