କଣ୍ଟାମାଳ,୪/୧୨ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ନାରାୟଣପ୍ରସାଦ ପଞ୍ଚାୟତର ଲୁଣ୍ଡୁରୁ ଗ୍ରାମର ଦଶରଥ ସୁନା ନାମକ ଜଣେ ବ୍ୟକ୍ତି ଦୀର୍ଘ ଦୁଇରୁ ତିନି ବର୍ଷ ହେବ ତାଙ୍କ ସ୍ତ୍ରୀ ଏବଂ ଦୁଇ ପିଲାଙ୍କ ସହ କର୍ଣ୍ଣାଟକର ଉର୍ବନ୍ ଜିଲ୍ଲା ଜିଗିନି ଥାନା ଅନ୍ତର୍ଗତ ଗୋହଳହଲି ନାମକ ଏକ ଗ୍ରାମରେ ଥିବା ପ୍ରାଇଭେଟ୍ ବ୍ରଏଲର୍ ଫାର୍ମକୁ କାମ କରିବାକୁ ଯାଇଥିଲେ । କିନ୍ତୁ ଗତ ୧ତାରିଖ ଅପରାହ୍ନ ପ୍ରାୟ ୧୨ଟା ସମୟରେ କୌଣସି କାରଣରୁ ଦଶରଥଙ୍କ ମୃତ୍ୟୁ ହୋଇଯାଇଥିବା ଖବର ତାଙ୍କ ସ୍ତ୍ରୀ ସେଠାରୁ ଘରକୁ ଫୋନ୍ ମାଧ୍ୟ୍ୟମରେ ଜଣାଇଥିଲେ ।

ସଙ୍ଗେ ସଙ୍ଗେ ଗତ ୨ ତାରିଖରେ ଦଶରଥଙ୍କ ବାପା ସୁନପତି ସୁନା ନିଜ ପୁଅର ମୃତଦେହ କିଭଳି ଭାବେ ସୁରକ୍ଷିତ ଅବସ୍ଥାରେ ନିଜ ଗ୍ରାମକୁ ଫେରାଇ ଆଣିବାର ବ୍ୟବସ୍ଥା କରାଯିବ ସେଥିପାଇଁ ଜିଲ୍ଲା ପ୍ରଶାସନ, ବୌଦ୍ଧ ଏବଂ ଜିଲ୍ଲା ଶ୍ରମ ବିଭାଗ ବୌଦ୍ଧଙ୍କ ନିକଟରେ ଅନୁରୋଧ କରିଥିଲେ । ତତକ୍ଷଣାତ୍ ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ, ବୌଦ୍ଧ ସୁଶ୍ରୀ କନ୍ୟା କୁମାରୀ ସାହୁ ସେହିଦିନ ଅର୍ଥାତ ୨ତାରିଖ ଦିନ କଣ୍ଟାମାଳ ବ୍ଲକ ନାରାୟଣପ୍ରସାଦ ପଞ୍ଚାୟତ ଅଧିନସ୍ଥ ଲୁଣ୍ଡୁରୁ ଗ୍ରାମରେ ପରିବାର ବର୍ଗଙ୍କ ପାଖରେ ପହଞ୍ଚି ତଦନ୍ତ କରିଥିଲେ ଓ ମୃତଦେହକୁ ତାଙ୍କ ନିଜ ଗାଁକୁ ଫେରେଇ ଆଣିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଥିଲେ l

ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗ, ବୌଦ୍ଧଙ୍କର ମିଳିତ ସହଯୋଗରେ ଏକ ଆମ୍ବୁଲାନ୍ସ ଯୋଗେ ଦଶରଥ ସୁନାଙ୍କ ମୃତହେଦ ବେଙ୍ଗାଲୁରୁରୁ ଗତ ୩ ତାରିଖ ମଧ୍ୟ ରାତ୍ରରେ ନିଜ ପୈତୃକ ଗ୍ରାମ ଲୁଣ୍ଡୁରୁରେ ସୁରକ୍ଷିତ ଭାବେ ପହଞ୍ଚିଥିଲା । ନିଜ ପରିବାର ବର୍ଗ ଓ ଗ୍ରାମବାସୀ ବୃନ୍ଦ ନିଜ ଗାଁରେ ଦଶରଥ ସୁନାଙ୍କ ଶେଷ ଦର୍ଶନ କରିଥିଲେ।