• ରଙ୍ଗୀନ ନଡ଼ିଆ ଚାଷ ଉପରେ ଗବେଷଣା କରିବ ଓୟୁଏଟି
  • ଫିଜି, ନାଇଜେରିଆ, ପପୁଆ ନ୍ୟୁଗୁଏନା, ପ. ଆଫ୍ରିକା, ଲାକ୍ଷାଦୀପରୁ ଆସିଛି ମଞ୍ଜି
  • ପ୍ରଥମ ଥର ପାଇଁ ସାକ୍ଷୀଗୋପଳ କେବିକେରେ ଦେଢ଼ ଏକର ଜମିରେ ଲଗାଯିବ
  • ଗବେଷଣା ସଫଳ ହେଲେ ସରକାରଙ୍କ ସହାୟତାରେ ଚାଷୀଙ୍କୁ ମିଳିବ

ଭୁବନେଶ୍ୱର,୨୮/୦୫: ଓଡ଼ିଶା ମାଟିରେ ଚାଷ ହେବ ବିଦେଶୀ ନଡ଼ିଆ । ଗାଢ଼ ସବୁଜ, ନାଲି, କମଳା ଆଦି ରଙ୍ଗର ପଇଡ଼ ଗଛରେ ଫଳିବ । ଗୋଟିଏ କି ଦୁଇଟି ନୁହେଁ ଭାରତ ସମେତ ନାଇଜେରିଆ, ଫିଜି, ପପୁଆ ନ୍ୟୁଗୁଏନା, ପଶ୍ଚିମ ଆଫ୍ରିକା, ଲାକ୍ଷାଦୀପରୁ ମଂଜି ଆସିଛି । ଏସବୁ ଗଛ ହେଉଛି ଡ୍ୱାର୍ଫ(ବାମନ) ପ୍ରଜାତିର । ସରକାରୀସ୍ତରରେ ପ୍ରଥମ ଥର ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ପକ୍ଷରୁ ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ଓୟୁଏଟି ଅନ୍ତର୍ଗତ ସାକ୍ଷୀଗୋପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର(କେଭିକେ)ରେ ବିଦେଶୀ ରଙ୍ଗୀନ ନଡ଼ିଆ ଉପରେ ପ୍ରଥମେ ଗବେଷଣା କରାଯିବ । ଏଥିପାଇଁ ମୋଟ ଦେଢ଼ ଏକର ଜମି ଚିହ୍ନଟ କରାଯାଇ ଗାତ ଖୋଳାଯାଇଛି । ବର୍ଷା ଆରମ୍ଭ ହେଲେ ମଂଜି ପୋତାଯିବ ।

ତେବେ ଗବେଷଣା ବେଳେ ଓଡ଼ିଶା ମାଟିରେ ରଙ୍ଗୀନ ନଡ଼ିଆ ଗଛ କିଭଳି ଉଠୁଛି, ଏହାର ରୋଗପୋକ ସହଣୀ ଓ ପଇଡର ସ୍ୱାଦ, ନଡ଼ିଆରୁ ତେଲ ଓ ଉତ୍ପାଦନ ଆଦି ଉପରେ ନଜର ରଖାଯିବ । ପରୀକ୍ଷଣ ସଫଳ ହେଲେ ସରକାରଙ୍କ ସହାୟତା କ୍ରମେ ନଡ଼ିଆ ଚାଷୀଙ୍କୁ ଚାରା ବଣ୍ଟନ କରାଯିବ ବୋଲି ବିଶ୍ୱବିଦ୍ୟାଳୟ ସୂତ୍ରରୁ ପ୍ରକାଶ । ଭୁବନେଶ୍ୱରରେ ରଙ୍ଗୀନ ନଡ଼ିଆ ଚାଷ କୌଣସି ନୂଆ କଥା ନୁହେଁ । ଘରୋଇ କୃଷି ଉଦ୍ୟୋଗୀମାନେ ଗୋଆ, କେରଳ, ବେଙ୍ଗାଲୁରୁରୁ ହାଇବ୍ରିଡ୍‌ ରଙ୍ଗୀନ ନଡ଼ିଆ ଚାରା ଆଣି ଚାଷ କରୁଛନ୍ତି । ହେଲେ ସରକାରୀସ୍ତରରେ ପୂର୍ବରୁ ରଙ୍ଗୀନ ନଡ଼ିଆ ଉପରେ କୌଣସି ଗବେଷଣା କିମ୍ବା ଚାଷ ହୋଇନାହିଁ । ଯେହେତୁ ଓଡ଼ିଶାକୁ ପ୍ରତିବର୍ଷ ବାତ୍ୟା ଭୟ ରହୁଛି, ତେଣୁ ବାମନ କିସମକୁ ଅଗ୍ରାଧିକାର ଦିଆଯାଉଛି । ଏଥିପାଇଁ ଓୟୁଏଟି ପକ୍ଷରୁ କେରଳସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର୍‌) ସର୍ବଭାରତୀୟ ସମନ୍ୱିତ ଗବେଷଣା ପ୍ରକଳ୍ପ(ଏଆଇସିଆରପି) ସହ ଆଲୋଚନା କରାଯାଇଥିଲା ।

ଏଆଇସିଆର୍‌ପି ବିଶ୍ୱର ବିଭିନ୍ନ ଦେଶରୁ ନଡ଼ିଆ ମଂଜି ଆଣିଥିବା ବେଳେ ସେଥିମଧ୍ୟରୁ ୫ଟି କିସମର ବିଦେଶୀ ଓ ଦୁଇଟି ଭାରତୀୟ କିସମର ନଡ଼ିଆ ମଞ୍ଜି ଓୟୁଏଟିକୁ ପ୍ରଦାନ କରିଛି । ଏସବୁ ପ୍ରଜାତି ମଧ୍ୟରେ ନାଇଜେରିଆର ‘ସବୁଜ ବାମନ କିସମ/ଗ୍ରୀନ୍‌ ଡ୍ୱାର୍ଫ’, ପପୁଆ ନ୍ୟୁଗୁଏନାର ‘ହାଇ ପପୁଆ’, ପଶ୍ଚିମ ଆଫ୍ରିକାର ‘ନାଲି ବାମନ କିସମ/ରେଡ୍‌ ଡ୍ୱାର୍ଫ’, ଫିଜିର ‘ନ୍ୟୁ ଲେକା ଡ୍ୱାର୍ଫ’, ଲାକ୍ଷାଦୀପର ‘କମଳା ବାମନ କିସମ/ଅରେଞ୍ଜ ଡ୍ୱାର୍ଫ’ ଆଦି ରହିଛି । ସେହିପରି ଭାରତୀୟ କିସମ ମଧ୍ୟରେ ‘ଦ୍ୱୀପ ସୋନା’ ଓ ‘ଦ୍ୱୀପ ହରିପାଦ’ ଆଦି ଦୁଇଟି କିସମର ନଡ଼ିଆ ଅଛି । ଓୟୁଏଟି କୁଳପତି ପ୍ରଫେସର ପିକେ ରାଉଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଙ୍ଗୀନ ନଡ଼ିଆ ଉପରେ ଗବେଷଣା ହେବ ବୋଲି ସାକ୍ଷୀଗୋପାଳ କେଭିକେର ଇନଚାର୍ଜ ଅଜିତ ସାହୁ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ- Rath Khala: ରଥର ଖଳାରେ ହଣା ଚାଲିଛି ପାର୍ଶ୍ବ ଦଣ୍ଡା, ଆଗକୁ ମୁହାଁଟିରେ ପୋତା ହେବ ଗୁଜ ହେବ...​​​​​​​