ନୂଆଦିଲ୍ଲୀ ୧୪/୦୪: ପ୍ରାୟ ୫୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀକୁ  ଆସିଥିଲା ଭୟଙ୍କର ବନ୍ୟା । ଏହି ବନ୍ୟା ଏତେ ବଡ଼ ଥିଲା ଯେ ଏହା ଜିବ୍ରାଲ୍ଟର (ଭୂମଧ୍ୟ ସାଗରରେ ଏକ ପଥୁରିଆ ଉପଦ୍ୱୀପ) ଏବଂ  ସିସିଲି (ଭୂମଧ୍ୟ ସାଗରର ସବୁଠୁ ବଡ଼ ଦ୍ୱୀପ)  ମଝିରେ ଥିବା ସ୍ଥଳଭାଗକୁ ଧସି ଦେଇଥିଲା । ଫଳରେ କିଛି ବର୍ଷରେ ହିଁ ପୂରା ଭୂମଧ୍ୟ ସାଗର ପାଣିରେ ଭରିଯାଇଥିଲା । ନିକଟରେ ବୈଜ୍ଞାନିକମାନେ ଏହି ଚକିତ କଲା ଭଳି  ତଥ୍ୟ ସାମ୍‌ନାକୁ ଆଣିଛନ୍ତି । 

ବୈଜ୍ଞାନିକଙ୍କ ଅନୁସାରେ, ଆଟଲାଣ୍ଟିକ୍‌ ମହାସାଗର ପାଣି ଜିବ୍ରାଲ୍ଟର ଦେଇ ଭୂମଧ୍ୟ ସାଗରକୁ ମାଡ଼ି ଆସିଥିଲା । ସେତେବେଳେ  ଭୂମଧ୍ୟ ସାଗର ଏକ ଶୁଖିଲା ଘାଟି ଥିଲା । ମହାସାଗର ପାଣି ପ୍ରାୟ ୧ କିମି ଉଚ୍ଚରୁ ତଳକୁ ଖସିଥିଲା । ଏହି ପାଣି ନିଜ ରାସ୍ତାରେ ଗଗନଶ୍ଚୁମ୍ବୀ ଅଟ୍ଟାଳିକା ଭଳି ଉଚ୍ଚତାର ଗଭୀର ଖାଇକୁ ଭରି ଦେଇଥିଲା । ଏତେ ସାରା ପାଣି ମାତ୍ର କିଛି ମାସରେ ହିଁ ପୂରା ଭୂମଧ୍ୟ  ସାଗରକୁ ଭରି ଦେଇଥିଲା । ଏହି ବନ୍ୟା ନିଜ  ଅନ୍ତିମ ଚରଣରେ ଥିବାବେଳେ ଆମାଜନ୍‌ ନଦୀଠାରୁ ବି ପ୍ରାୟ ହଜାର ଗୁଣା ଅଧିକ ପାଣି  ବହିଥିଲା । 

୨୦୦୯ରେ ଏକ ରିସର୍ଚ୍ଚରୁ ମଧ୍ୟ  ବୈଜ୍ଞାନିକମାନେ ଏହି ଥିଓରି ସାମ୍‌ନାରେ  ରଖିଥିଲେ । ଏଥିରେ ଜିବ୍ରାଲ୍ଟର ପାଖ ସମୁଦ୍ର  ତଳେ ମିଳିଥିବା ଏକ ବଡ଼ ଘାଟିର ଅଧ୍ୟୟନ  କରାଯାଇଥିଲା । ଏହି ଘାଟି ଏହି ବିଶାଳକାୟ ବନ୍ୟା ଯୋଗୁ ନିର୍ମାଣ ହୋଇଥିବା କୁହାଯାଏ ।  ତେବେ କେତେକ ଦିଗରୁ ବୈଜ୍ଞାନିକମାନେ  ଏ ବାବଦରେ ସ୍ପଷ୍ଟ ହେବା ଲାଗି ଗବେଷଣା  ଜାରି ରଖିଛନ୍ତି । ଯଦି ଏହା ସତ ହୋଇଥାଏ  ତେବେ ଏହି ବନ୍ୟାକୁ ଜ୍ୟାଙ୍କଲିନ୍‌ ମେଗାଫ୍ଲଡ୍‌  କୁହାଯିବ ଏବଂ ଏହାକୁ ପୃଥିବୀର ସବୁଠୁ  ବଡ଼ ବନ୍ୟା ଭାବେ ବିବେଚନା କରାଯିବ ।  ତେବେ ଏତେ ବଡ଼ ଦାବି ପାଇଁ ସ୍ପଷ୍ଟ  ପ୍ରମାଣର ଆବଶ୍ୟକତା ରହିଛି । ନିକଟରେ  ବୈଜ୍ଞାନିକମାନେ ଜ୍ୟାଙ୍କଲିନ୍‌ ଯୁଗର  ସେଡିମେଣ୍ଟାରୀ ରକ୍‌ ଉପରେ ଅଧ୍ୟୟନ  କରିଥିଲେ । କିପରି ଆଧୁନିକ ସିସିଲି ଏବଂ  ଆଫ୍ରିକା ମଧ୍ୟରେ ଥିବା ଜାଗା ଦେଇ ପାଣି  ପୂର୍ବ ଭୂମଧ୍ୟ ସାଗରରେ ପୁଣି ଭରିଥିଲା  ତାହା ଏହି ପଥରରୁ ଜଣାପଡ଼ିଥାଏ । 

ଏହି  ଆବିଷ୍କାର ଏକ ଲମ୍ବା କାହାଣୀକୁ ନୂଆ ମୋଡ଼  ଦେଇଛି, ଯାହା କି ଉନବିଂଶ ଶତାବ୍ଦୀର  ଶେଷ ଆଡ଼କୁ ଆରମ୍ଭ ହୋଇଥିଲା । ସେହି  ସମୟରେ ବୈଜ୍ଞାନିକମାନେ ଭୂମଧ୍ୟ ସାଗର  ଆଖପାଖରେ ଲୁଣରେ ଭର୍ତ୍ତି ହୋଇଥିବା  ପଥର ଚଟାଣର ଅଧ୍ୟୟନ କରିଥିଲେ ।  ସେଥିରୁ ଜଣାପଡ଼ିଥିଲା ଯେ, ପ୍ରାୟ ୫୦/୬୦  ଲକ୍ଷ ବର୍ଷ ପୂର୍ବେ କିଛି ଅଜବ ଘଟଣା  ଘଟିଥିଲା । ହିମ ଯୁଗ ପୂର୍ବରୁ ଏହି ସମୁଦ୍ର  ଶୁଖି ଯାଇଥିଲା । ବୈଜ୍ଞାନିକମାନେ ଏହି  ଯୁଗକୁ ‘ମେସିନିଅନ୍‌’ ଯୁଗ ନାଁ ଦେଇଥିଲେ ।  

୧୯୭୦ ଦଶକରେ ବୈଜ୍ଞାନିକମାନେ ପ୍ରଥମ  ଥର ଭୂମଧ୍ୟ ସାଗର ତଳେ ମେସିନିଅନ୍‌  ଯୁଗର ସେଡିମେଣ୍ଟାରୀ ପଥରକୁ  ବେଶ୍‌ ଗଭୀର ପର୍ଯ୍ୟନ୍ତ ଖୋଳିଥିଲେ ।  ସେଥିରୁ ବେଶ୍‌ ଚକିତ କଲା ଭଳି କଥା  ଜଣାପଡ଼ିଥିଲା । ପ୍ରାୟ ୬୦ ଲକ୍ଷ ବର୍ଷ ତଳେ  ଏକ ବଡ଼ ପରିବର୍ତ୍ତନ ଆସିଥିଲା । ଟେକ୍ଟୋନିକ୍‌  ପ୍ଲେଟ୍‌ ଘୁଞ୍ଚିବା ଯୋଗୁ ଏହି ସମୁଦ୍ର ଆଟ୍‌ଲାଣ୍ଟିକ୍‌  ମହାସାଗରରୁ ସମ୍ପୂର୍ଣ୍ଣ ଭାବେ ଅଲଗା  ହୋଇଯାଇଥିଲା ବୋଲି ବୈଜ୍ଞାନିକମାନେ  ଜାଣିବାକୁ ପାଇଥିଲେ ।