ଭୁବନେଶ୍ୱର,୨୬/୦୬: ଓଡ଼ିଶାକୁ ଘାରିଛି କୁଷ୍ଠ ଭୟ । ଗତ ୬ବର୍ଷରେ ରାଜ୍ୟରେ ମୋଟ ୪୩ହଜାର  ୭୧୧ ନୂଆ କୁଷ୍ଠ ରୋଗୀ ଚିହ୍ନଟ ହୋଇଛନ୍ତି । କେବଳ ସୁସ୍ଥ ବ୍ୟକ୍ତି ନୁହେଁ, ଭିନ୍ନକ୍ଷମ ଓ ଶିଶୁଙ୍କୁ ମଧ୍ୟ କୁଷ୍ଠ ଆକ୍ରାନ୍ତ  କରୁଛି । କରୋନା ପରେ ପରେ ଏହି ସଂଖ୍ୟା ବଢୁଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ।   

ସ୍ୱାସ୍ଥ୍ୟ ବିଭାଗର ତଥ୍ୟ କହୁଛି, ୨୦୧୯- ୨୦ରେ ରାଜ୍ୟରେ ୧୦ହଜାର୭୭ଜଣ ରୋଗୀ ଚିହ୍ନଟ  ହୋଇଥିଲେ । ୨୦୨୦-୨୧ରେ ୬୧୮୪, ୨୦୨୧-୨୨ରେ  ୫୭୨୯, ୨୦୨୨-୨୩ରେ ୭୧୯୭, ୨୦୨୩-୨୪ରେ  ୮୩୯୬ ରୋଗୀ ଚିହ୍ନଟ ହୋଇଥିଲେ । ତେବେ ୨୦୨୪- ୨୫ ସୁଦ୍ଧା ୬୧୯୪ ନୂଆ କୁଷ୍ଠ ରୋଗୀ ଚିହ୍ନଟ ହୋଇଛନ୍ତି ।  ଯଦି ଭିନ୍ନକ୍ଷମ ବ୍ୟକ୍ତିଙ୍କ ଉପରେ ନଜର ଦେବା, ୧୯- ୨୦ରେ ୨୦୦ଜଣ ରୋଗୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିହ୍ନଟ  କରିଥିଲା । ୨୦-୨୧ରେ ୧୭୮, ୨୧-୨୨ରେ ୧୬୪,  ୨୨-୨୩ରେ ୧୯୫, ୨୩-୨୪ରେ ୧୪୯ଜଣ ଓ ୨୪- ୨୫ରେ ୯୫ଜଣ ଭିନ୍ନକ୍ଷମ କୁଷ୍ଠରେ ଆକ୍ରାନ୍ତ ହୋଇଛନ୍ତି ।   

ଆଶ୍ଚର୍ଯ୍ୟର ବିଷୟ, ରାଜ୍ୟ ସରକାର କୁଷ୍ଠ  ରୋଗର ଚିକିତ୍ସାକୁ ଗୁରୁତ୍ୱ ଦେଇଛନ୍ତି । ରାଷ୍ଟ୍ରୀୟ କୁଷ୍ଠ  ନିରାକରଣ କାର୍ଯ୍ୟକ୍ରମ ଅନୁସାରେ ରୋଗୀ ଓ ରୋଗୀଙ୍କ  ସହ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ଔଷଧ ଖାଇବାକୁ  ଦିଆଯାଉଛି । ତଥାପି ରୋଗୀ ସଂଖ୍ୟା ବଢ଼ିଚାଲିଛି ।  ବର୍ତ୍ତମାନ ୧୪ଟି ଜିଲ୍ଲାରେ ସରକାର ସ୍ୱତନ୍ତ୍ର ଧ୍ୟାନ  ଦେଇଛନ୍ତି । ତଥାପି ବଲାଙ୍ଗିର, ବୌଦ୍ଧ, ନୂଆପଡା ଭଳି  ଜିଲ୍ଲାରେ ଅଧିକ କୁଷ୍ଠ ରୋଗୀ ରହିଛନ୍ତି । ଯେହେତୁ  କୁଷ୍ଠ ଏକ ସଂକ୍ରମଣଜନିତ ରୋଗ ହୋଇଥିବାରୁ ପ୍ରତି  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ଡିପିଏମଆର୍‌  କ୍ଲିନିକ୍‌ ରହିଛି । ଏହାପୂର୍ବରୁ ଗତ ୨୦୦୬-୦୭ରେ  ରାଜ୍ୟକୁ କୁଷ୍ଠ ମୁକ୍ତ ଘୋଷଣା କରାଯାଇଥିଲେ  ହେଁ ପ୍ରତିବର୍ଷ ରୋଗୀ ଚିହ୍ନଟ ହେଉଥିବା ବେଳେ  ସରକାରଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।    

ଏବେ ଶିଶୁଙ୍କୁ ଏହି ରୋଗ ବ୍ୟାପୁଛି । ତଥ୍ୟ  ଦେଖିଲେ, ୨୦୧୯-୨୦ରେ ୬୮୧ଜଣ ଶିଶୁ କୁଷ୍ଠରେ  ପୀଡିତ ହୋଇଥିଲେ । ୨୦-୨୧ରେ ୪୨୨, ୨୧- ୨୨ରେ ୩୯୨, ୨୨-୨୩ରେ ୩୮୨, ୨୩-୨୪ରେ  ୫୧୩ ଓ ୨୪-୨୫ରେ ୩୪୭ ଜଣ ଶିଶୁ କୁଷ୍ଠରେ  ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେବେ ରାଜ୍ୟରେ  କୁଷ୍ଠ ମୂଳତ୍ପାଟନ କରିବା ପାଇଁ ଚଳିତବର୍ଷ ରାଜ୍ୟ  ସରକାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସହ ଆଲୋଚନା  କରିଛନ୍ତି । ଯେଉଁ ବ୍ୟକ୍ତି ରୋଗୀଙ୍କ ସଂସ୍ପର୍ଶରେ ଆସିବେ  ସେମାନଙ୍କୁ ମାଗଣାରେ ଟୀକା ଦିଆଯିବ ବୋଲି  କହିଛନ୍ତି । ଆଇସିଏମ୍‌ଆର ଏହା ନୋଡାଲ ଏଜେନ୍ସି  ରହିବ । ହେଲେ ଏହାର କିଛି ଅଗ୍ରଗତି ଏପର୍ଯ୍ୟନ୍ତ  ହୋଇପାରିନି । 

ସେହିପରି କୁଷ୍ଠ ରୋଗୀଙ୍କୁ ଥଇଥାନ  ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୬ଟି କୁଷ୍ଠ କଲୋନୀ,  ଚିକିତ୍ସା ପାଇଁ ୧୪ଟି କୁଷ୍ଠ ଚିକିତ୍ସାଳୟ ଓ ୪ଟି କୁଷ୍ଠାଶ୍ରମ  ଅଛି । ଏହି କଲୋନୀରେ ୨୦୦୭ରୁ କୁଷ୍ଠ ସ୍ୱାସ୍ଥ୍ୟ କର୍ମୀଙ୍କୁ  ନିଯୁକ୍ତି ଦିଆଯାଇଛି । ଯେଉଁମାନେ ରୋଗୀଙ୍କୁ ଠିକ୍‌  ସମୟରେ ଚିକିତ୍ସା ସେବା ସହ ସଚେତନ କରିବେ ।  ହେଲେ ଗତ କିଛିବର୍ଷ ହେବ ବିଭିନ୍ନ କୁଷ୍ଠ କଲୋନୀରେ  ୩୫୯ଟି କୁଷ୍ଠ କର୍ମୀ ପଦବୀ ଖାଲିପଡିଛି । ଯାହାକୁ  ନେଇ ଗତବର୍ଷ ରାଜ୍ୟ କୁଷ୍ଠ ସଙ୍ଗଠନ କ୍ଷୋଭ ପ୍ରକାଶ  କରି ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ  ଫେରାଦ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ କିଛି ସମାଧାନ  ହୋଇପାରିନି ବୋଲି ସଙ୍ଗଠନର କର୍ମକର୍ତ୍ତାମାନେ  ଅଭିଯୋଗ କରିଛନ୍ତି । ଯଦି ଏହିଭଳି ସ୍ଥିତି ରୁହେ ତେବେ ୨୦୩୦ ସୁଦ୍ଧା କୁଷ୍ଠ ମୁକ୍ତ ଓଡିଶା କିପରି  ଗଠନ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।    

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, କୁଷ୍ଠ  ରୋଗୀଙ୍କ ପାଇଁ ରାଜ୍ୟରେ ୩୮୬ ଅକ୍ଷମତା ଦୂରୀକରଣ  ଓ ଚିକିତ୍ସା ପୁନର୍ବାସ କେନ୍ଦ୍ର ରହିଛି । ଯେଉଁଠି ରୋଗୀଙ୍କୁ  ସ୍ୱତନ୍ତ୍ର ଏମସିଆର ଚପଲ ଯୋଗାଇଦିଆଯାଉଛି । ଏଥିସହ  ଯେଉଁ ବ୍ୟକ୍ତି ରୋଗୀଙ୍କ ସଂସ୍ପର୍ଶରେ ଆସିବେ ସେମାନଙ୍କୁ  ପାନ ରିଫାମପିସିନ୍‌ ଔଷଧ ଖାଇବାକୁ ଦିଆଯାଉଛି ।  ଜଣେ ଅଧିକାରୀଙ୍କ କହିବା କଥା, କୁଷ୍ଠ କର୍ମୀଙ୍କ ନିଯୁକ୍ତି  ସରକାରଙ୍କ ଦାୟିତ୍ୱ । ଆଉ ଆବଶ୍ୟକତା ପଡୁନି ।  ସେମାନଙ୍କୁ ସାଧାରଣ ସ୍ୱାସ୍ଥ୍ୟକେନ୍ଦ୍ରରେ ମିଶାଇ ଦେବାକୁ  ଚେଷ୍ଟା ଚାଲିଛି । କାରଣ ଏବେ ରୋଗୀଙ୍କୁ ସାଧାରଣ  ରୋଗୀଙ୍କ ଭଳି ଡିପିଆରଏମ୍‌ରେ ଚିକିତ୍ସା କରାଯାଉଛି ।