କେନ୍ଦୁଝର ସଦର,୨୭/୧୦(ଆପ୍ର) : କେନ୍ଦୁଝରରୁ କାମ କରିବାକୁ ଚେନ୍ନାଇ ଯାଇଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ହେଲେ ରାଜେନ୍ଦ୍ର ମହାକୁଡ। କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପର୍ଜନପୁର ପଞ୍ଚାୟତ କଲଣ୍ଡା ଗ୍ରାମର ନାଗେଶ୍ଵର ମହାକୁଡଙ୍କ ପୁଅ ରାଜେନ୍ଦ୍ର ମହାକୁଡ଼ ସାଙ୍ଗମାନଙ୍କ ସହିତ ଚେନ୍ନାଇ ଯାଇ ଏକ ଲୁଗା ଫ୍ୟାକ୍ଟ୍ରିରେ କାମ କରୁଥିଲେ।ରବିବାର ରାତିରେ କୌଣସି କାରଣ ବଶତଃ ସେ ସେଠାରେ ବେକରେ ଗାମୁଛା ଲଗାଇ ଝୁଲିପଡିଥିଲେ।ଖବର ପାଇ ସ୍ଥାନୀୟ ପୁଲିସ ସହାୟତାରେ ତାଙ୍କ ଶବ ଉଦ୍ଧାର କରି ନିକଟସ୍ଥ ଡ଼ାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପାଇଁ ରଖାଯାଇଛି।
କେନ୍ଦୁଝର ଜିଲ୍ଲା ପ୍ରଶାସନ ସହଯୋଗ କଲେ ଶବ ଗାଁକୁ ଫେରି ପାରନ୍ତା ବୋଲି ସେଠାରେ ଥିବା ଅନ୍ୟ ସାଙ୍କ ମାନେ ଅନୁରୋଧ କରିଛନ୍ତି। ଏ ନେଇ ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କୁ ପଚାରିବାରୁ କୁହନ୍ତି ମୃତ ପରିବାର ପକ୍ଷରୁ କୌଣସି ଅଭିଯୋଗ ହସ୍ତଗତ ହୋଇନାହିଁ। ଅଭିଯୋଗ ଆସିଲେ ପ୍ରଶାସନ ହସ୍ତକ୍ଷେପ କରିବ ବୋଲି କହିଛନ୍ତି।