ଝାରସୁଗୁଡ଼ା,୧୯/୧୧: ଝାରସୁଗୁଡ଼ା  ସହର ବମ୍ବେଛକ ପାଖରେ ଥିବା ବିବେକ  ବିହାର ଆବାସିକ ଅଂଚଳରେ ସୋମବାର  ସଂଧ୍ୟାରେ ଜମି ବିବାଦକୁ କେନ୍ଦ୍ର କରି ଗୁଳି  ଫୁଟିଛି । ରାସ୍ତା ଅବରୋଧ କରି ପୂର୍ବରୁ ନିର୍ମିତ ଏକ ପାଚେରୀକୁ ଜେସିବି ସହାୟତାରେ  ଭାଙ୍ଗିବା ସମୟରେ ଜଣେ ଅବସରପ୍ରାପ୍ତ ଖଣି  ଅଧିକାରୀ ଏହାର ପ୍ରତିବାଦ କରିଥିଲେ ।  ସେଠାରେ କାର୍ଯ୍ୟରତ ଶ୍ରମିକ କର୍ମଚାରୀଙ୍କ  ସହ ପାଟିତୁଣ୍ଡ ହେବା ସହ ଗଣ୍ଡଗୋଳ  ପରେ ଅବସରପ୍ରାପ୍ତ ଖଣି ଅଧିକାରୀ ରାମଜୀ  କୁମାର ସିଂଙ୍କ ପୁଅ ଅଭିଷେକ ସିଂ ଲାଇସନ୍ସ  ପ୍ରାପ୍ତ ରାୟଫଲ୍‌ ବନ୍ଧୁକରୁ ଦୁଇ ରାଉଣ୍ଡ ଫାଙ୍କା  ଗୁଳି ଚାଳନା କରିଥିଲେ । ଗୁଳି ଚାଳନା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ।  ସଦର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ  କରିଥିଲା । ଗୁଳି କାଣ୍ଡରେ ସଂପୃକ୍ତ ବାପ  ପୁଅଙ୍କୁ ସଦର ଥାନାରେ ଅଟକ ରଖି ଜେରା  କରୁଥିବା ଆଇଆଇସି ସ୍ୱପ୍ନାରାଣୀ ଗୋଛାୟତ  ସୂଚନା ଦେଇଛନ୍ତି ।   

ପୁଲିସ ସୂଚନା ମତେ, ବମ୍ବେ ଛକରୁ  ବିଟିଏମ ଯିବା ରାସ୍ତାର ବାମ ପାଶ୍ୱର୍ରେ ପ୍ରାୟ  ଶହେ ମିଟର ଦୂରରେ ବିବେକ ବିହାର  ଅଂଚଳରେ ଥିବା ଏକ ରାସ୍ତାକୁ ଅବରୋଧ  କରି ପୂର୍ବରୁ ଏକ ପାଚେରୀ ଥିଲା । ଏହାକୁ  ଭାଙ୍ଗିବା ପାଇଁ ଜମି ମାଲିକ ବିକାଶ ଅଗ୍ରୱାଲ  ସୋମବାର ସଂଧ୍ୟା ପ୍ରାୟ ୫ଟାରେ ଜେସିବି ମେସିନ  ସହ କିଛି ଶ୍ରମିକ କର୍ମଚାରୀଙ୍କୁ ପଠାଇଥିଲେ ।  ଏହି ସମୟରେ ଅବସରପ୍ରାପ୍ତ ଖଣି  ଅଧିକାରୀ ରାମଜୀ ସିଂ, ତାଙ୍କ ପତ୍ନୀ ଓ ପୁଅ  ପହଞ୍ଚି କାନ୍ଥ ଭଙ୍ଗାକୁ ପ୍ରତିବାଦ କରିଥିଲେ ।  ଶ୍ରୀମତୀ ସିଂଙ୍କ ସହ ନିୟୋଜିତ କର୍ମଚାରୀଙ୍କ  ପାଟିତୁଣ୍ଡ ଚାଲିଥିବା ବେଳେ ବନ୍ଧୁକ ବାହାର  କରି ଅଭିଷେକ ଦୁଇ ରାଉଣ୍ଡ ଫାଙ୍କା ଗୁଳି  ଚାଳନା କରିଥିଲେ । ସେଠାରୁ ବାପ ପୁଅ  ସିଧା ସଦର ଥାନାକୁ ଯାଇ କାନ୍ଥ ଭଙ୍ଗା  ଯାଉଥିବା ସହ କିଛି ଲୋକ ପହଞ୍ଚି ଗଣ୍ଡଗୋଳ  କରୁଥିବା ଅଭିଯୋଗ କରିଥିଲେ । ଅନ୍ୟପଟେ  ବାପପୁଅଙ୍କ ଗୁଳିକାଣ୍ଡ ଘଟଣା ନେଇ ଜମି  ମାଲିକ ପକ୍ଷ ମଧ୍ୟ ପୁଲିସକୁ ଜଣାଇଥିଲେ ।  

ଘଟଣାସ୍ଥଳରେ ଏସ୍‌ଡିପିଓ, ଆଇଆଇସି  ଏବଂ ଅନ୍ୟ ପୁଲିସ କର୍ମଚାରୀ ପହଞ୍ଚି ଯାଞ୍ଚ  କରିଥିଲେ । ରାସ୍ତା ଅବରୋଧ କରି ତିଆରି ହୋଇଥିବା ବେଆଇନ ପାଚେରୀ ଭାଙ୍ଗିବାକୁ  ଯାଇଥିବା କର୍ମଚାରୀଙ୍କ ସହ ଅବସରପ୍ରାପ୍ତ  ଖଣି ଅଧିକାରୀ, ତାଙ୍କ ପତ୍ନୀ ଏବଂ ପୁଅ ଗଣ୍ଡଗୋଳ କରିଥିବା ଜମି ମାଲିକ ବିକାଶ  ଅଗ୍ରୱାଲ ଅଭିଯୋଗ କରିଛନ୍ତି । ରାମଜୀ  କୁମାର ସିଂ ପୂର୍ବରୁ ଏମସିଏଲ୍‌ରେ ବରିଷ୍ଠ  ଅଧିକାରୀ ଭାବେ କାର୍ଯ୍ୟ କରିଥିବା ବେଳେ  ସେ ଝାଡ଼ଖଣ୍ଡର ମୂଳ ବାସିନ୍ଦା ହୋଇଥିବା  କୁହାଯାଉଛି । ତାଙ୍କ ନାମରେ ଗତ ୧୯୮୫  ମସିହାରେ ଝାଡ଼ଖଣ୍ଡ ହଜାରୀବାଗରେ ବନ୍ଧୁକ  ଲାଇସନ୍ସ ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।