ଫୁଲବାଣୀ,୩/୭ :ବାଲିଗୁଡା ସ୍ଥିତ ୧୩୬ ବାଟାଲିୟନ ବିଏସଏଫ ଦ୍ବାରା ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ରାଇଫଲ, ଜିଲେଟିନ ଓ ଡିଟୋନେଟର ରହିଛି।
ସୂଚନା ଅନୁଯାୟୀ, ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବିଏସଏଫ ଜବାନ ମାନଙ୍କ ଦ୍ବାରା ବାଲିଗୁଡା ଥାନା ଅନ୍ତର୍ଗତ ସଲାଗୁଡା ପଞ୍ଚାୟତ କୁମ୍ବେମାଲା ଗ୍ରାମ ନିକଟସ୍ଥ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ସମ୍ପୃକ୍ତ ଅଞ୍ଚଳରେ ବିପୁଳ ମାଓ ସାମଗ୍ରୀ ଲୁଚାଇ ରଖା ଯାଇଥିବା ଦେଖିବାକୁ ମିଳିଥିଲା। ସମସ୍ତ ଜିନିଷ ଜବତ କରିଥିଲେ ବିଏସଏଫ ଜବାନ। ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ରାଇଫଲ, ଗୋଟିଏ ପ୍ୟାକେଟ ଜିଲେଟିନ, ଗୋଟିଏ ପ୍ୟାକେଟ ଡିଟୋନେଟର, ଔଷଧ, ପୋଷାକ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ରହିଛି। ଏହି ଜବତ ଫଳରେ ମାଓ ସଙ୍ଗଠନ ପକ୍ଷରୁ ଏକ ବଡ ଧରଣର ଯୋଜନାକୁ ପଣ୍ଡ କରି ଦିଆ ଯାଇଥିବା ବିଏସଏଫ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଗତ ସୋମବାର ବାଲିଗୁଡା ଥାନା ରୁତୁଙ୍ଗିଆ ପଞ୍ଚାୟତ ଅଞ୍ଚଳରେ ଡିଭିଏଫ ଜବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଦୁଇ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ତେବେ ଲଗାତାର ଏଭଳି ଘଟଣା ସମ୍ପୃକ୍ତ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତିକୁ ପ୍ରମାଣିତ କରୁଛି। ଅପରପକ୍ଷରେ, କନ୍ଧମାଳ ଜିଲ୍ଲାରେ ମାଓ ସଙ୍ଗଠନର ମୂଳୋତ୍ପାଟନ ପାଇଁ ବିଏସଏଫ ନିର୍ଣ୍ଣାୟକ ପଦକ୍ଷେପ ଜାରୀ ରଖିଥିବା ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।