ଭୁବନେଶ୍ୱର,୨୬/୦୬: ଓଡ଼ିଶାକୁ ଘାରିଛି କୁଷ୍ଠ ଭୟ । ଗତ ୬ବର୍ଷରେ ରାଜ୍ୟରେ ମୋଟ ୪୩ହଜାର ୭୧୧ ନୂଆ କୁଷ୍ଠ ରୋଗୀ ଚିହ୍ନଟ ହୋଇଛନ୍ତି । କେବଳ ସୁସ୍ଥ ବ୍ୟକ୍ତି ନୁହେଁ, ଭିନ୍ନକ୍ଷମ ଓ ଶିଶୁଙ୍କୁ ମଧ୍ୟ କୁଷ୍ଠ ଆକ୍ରାନ୍ତ କରୁଛି । କରୋନା ପରେ ପରେ ଏହି ସଂଖ୍ୟା ବଢୁଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ।
ସ୍ୱାସ୍ଥ୍ୟ ବିଭାଗର ତଥ୍ୟ କହୁଛି, ୨୦୧୯- ୨୦ରେ ରାଜ୍ୟରେ ୧୦ହଜାର୭୭ଜଣ ରୋଗୀ ଚିହ୍ନଟ ହୋଇଥିଲେ । ୨୦୨୦-୨୧ରେ ୬୧୮୪, ୨୦୨୧-୨୨ରେ ୫୭୨୯, ୨୦୨୨-୨୩ରେ ୭୧୯୭, ୨୦୨୩-୨୪ରେ ୮୩୯୬ ରୋଗୀ ଚିହ୍ନଟ ହୋଇଥିଲେ । ତେବେ ୨୦୨୪- ୨୫ ସୁଦ୍ଧା ୬୧୯୪ ନୂଆ କୁଷ୍ଠ ରୋଗୀ ଚିହ୍ନଟ ହୋଇଛନ୍ତି । ଯଦି ଭିନ୍ନକ୍ଷମ ବ୍ୟକ୍ତିଙ୍କ ଉପରେ ନଜର ଦେବା, ୧୯- ୨୦ରେ ୨୦୦ଜଣ ରୋଗୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିହ୍ନଟ କରିଥିଲା । ୨୦-୨୧ରେ ୧୭୮, ୨୧-୨୨ରେ ୧୬୪, ୨୨-୨୩ରେ ୧୯୫, ୨୩-୨୪ରେ ୧୪୯ଜଣ ଓ ୨୪- ୨୫ରେ ୯୫ଜଣ ଭିନ୍ନକ୍ଷମ କୁଷ୍ଠରେ ଆକ୍ରାନ୍ତ ହୋଇଛନ୍ତି ।
ଆଶ୍ଚର୍ଯ୍ୟର ବିଷୟ, ରାଜ୍ୟ ସରକାର କୁଷ୍ଠ ରୋଗର ଚିକିତ୍ସାକୁ ଗୁରୁତ୍ୱ ଦେଇଛନ୍ତି । ରାଷ୍ଟ୍ରୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଅନୁସାରେ ରୋଗୀ ଓ ରୋଗୀଙ୍କ ସହ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ଔଷଧ ଖାଇବାକୁ ଦିଆଯାଉଛି । ତଥାପି ରୋଗୀ ସଂଖ୍ୟା ବଢ଼ିଚାଲିଛି । ବର୍ତ୍ତମାନ ୧୪ଟି ଜିଲ୍ଲାରେ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି । ତଥାପି ବଲାଙ୍ଗିର, ବୌଦ୍ଧ, ନୂଆପଡା ଭଳି ଜିଲ୍ଲାରେ ଅଧିକ କୁଷ୍ଠ ରୋଗୀ ରହିଛନ୍ତି । ଯେହେତୁ କୁଷ୍ଠ ଏକ ସଂକ୍ରମଣଜନିତ ରୋଗ ହୋଇଥିବାରୁ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ଡିପିଏମଆର୍ କ୍ଲିନିକ୍ ରହିଛି । ଏହାପୂର୍ବରୁ ଗତ ୨୦୦୬-୦୭ରେ ରାଜ୍ୟକୁ କୁଷ୍ଠ ମୁକ୍ତ ଘୋଷଣା କରାଯାଇଥିଲେ ହେଁ ପ୍ରତିବର୍ଷ ରୋଗୀ ଚିହ୍ନଟ ହେଉଥିବା ବେଳେ ସରକାରଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏବେ ଶିଶୁଙ୍କୁ ଏହି ରୋଗ ବ୍ୟାପୁଛି । ତଥ୍ୟ ଦେଖିଲେ, ୨୦୧୯-୨୦ରେ ୬୮୧ଜଣ ଶିଶୁ କୁଷ୍ଠରେ ପୀଡିତ ହୋଇଥିଲେ । ୨୦-୨୧ରେ ୪୨୨, ୨୧- ୨୨ରେ ୩୯୨, ୨୨-୨୩ରେ ୩୮୨, ୨୩-୨୪ରେ ୫୧୩ ଓ ୨୪-୨୫ରେ ୩୪୭ ଜଣ ଶିଶୁ କୁଷ୍ଠରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେବେ ରାଜ୍ୟରେ କୁଷ୍ଠ ମୂଳତ୍ପାଟନ କରିବା ପାଇଁ ଚଳିତବର୍ଷ ରାଜ୍ୟ ସରକାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସହ ଆଲୋଚନା କରିଛନ୍ତି । ଯେଉଁ ବ୍ୟକ୍ତି ରୋଗୀଙ୍କ ସଂସ୍ପର୍ଶରେ ଆସିବେ ସେମାନଙ୍କୁ ମାଗଣାରେ ଟୀକା ଦିଆଯିବ ବୋଲି କହିଛନ୍ତି । ଆଇସିଏମ୍ଆର ଏହା ନୋଡାଲ ଏଜେନ୍ସି ରହିବ । ହେଲେ ଏହାର କିଛି ଅଗ୍ରଗତି ଏପର୍ଯ୍ୟନ୍ତ ହୋଇପାରିନି ।
ସେହିପରି କୁଷ୍ଠ ରୋଗୀଙ୍କୁ ଥଇଥାନ ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୬ଟି କୁଷ୍ଠ କଲୋନୀ, ଚିକିତ୍ସା ପାଇଁ ୧୪ଟି କୁଷ୍ଠ ଚିକିତ୍ସାଳୟ ଓ ୪ଟି କୁଷ୍ଠାଶ୍ରମ ଅଛି । ଏହି କଲୋନୀରେ ୨୦୦୭ରୁ କୁଷ୍ଠ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି । ଯେଉଁମାନେ ରୋଗୀଙ୍କୁ ଠିକ୍ ସମୟରେ ଚିକିତ୍ସା ସେବା ସହ ସଚେତନ କରିବେ । ହେଲେ ଗତ କିଛିବର୍ଷ ହେବ ବିଭିନ୍ନ କୁଷ୍ଠ କଲୋନୀରେ ୩୫୯ଟି କୁଷ୍ଠ କର୍ମୀ ପଦବୀ ଖାଲିପଡିଛି । ଯାହାକୁ ନେଇ ଗତବର୍ଷ ରାଜ୍ୟ କୁଷ୍ଠ ସଙ୍ଗଠନ କ୍ଷୋଭ ପ୍ରକାଶ କରି ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଫେରାଦ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ କିଛି ସମାଧାନ ହୋଇପାରିନି ବୋଲି ସଙ୍ଗଠନର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି । ଯଦି ଏହିଭଳି ସ୍ଥିତି ରୁହେ ତେବେ ୨୦୩୦ ସୁଦ୍ଧା କୁଷ୍ଠ ମୁକ୍ତ ଓଡିଶା କିପରି ଗଠନ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, କୁଷ୍ଠ ରୋଗୀଙ୍କ ପାଇଁ ରାଜ୍ୟରେ ୩୮୬ ଅକ୍ଷମତା ଦୂରୀକରଣ ଓ ଚିକିତ୍ସା ପୁନର୍ବାସ କେନ୍ଦ୍ର ରହିଛି । ଯେଉଁଠି ରୋଗୀଙ୍କୁ ସ୍ୱତନ୍ତ୍ର ଏମସିଆର ଚପଲ ଯୋଗାଇଦିଆଯାଉଛି । ଏଥିସହ ଯେଉଁ ବ୍ୟକ୍ତି ରୋଗୀଙ୍କ ସଂସ୍ପର୍ଶରେ ଆସିବେ ସେମାନଙ୍କୁ ପାନ ରିଫାମପିସିନ୍ ଔଷଧ ଖାଇବାକୁ ଦିଆଯାଉଛି । ଜଣେ ଅଧିକାରୀଙ୍କ କହିବା କଥା, କୁଷ୍ଠ କର୍ମୀଙ୍କ ନିଯୁକ୍ତି ସରକାରଙ୍କ ଦାୟିତ୍ୱ । ଆଉ ଆବଶ୍ୟକତା ପଡୁନି । ସେମାନଙ୍କୁ ସାଧାରଣ ସ୍ୱାସ୍ଥ୍ୟକେନ୍ଦ୍ରରେ ମିଶାଇ ଦେବାକୁ ଚେଷ୍ଟା ଚାଲିଛି । କାରଣ ଏବେ ରୋଗୀଙ୍କୁ ସାଧାରଣ ରୋଗୀଙ୍କ ଭଳି ଡିପିଆରଏମ୍ରେ ଚିକିତ୍ସା କରାଯାଉଛି ।