କାଟାଲୋନିଆ, ୧୨/୦୫: ଘରୋଇ ଗ୍ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ କରି ଏଫ୍‌ସି ବାର୍ସେଲୋନା ୪-୩ ଗୋଲରେ ରିୟଲ  ମାଦ୍ରିଦକୁ ପରାଜିତ କରିଛି । ଏଥିସହ ଦଳ ଟେବୁଲର ଶୀର୍ଷ ସ୍ଥାନକୁ  ଅଧିକ ଦୃଢ଼ କରିପାରିଛି ।  

କିଲିଆନ ଏମ୍‌ବାପେ ହ୍ୟାଟ୍ରିକ୍‌ ଗୋଲ୍‌ ସ୍କୋର  କରିଥିଲେ ବି ରିୟଲ ମାଦ୍ରିଦକୁ ପରାଜୟରୁ  ରକ୍ଷା କରିପାରି ନଥିଲେ । ଚଳିତ ଲା ଲିଗାରେ ବାର୍ସେଲୋନା ୩୫ଟି  ମ୍ୟାଚ୍‌ରୁ ୨୬ଟି ବିଜୟ ସହ ୮୨ ପଏଣ୍ଟ ପାଇ  ଟେବୁଲରେ ପ୍ରଥମ ସ୍ଥାନରେ ରହିଛି । ସେମିତି  ରିୟଲ ମାଦ୍ରିଦ ୭୫ ପଏଣ୍ଟ ସହ ଦ୍ୱିତୀୟ ଏବଂ  ଆଟଲେଟିକୋ ମାଦ୍ରିଦ ୭୦ ପଏଣ୍ଟ ପାଇ  ତୃତୀୟ ସ୍ଥାନରେ ରହିଛି । 

ଏଲ୍‌ କ୍ଲାସିକୋ ମ୍ୟାଚ୍‌ ଦେଖିବା ନେଇ  ଷ୍ଟାଡିୟମରେ ଉପସ୍ଥିତ ରହିଥିଲେ ୫୦ ହଜାରରୁ ଊଦ୍ଧ୍ୱର୍ ଦର୍ଶକ । ଖେଳର ପଞ୍ଚମ ମିନିଟରେ ଭ୍ରମଣକାରୀ ରିୟଲ ମାଦ୍ରିଦ ପାଇଥିଲା ପେନାଲ୍ଟି କର୍ଣ୍ଣର। ଏମ୍‌ବାପେ ଗୋଲ୍‌ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ । ପୁଣି ସେ ୧୪ ମିନିଟରେ ଆଉ ଏକ ଫିଲ୍ଡଗୋଲ୍‌ ଦେଇଥିଲେ । ରିୟଲ ମାଦ୍ରିଦ ପ୍ରାରମ୍ଭରୁ ୨ଟି ଗୋଲ୍‌ ଦେଇ ସ୍ଥିତି ଟାଣ କରିଥିଲା ।  

ଘରୋଇ ଦଳ ୧୯ ମିନିଟରେ ଆକ୍ରମଣକୁ  ତୀବ୍ର କରି ପ୍ରଥମ ଗୋଲ ପରିଶୋଧ କରିଥିଲା । ଏରିକ ଗ୍ରାସିଆ ଏହି ଗୋଲ୍‌ ଦେଇଥିଲେ । ପରବର୍ତ୍ତୀ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଦଳ ଆଉ ୩ଟି ଗୋଲ୍‌ ଦେଇ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିଥିଲା । ୩୨ ମିନିଟରେ ଲାମିନ ଜାମାଲ ଗୋଲ୍‌ ଦେଇ ସ୍ଥିତି ବରାବର କରିଥିଲେ । ୩୪ ଓ ୪୫ ମିନିଟରେ ରାଫିନା ଦେଇଥିଲେ ଡବଲ ଗୋଲ୍‌ । 

ଦ୍ୱିତୀୟାର୍ଦ୍ଧରେ ରିୟଲ ମାଦ୍ରିଦ  ପ୍ରତ୍ୟାବର୍ତ୍ତନ ପାଇଁ ଜୋରଦାର ପ୍ରୟାସ  କରିଥିଲା । ୭୦ ମିନିଟ୍‌ରେ ଏମ୍‌ବାପେ ହ୍ୟାଟ୍ରିକ୍‌ ଗୋଲ୍‌ ଦେଇଥିଲେ। କିନ୍ତୁ ପରେ ଖେଳ ତୀବ୍ର  ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହେବାରୁ ନିର୍ଦ୍ଧାରିତ ୯୦ ମିନିଟ ଓ ଇନ୍‌ଜ୍ୟୁରୀ ଟାଇମରେ କେହି ଗୋଲ୍‌  ଦେବାରେ ସମର୍ଥ ହୋଇ ନଥିଲେ । ଶେଷରେ  ଗୋଟିଏ ଗୋଲରେ ଅଗ୍ରଣୀ ସହ ବାର୍ସେଲୋନା  ମ୍ୟାଚ୍‌ ବିଜୟୀ ହୋଇଥିଲା ।