କୋକସରା,୨୧/୦୩(ଆପ୍ର) : ନିଜ ସମ୍ପର୍କୀୟାଙ୍କ ବିବାହରେ ଯୋଗଦେବାକୁ ଦୀର୍ଘ ୨୦ ବର୍ଷ ପରେ ଭିଟାମାଟିକୁ ଆସିଥିଲେ। ବିବାହ କାର୍ଯ୍ୟ ସରିବା ପରେ ପୁଣି ନିଜ କର୍ମସ୍ଥଳକୁ ଫେରିବା ବାଟରେ ଟ୍ରେନରୁ ପଡି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି।
କୋକସରା ବ୍ଲକ ଅନ୍ତର୍ଗତ କାଉଡୋଳା ଗ୍ରାମର କମଳୁ ଚଣ୍ଡି (୪୨) ସପ୍ତାହ ତଳେ କାଉଡୋଳା ଗ୍ରାମକୁ ଆସିଥିଲେ ଓ ନିଜ ସମ୍ପର୍କୀୟଙ୍କ ବିବାହ କାର୍ଯ୍ୟରେ ଯୋଗ ଦେଇଥିଲେ। ବିବାହ କାର୍ଯ୍ୟ ଶେଷ ହେବା ପରେ ସେ ବୁଧବାର ରାତିରେ ପୁଣି କାଉଡୋଳା ରୁ ଚେନ୍ନେଇ ବାହାରିଥିଲେ। ଯିବା ବାଟରେ ବୁଡୁରୁ ଟ୍ରେନ ଷ୍ଟେସନର ଅଳ୍ପ ଦୂରରେ ଟ୍ରେନରୁ ପଡି ଯିବାରୁ ତାଙ୍କର ମୃତ୍ଯୁ ଘଟିଥିବା ପରିବାର ଲୋକଙ୍କୁ ବୁଡୁରୁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା | ଚେନ୍ନାଇ ବୁଡୁରୁ ପୋଲିସ ପକ୍ଷରୁ ମୃତଦେହ ଜବତ କରି ମେଡିକାଲ ରେ ବ୍ୟବଚ୍ଛେଦ ପରେ ରଖାଯାଇଛି ।
କମଳୁ ଚଣ୍ଡି ପ୍ରାୟ ୨୦ ବର୍ଷ ଧରି ଚେନ୍ନେଇ ଠାରେ କାମ କରି ରହିଆସୁଥିଲେ |ସେ ବିବାହ କରିଥିଲେ କିନ୍ତୁ ସ୍ତ୍ରୀ ଙ୍କ ସହିତ ବିଚ୍ଛେଦ ପରେ ଏକା ରହୁଥିଲେ। ମୃତ କମଳୁଙ୍କ ପରିବାରରେ ଆଉ କେହି ନଥିବା ବେଳେ ଶବ ଆଣିବାକୁ କେହି ଯାଇନଥିବା ଜଣାପଡିଛି।ମୃତକ ଦାଦନ ଶ୍ରମିକଙ୍କ ଶେଷକୃତ୍ୟ ବୁଡୁରୁ ପୋଲିସ ପକ୍ଷରୁ ହେବା ନେଇ ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡିଛି ।