ପୁରୀ, ୨୫/୧୧ : ମାର୍ଗଶୀର ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିକୁ କୁରାଳ ପଞ୍ଚମୀ ରୂପେ ପାଳନ କରାଯାଏ। ଏହା କୁମ୍ଭକାରମାନଙ୍କର ଏକ ବଡ଼ ପର୍ବ। କୁରାଳ ପଞ୍ଚମୀ ଠାରୁ ନବମୀ ପର୍ଯ୍ୟନ୍ତ ଏହି ପାଞ୍ଚ ଦିନିଆ ପର୍ବରେ କୁମ୍ଭକାରମାନେ ରୁଦ୍ରପାଳ ଓ ରତ୍ନେଶ୍ଵରୀଙ୍କୁ ପୂଜା କରିବା ସହ ସେମାନେ ବ୍ୟବହାର କରୁଥିବା ସମସ୍ତ ସରଞ୍ଜାମକୁ ମଧ୍ୟ ପୂଜା କରନ୍ତି। ଏହି ପାଞ୍ଚ ଦିନ କୌଣସି କାମ ହୋଇ ନଥାଏ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା ଥିବା କୁମ୍ଭକାରମାନେ କୁମ୍ଭାରପଡ଼ା ଠାରେ ରୁହନ୍ତି। ସେମାନେ ମଧ୍ୟ କୁରାଳ ପଞ୍ଚମୀକୁ ବଡ଼ ଧୁମଧାମରେ ପାଳନ କରନ୍ତି। ଶ୍ରୀମନ୍ଦିରକୁ କୁଡୁଆ ଇତ୍ୟାଦି ସମସ୍ତ ମାଟି ପାତ୍ର କୁମ୍ଭକାର ନିଯୋଗ ଯୋଗାଇଥାଏ। ଦୈନନ୍ଦିନ ବ୍ୟବହାର ହେଉଥିବା କୁଡୁଆ ଦ୍ଵିତୀୟ ଥର ବ୍ୟବହାର ହୁଏ ନାହିଁ। କୁଡୁଆ କାହିଁକି, ବରଂ ମହାପ୍ରଭୁଙ୍କ ପାଇଁ ବ୍ୟବହାର ହେଉଥିବା ସମସ୍ତ ମାଟିପାତ୍ର ଥରେ ମାତ୍ର ବ୍ୟବହାର ହେଇଥାଏ। ତେଣୁ ଶ୍ରୀମନ୍ଦିରରେ ବହୁ ମାତ୍ରାରେ ମାଟିପାତ୍ରର ଆବଶ୍ୟକତା ପଡ଼ିଥାଏ ଓ କୁମ୍ଭକାର ନିଯୋଗ ଏହି ସମସ୍ତ ଆବଶ୍ୟକତାକୁ ପୂରଣ କରିଥାଏ।
ଲୋକକଥା ଅନୁଯାୟୀ, କୁମ୍ଭକାରମାନେ ବିଷ୍ଣୁଙ୍କର ଅଂଶ ରୁଦ୍ରପାଳ ଓ ବ୍ରହ୍ମାଙ୍କ ଝିଅ ରତ୍ନେଶ୍ଵରୀଙ୍କ ଠାରୁ ଜାତ ହୋଇଛନ୍ତି। ସଂସାରକୁ ରନ୍ଧନ ପାତ୍ର ଯୋଗାଉଥିବା ଏହି କୁମ୍ଭକାରମାନଙ୍କୁ ବିଷ୍ଣୁ ତାଙ୍କର ଚାରୋଟି ଆୟୁଧ ଶଙ୍ଖ, ଚକ୍ର ,ଗଦା ଓ ପଦ୍ମ ଦେଇଥିଲେ। ତେଣୁ କୁମ୍ଭକାରମାନେ ଏହି ଚାରୋଟି ଆୟୁଧ ସହ ସେମାନେ ବ୍ୟବହାର କରୁଥିବା ଭାଟିକୁ ମଧ୍ୟ ଏହି ପାଞ୍ଚ ଦିନ ପୂଜା କରନ୍ତି।
କୁରାଳ ପଞ୍ଚମୀର ବହୁ ପୂର୍ବରୁ ରୁଦ୍ର ପାଳ ଓ ରତ୍ନେଶ୍ଵରୀ (ବିଷ୍ଣୁ ଓ ମହାଲକ୍ଷ୍ମୀ)ଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ ଆରମ୍ଭ ହୋଇଯାଏ। ଯେଉଁମାନେ ଏହି ଦୁଇଟି ମୂର୍ତ୍ତି କରିପାରନ୍ତି ନାହିଁ ସେମାନେ ଗଣେଶଙ୍କର ଛୋଟ ମୂର୍ତ୍ତିକୁ ମଧ୍ୟ ପୂଜା କରନ୍ତି। ଗୋଟିଏ ଦିନ ଆଗରୁ ସେମାନେ ବ୍ୟବହାର କରୁଥିବା ଚକ (ସୁରସେନ ଚକ) ଓ ଉଆ (ଭାଟି)କୁ ସଫା କରି ଦିଅନ୍ତି। ଭାଟିକୁ ଗୋବର ଓ ବନମାଟି ଲିପି ଦିଅନ୍ତି। କୁରାଳ ପଞ୍ଚମୀ ଦିନ ଭୋରରୁ ଭାଟି, ଚକ ଓ ଘରେ ଚିତା ପକାଇ ଦିଅନ୍ତି। ପ୍ରଥମ ଦିନ ବ୍ରାହ୍ମଣ ଆସି ପୂଜା, ହୋମ ସହ ଠାକୁରଙ୍କ ମୂର୍ତ୍ତି ଓ ସମସ୍ତ ଉପକରଣକୁ ପୂଜା କରିଥାନ୍ତି। ପୂଜା ସରିବା ପର୍ଯ୍ୟନ୍ତ ସମସ୍ତେ ନିଷ୍ଠାର ସହ ଉପବାସ କରିଥାଆନ୍ତି। ପ୍ରଥମ ଦିନ (କୁରାଳ ପଞ୍ଚମୀ) ଅରୁଆ ଅନ୍ନ, ଡାଲମା, ଶାଗ ଇତ୍ୟାଦି ରନ୍ଧା ଯାଇ ଭୋଗ ହୋଇଥାଏ।
ଦ୍ଵିତୀୟ ଦିନ ( ଓଢଣ ଷଷ୍ଠୀ)ରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଘୋଡଲାଗି ହେବା ସହ କୁମ୍ଭକାରମାନେ ଚକ, ଭାଟି ଓ ବିଭିନ୍ନ ସରଞ୍ଜାମକୁ ନୂଆ ଲୁଗାରେ ଘୋଡାଇ ଦିଅନ୍ତି। ଏହି ଦିନ ଘରେ ସମସ୍ତେ ନୂଆ ପିନ୍ଧନ୍ତି। ବିଭିନ୍ନ ପ୍ରକାର ପିଠାପଣା ହୋଇ ଭୋଗ ହୁଏ। ତୃତୀୟ ଦିନରେ ଖେଚେଡ଼ି ଓ ଚତୁର୍ଥ ଦିନରେ ଦହି ପଖାଳ ଭୋଗ ହୋଇଥାଏ। ପଞ୍ଚମ ଦିନରେ ଚକୁଳି,ଖୀରି ଭୋଗ କରି ଠାକୁରଙ୍କୁ ବିସର୍ଜନ କରିଥାଆନ୍ତି। ପୂଜା ବିଧି ଅନୁସାରେ ଏହି ପାଞ୍ଚ ଦିନ କୁମ୍ଭକାରମାନେ କାହା ଘରକୁ ଯାଆନ୍ତି ନାହିଁ କି କାହା ଘରେ ଖାଆନ୍ତି ନାହିଁ। ଶ୍ରୀମନ୍ଦିରର ଅନ୍ୟ ସେବାୟତମାନେ ଅନ୍ୟ କାହା ଘରେ ନଖାଇଲେ ମଧ୍ୟ ଏହି ପାଞ୍ଚ ଦିନ କୁମ୍ଭକାରଙ୍କ ଘରେ ଭୋଗ ଖାଇଥାଆନ୍ତି। ଏହି ପୂଜା ବ୍ୟକ୍ତିଗତ ଭାବରେ ନିଜ ନିଜ ଘରେ ପାଳିତ ହେଉଥିଲେ ମଧ୍ୟ, ଭାଇମାନେ ଏକାଠି ହୋଇ ରୁଦ୍ରପାଳ ଓ ରତ୍ନେଶ୍ଵରୀଙ୍କୁ ସ୍ଥାପନା କରି ପୂଜା କରିଥାଆନ୍ତି। ଏହି ପାଞ୍ଚ ଦିନ ସମ୍ପୂର୍ଣ୍ଣ କୁମ୍ଭାରପଡ଼ା ଓ ଟିକରପଡ଼ା ଅଞ୍ଚଳ ସୁନ୍ଦର ଭାବରେ ସଜେଇ ହୋଇଯାଏ। ଶେଷ ଦିନ ମନ୍ତ୍ର ବିସର୍ଜନ ପରେ ସମସ୍ତେ ଏକାଠି ହୋଇ ମୂର୍ତ୍ତିମାନଙ୍କୁ ଜଳ ବିସର୍ଜନ ପାଇଁ ଅଠରନଳାକୁ ନେଇଯାଆନ୍ତି। କୁମ୍ଭକାରଙ୍କ ଠାକୁର ରୁଦ୍ରପାଳ ଓ ରତ୍ନେଶ୍ଵରୀ ଆଉ କେହି ନୁହନ୍ତି ବରଂ ବିଷ୍ଣୁ ଓ ମହାଲକ୍ଷ୍ମୀ।