ଭୁବନେଶ୍ୱର,୧୭/୧୧: ହଜାରେ କି ୨ହଜାର ବର୍ଗଫୁଟ୍‌ ନୁହେଁ । କୋଳଥିଆ ମୌଜାର ଜୟଦେବ ବାଟିକା ସାମ୍ନା ଖଣ୍ଡଗିରି ବାରି ବସ୍ତିରେ ଏକାବେଳକେ ଅଧ ଏକର ସରକାରୀ ଜମିକୁ ମାଡି ବସିଛନ୍ତି । ଗୋଟିଏ ଛୋଟିଆ କୁଟୀରରୁ ଆଶ୍ରମର କାୟା ଧୀରେ ଧୀରେ ଖେଦି ଚାଲିଛି। ରାଜଧାନୀ ଛାତିରେ ସରକାରୀ ଜାଗାରେ ବିରାଟ ସାମ୍ରାଜ୍ୟ ଛିଡ଼ା ହୋଇଛି ।  

କୁନି ସାରଥୀର ପାଦ ତଳେ ତୁଳସୀ ପତ୍ର  ପ୍ରସଙ୍ଗକୁ ନେଇ ଚାରିଆଡ଼େ ଚର୍ଚ୍ଚ ଚାଲିଥିବା  ବେଳେ ଏଭଳି ସାଂଘାତିକ ଅଭିଯୋଗ ଉଠିଛି । ରାଜ୍ୟ ସମାଜସେବୀ ମହାସଂଘ ସଭାପତି  ନାରାୟଣ ସାହୁ ସରକାରୀ ଜାଗାରେ ଆଶ୍ରମ  ନାଁରେ ଭଣ୍ଡାମି ଚାଲିଥିବା ଅଭିଯୋଗ ବାଢ଼ିଛନ୍ତି । ଏଭଳି ଅଭିଯୋଗ ପରେ ବିଏମ୍‌ସି ଓ ବିଡିଏ ତତ୍ପର ହୋଇଛି । ଆସନ୍ତା ସୋମବାର ସାଧାରଣ  ପ୍ରଶାସନର ଏକ ଦଳ ଆଶ୍ରମକୁ ଯାଇ ଜମି ପଟ୍ଟା ଯାଞ୍ଚ କରିବ ବୋଲି ସୂଚନା ମିଳିଛି ।  

ଶ୍ରୀ ବୈକୁଣ୍ଠ ଧାମ ଆଶ୍ରମରେ ଶନିବାର  ଦିନତମାମ ଉତ୍ତେଜନା ଲାଗିରହିଥିଲା । ସ୍ଥାନୀୟ ବାସିନ୍ଦାମାନେ ଘୋର ବିରୋଧ କରିଥିଲେ । ସ୍ଥାନୀୟ ବାସିନ୍ଦା ଶିବ ସୁନ୍ଦର ସ୍ୱାଇଁ ଅଭିଯୋଗ  କରିଛନ୍ତି, ଧର୍ମ ନାଁରେ ଲୋକଙ୍କୁ ମିଛ ଗପ ଶୁଣାଇ ଭୟଭୀତ କରାଯାଉଛି । ପିଲାଟିକୁ ପାଠ ପଢ଼ାଇବା ବଦଳରେ ଏଭଳି ଡ୍ରାମାବାଜି ଧାର୍ମିକ ଭାବନାକୁ ଆଘାତ ଦେଉଛି । ଶନିବାର ପୂର୍ବାହ୍ଣରେ  ଆଶ୍ରମରେ ଭରତପୁର ଥାନାର ପୁଲିସ ଟିମ୍‌  ପହଞ୍ଚି ତନାଘନା କରିଥିଲା । 

ପୁଲିସ ତଥ୍ୟ  ମୁତାବକ, ଭାଷ୍ୟକାର କାଶୀନାଥ ମିଶ୍ର ବର୍ତ୍ତମାନ କୋଲକାତାରେ ରହୁଛନ୍ତି । କଳକୀଙ୍କ ଅବତାର ଦର୍ଶାଯାଉଥିବା ତାଙ୍କ ପୁଅ ସତୀଶ ଚନ୍ଦ୍ର ମିଶ୍ରଙ୍କ ଦେଖାଦର୍ଶନ ମିଳିନାହିଁ । ଭାଇରାଲ ହେଉଥିବା  ଫଟୋଟି ୧୦ ବର୍ଷର ପୁରୁଣା । ଆଶ୍ରମରେ କୌଣସି ଅନୈତିକ କାମ ଚାଲିଛି କି ନାହିଁ,  ପୁଲିସ ଖୋଳତାଡ଼ କରୁଛି । ଫଟୋଚିତ୍ରକୁ କିଏ  ଭାଇରାଲ କଲା? ସେନେଇ ଆଶ୍ରମ ପକ୍ଷରୁ ସାଇବର ଥାନାରେ ଏକ ଏତଲା ଦିଆଯାଇଛି ।  

ଆଶ୍ରମ ଟ୍ରଷ୍ଟିଙ୍କ ଅଜବ ଯୁକ୍ତି  

ସୁଧର୍ମା ମହାସଭା ସଭାପତି ତଥା ଆଶ୍ରମ ଟ୍ରଷ୍ଟି ପାଣ୍ଡବ କୁମାର ପରିଡ଼ା ଏନେଇ ଅଜବ ଯୁକ୍ତି ବାଢ଼ିଛନ୍ତି । ସେ କହିଛନ୍ତି, ସୁଧର୍ମା ମହାସଭା ଅର୍ଥ ହେଉଛି ଦେବତାମାନଙ୍କ ମହାସଭା । ଆମେ  ବର୍ଷ ବର୍ଷ ଧରି ମାଳିକା ଉପରେ ଗବେଷଣା  କରୁଛୁ । ଆମ ପ୍ରଭୁଙ୍କୁ ଯେତେବେଳେ ୪ ବର୍ଷ ହୋଇଥିଲା, ଖୋଦ୍‌ ମୋତେ ଶୂନ୍ୟବାଣୀ  ହୋଇଥିଲା । ମହାପ୍ରଭୁ ଯାଜପୁରରେ ଭାଷ୍ୟାକାର  କାଶୀନାଥ ମିଶ୍ରଙ୍କ ଘରେ ଜନ୍ମ ନେଇଥିଲେ ।  ସେଠୁ ଆସି ଗୁପ୍ତ ଖଣ୍ଡଗିରିରେ ବାସ କରୁଛନ୍ତି ।  ମାଳିକା ଅନୁସାରେ ୨୦୦୫ରେ ହିଁ ପ୍ରଭୁ ଜନ୍ମ  ନେଇଛନ୍ତି । 

ଶାସ୍ତ୍ରରେ ଯାହା ଲେଖାଯାଇଛି, ତାହା  ସବୁ ଘଟିଚାଲିଛି । ଦିନେ ସମୁଦ୍ର ଦେବତା ୪୦  ଫୁଟ୍‌ ଦୂରରେ ଥିଲେ । ପ୍ରଭୁଙ୍କ ଇଛାକ୍ରମେ ସମୁଦ୍ର  ଆମ ପଦକୁ ଛୁଇଁଲେ । ସାରା ବିଶ୍ୱରୁ ଶହ  ଶହ ଭକ୍ତ ଆଶ୍ରମକୁ ଆସୁଛନ୍ତି । ଏହି ଆଶ୍ରମ  ଭିତରକୁ ପାନ ବିଡି଼ ମଦ ମାଂସ ଖାଉଥିବା  ଲୋକଙ୍କ ପ୍ରବେଶରେ ରୋକ ଲାଗିଛି । ଏବେ  ଯେଉଁ ଫଟୋକୁ ନେଇ ବିବାଦ ହେଉଛି, ତାହା  ପ୍ରାୟ ୧୦ ବର୍ଷ ତଳର । କିଏ ଭାଇରାଲ କଲା,  ତାହା ଜଣା ନାହିଁ । ବର୍ତ୍ତମାନ ତାଙ୍କ ପାଦରେ  ନୁହେଁ ବରଂ ମୁଣ୍ଡରେ ତୁଳସୀ ଲାଗି ହେଉଛି ।  ଭଗବାନଙ୍କୁ ସହିପାରୁନଥିବା କିଛି ଦୁଷ୍ଟ ବ୍ୟକ୍ତି  ତାଙ୍କୁ ବିରୋଧ କରୁଛନ୍ତି । 

କେଟିଏମ୍‌ ଚଢ଼ୁଛନ୍ତି  ‘କଳ୍‌କୀଙ୍କ ଅବତାର’  ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ,  ସେମାନେ ୧୦ରୁ ୧୨ ବର୍ଷ ଧରି କୁନି ପିଲାକୁ ଦେଖି ଆସୁଛନ୍ତି । ବର୍ତ୍ତମାନ ସେ ଯୁବକ ହୋଇଗଲାଣି । ଇନ୍‌ଫୋସିଟି ଅଞ୍ଚଳର ଏକ  ଘରୋଇ କଲେଜରେ ପଢ଼ୁଛି । ସେ କାନ୍ଧରେ  ପାଠପଢ଼ା ବ୍ୟାଗ୍‌ ପକାଇ ଏକ ଦ୍ରୁତଗାମୀ ବାଇକ୍‌ (କେଟିଏମ୍‌)ରେ ସହର ଘୁରି ବୁଲୁଛି । 

ଟଙ୍କା ନେଣଦେଣ ପାଇଁ  ଭକ୍ତଙ୍କ ଆକାଉଣ୍ଟ ଏହି ଆଶ୍ରମରେ ପାଖାପାଖି ୫୦ଜଣ ସଦସ୍ୟ  କାମ କରୁଛନ୍ତି । ଅଧିକାଂଶ ମହିଳା ଓ ଯୁବତୀ ।  ଟଙ୍କା ନେଣଦେଣ ପାଇଁ ଭକ୍ତମାନଙ୍କ ଆକାଉଣ୍ଟ  ବ୍ୟବହାର ହେଉଛି । ଫଳରେ କୋଟି କୋଟି  ଟଙ୍କାର ନେଣଦେଣ ସହଜରେ ହେଉଥିବା  ପୁଲିସ ହାତରେ ପ୍ରମାଣ ଲାଗିଛି ।  

ମାସିକିଆ ବୁକ୍‌ ହେଉଥିଲା ଓୟୋ 

ଆଶ୍ରମଠୁ କେଇ ମିଟର ଦୂରରେ ଥିବା  ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ଏକ ଓୟୋ  ହୋଟେଲ ରହିଛି । ଉକ୍ତ ହୋଟେଲର ସବୁ  ରୁମ୍‌କୁ ଆଶ୍ରମ ପକ୍ଷରୁ ବର୍ଷ ବର୍ଷ ଧରି ମାସିକିଆ  ବୁକ୍‌ କରାଯାଉଛି । ଆଶ୍ରମକୁ ଆସୁଥିବା ଅତିଥି  ଓ ଭକ୍ତଗଣ ସେଠାରେ ରହୁଛନ୍ତି । ଭକ୍ତଙ୍କଠୁ  ମିଳୁଥିବା ଅର୍ଥରେ ଉକ୍ତ ବସ୍ତିରେ ଏକ ୩ ମହଲା  ଆଲିସାନ କୋଠା ମଧ୍ୟ ନିର୍ମାଣ ହୋଇଛି ।