ପାଟଣା, ୨୮/୦୫ : ଟିକେ ଖଟା ଟିକେ ମିଠା ଲାଗୁଥିବା କୁସୁମ କୋଳିର କେନ୍ଦୁଝର ଜିଲ୍ଲାରେ ସ୍ୱତନ୍ତ୍ର ଆଦର । ଛୁଆ ଠାରୁ ବୟସ୍କ ସମସ୍ତେ କୁସୁମ କୋଳି ଶଶ ଖାଇବାର ମଜା ନେଇଥାନ୍ତି । କୁସୁମ କୋଳିର ଶଶ ପାଟିକୁ ଟିକେ ଖଟା ଟିକେ ମିଠା ଲାଗୁ ଥିବାରୁ ଏହା ଶିଶୁ ଓ ଯୁବ ଗୋଷ୍ଠୀଙ୍କ ଅଧିକ ପ୍ରିୟ । ବିଶେଷ କରି ଏହି ଖରାଦିନେ ଜଙ୍ଗଲ ଅଞ୍ଚଳ ହେଉ କି ରାସ୍ତା କଡ ବିଭିନ୍ନ ସ୍ଥାନରେ କୁସୁମ ଗଛରେ ଫଳ ଧରେ । ପୂର୍ବରୁ କୁସୁମ କୋଳିକୁ କେହି ଗୁରୁତ୍ୱ ଦେଉ ନଥିବା ବେଳେ ଏବେ ଚାହିଦା ବଢିଛି । 

ଲୋକେ କୋଳିର ଶଶ ଖାଇବା ପରେ କୁସୁମ ମଞ୍ଜି ଗୁଡିକ ସାଇତି ରଖିଥାନ୍ତି । ତେବେ ଏହାର ମଞ୍ଜିର ଅନେକ ଗୁଣ ରହିଛି । ମଞ୍ଜିକୁ ଶୁଖାଇ ଏଥିରେ ତେଲ ପ୍ରସ୍ତୁତ କରାଯାଇଥାଏ । ପୂର୍ବରୁ ଏହି ମଞ୍ଜିକୁ ଘଣାରେ ପେଡି ପେସା ଯାଉଥିବା ବେଳେ ତୈଳିକ ସମ୍ପ୍ରଦାୟର ଏହି ବୃତ୍ତି ଛାଡି ଦେବାରୁ ଏବେ ଲୋକେ ମେସିନରେ କୁସୁମ ମଞ୍ଜିରୁ ତେଲ ବାହାର କରୁଛନ୍ତି । ଏପରିକି କୁସୁମ ତେଲ ଥଣ୍ଡା ରୋଗୀ ପାଦରେ ମାଲିସ କଲେ ଉପଶମ ମିଳିଥାଏ ବୋଲି କୁହାଯାଏ । ଏହି ତେଲକୁ ବ୍ୟଥା ନିବାରକ ଭାବେ ବ୍ୟବହାର କରି ସୁଫଳ ପାଇବା ଅନେକ ମତ ରଖିଛନ୍ତି । ମହୁଲ ଫଳ ଟୋଲରୁ ପ୍ରସ୍ତୁତ ତେଲ ଖାଦ୍ୟ ପ୍ରସ୍ତୁତିରେ କାମରେ ଆସୁଥିବା ବେଳେ କୁସୁମ ତେଲ ଚିକିତ୍ସା କ୍ଷେତ୍ରରେ କାମ ଦେଇଥାଏ । ବିଭିନ୍ନ କେମିକାଲ ସଂସ୍ଥା ସାବୁନ ଉତ୍ପାଦନ ଓ ଅନ୍ୟ କାମ ପାଇଁ ଉଭୟ କୁସୁମ ଓ ଟୋଲ ତେଲ ସଂଗ୍ରହ କରିଥାନ୍ତି । ଏହାର ଚାହିଦା ସବୁଦିନ ରହିଥିବା ବେଳେ କୁସୁମ ଓ ମହୁଲ ଗଛ ଲୋପ ପାଉଥିବା ଦେଖା ଯାଉଛି ।

ଆହୁରି ପଢନ୍ତୁ୭ ପ୍ରକାର ନଡ଼ିଆ ଉପରେ ଗବେଷଣା, ବିଦେଶରୁ ଆସିଛି ମଞ୍ଜି; ପ୍ରଥମେ ସାକ୍ଷୀଗୋପାଳରେ ଚାଷ, ସଫଳ ହେଲେ ଚାଷୀଙ୍କୁ ମିଳିବ