ଆଠଗଡ଼,୨୧/୦୧: ଶୀତ ଆସିଲେ ବିଭିନ୍ନ ପ୍ରକାରର ପକ୍ଷୀଙ୍କ କଳରବରେ ମୁଖରିତ ହୋଇଉଠେ ଆଠଗଡ଼ ବନଖଣ୍ଡ । ଆଠଗଡ଼ରେ ଥିବା ବିଭିନ୍ନ ଆର୍ଦ୍ରଭୂମି ଅଞ୍ଚଳ ସହିତ ଅନ୍ୟାନ୍ୟ ଜଳାଶୟରେ ଦେଶୀ ସହିତ ବିଦେଶାଗତ ପକ୍ଷୀଙ୍କର ଭିଡ଼ ଜମେ । ବିଗତ ବର୍ଷମାନଙ୍କରେ ଯେତିକି ପରିମାଣର ଏହି ପକ୍ଷୀ ସବୁ ଆସୁଥିଲେ ଚଳିତ ବର୍ଷ ପକ୍ଷୀମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ମାତ୍ର ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ବିଦେଶାଗତ ପକ୍ଷୀମାନଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି । ଏ ଦିଗରେ ବନ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ପରିବେଶବିତ୍ମାନେ ଦାବି କରିଛନ୍ତି ।

ଆଠଗଡ଼ ବନଖଣ୍ଡର ପାଞ୍ଚେଟି ରେଞ୍ଜ ଆଠଗଡ଼, ଖୁଣ୍ଟୁଣୀ, ବଡ଼ମ୍ବା ନରସିଂହପୁର ପୂର୍ବ ଏବଂ ନରସିଂହପୁର ପଶ୍ଚିମ ରେଞ୍ଜରେ ପକ୍ଷୀ ଗଣନା ଶେଷ ହୋଇଛି । ବନ କର୍ମଚାରୀଙ୍କ ସହିତ ବିଶେଷଜ୍ଞ, ସ୍ୱେଚ୍ଛାସେବୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ୪୦ଟି ଦଳର ୧୬୦ ଜଣ ଏହି ପକ୍ଷୀ ଗଣନା କରିଥିଲେ । ଖୁଣ୍ଟୁଣୀ ରେଞ୍ଜରେ ୭୩୧୧, ଆଠଗଡ଼ ରେଞ୍ଜରେ ୭୫୨୫, ବଡମ୍ବା ରେଞ୍ଜରେ ୨୫୨୦, ନରସିଂହପୁର ପୂର୍ବ ରେଞ୍ଜରେ ୬୫୬୬ ଏବଂ ନରସିଂହପୁର ପଶ୍ଚିମ ରେଞ୍ଜରେ ୧୬୬୩ ଟି ପକ୍ଷୀ ଗଣନା କରା ଯାଇଥିବା ଜଣାପଡିଛି । ଚଳିତ ବର୍ଷ ସମୁଦାୟ ୯୫ ପ୍ରଜାତିର ୨୫୫୮୫ ଟି ପକ୍ଷୀ ଗଣନା କରା ଯାଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ୨୫୦୦ ରୁ ଅଧିକ ଥିବା ବେଳେ ବାକି ଦେଶୀ ଓ ବିଭିନ୍ନ ପ୍ରଜାତିର ପକ୍ଷୀ ରହିଥିବା କୁହାଯାଇଛି ।

ବିଦେଶାଗତ ପକ୍ଷୀମାନଙ୍କ ମଧ୍ୟରେ ବିରଳ ପାଣିଚିରି, ଗଡ଼ ୱାଲ୍, ଆଇବିସ୍ ଭଳି ପ୍ରଜାତି ରହିଥିବା ବେଳେ ଦେଶୀ ପ୍ରଜାତିର ପକ୍ଷୀଙ୍କ ମଧ୍ୟରେ ବଗ, ଗେଣ୍ଡାଳିଆ, କପୋତ, ଟେଣ୍ଟେଇ, ଚକୁଆ ଚକାଇ, କାମ ଚଢ଼େଇ, ହଂସରାଳୀ ଆଦି ରହିଛନ୍ତି । ବନ ବିଭାଗର ସୂଚନା ଅନୁସାରେ, ଗତବର୍ଷ ୧୯ ହଜାରରୁ ଅଧିକ ପକ୍ଷୀ ଗଣତି ହୋଇଥିଲା । କିନ୍ତୁ ଏହି ପକ୍ଷୀମାନେ ଶିକାରୀମାନଙ୍କ ନଜରରୁ ବଞ୍ଚିପାରୁ ନାହାନ୍ତି । ଏହି ସମୟରେ ପକ୍ଷୀ ଶିକାରୀମାନେ ସକ୍ରିୟ ହେବା ସହ ନଜର ଆଢ଼ୁଆଳରେ ଦେଶୀ ସହିତ ବିଦେଶାଗତ ଅତିଥି ପକ୍ଷୀ ଶିକାର କରୁଥିବା ଅଭିଯୋଗ ହେଉଛି । ଏମାନଙ୍କ ମାଂସ ବଜାରରେ ଚଢ଼ା ଦରରେ ବେଆଇନ ଭାବେ ବିକ୍ରି ହେଉଛି । ବିଶେଷକରି ଅନ୍ୟତମ ବିଶିଷ୍ଟ ଆର୍ଦ୍ରଭୂମି ଅଂଶୁପାରେ ପକ୍ଷୀମାନେ ଅଧିକ ଅସୁରକ୍ଷିତ । ଶିକାରୀମାନେ ଜାଲ ବିଛାଇ କିମ୍ବା ବିଷଦେଇ ଅବାଧ ଶିକାର କରୁଛନ୍ତି । ପକ୍ଷୀମାନଙ୍କର ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ବିଭିନ୍ନ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି କୁହାଯାଉଥିଲା ବେଳେ ବାସ୍ତବରେ ତାହା କ୍ଷେତ୍ରରେ କାମ କରୁ ନଥିବା ଜଣାପଡ଼ିଛି । ବିଭାଗୀୟ ଅଧିକାରୀଙ୍କ ପକ୍ଷୀ ଶିକାର ଭଳି ସମ୍ବେଦନଶୀଳ ଘଟଣାରେ ଉଦାସୀନତା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି ।