ପ୍ରମୂଖ ଖବର
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ହମାସ ମୁଖ୍ୟ ୟାହ୍ୟା ସିନୱାରଙ୍କୁ କେମିତି ମାରିଲା ଇସ୍ରାଏଲ, ମୃତ୍ୟୁ ପୂର୍ବରୁ ଭିଡିଓ ଭାଇରାଲ

Published By : Anindita Ratha | October 18, 2024 12:52 PM

ନୂଆଦିଲ୍ଲୀ, ୧୮/୧୦:   ଗାଜାର ଲାଡେନ ନାମରେ ଜଣାଶୁଣା ହମାସ ମୁଖ୍ୟ ୟାହ୍ୟା ସିନୱାରଙ୍କୁ ହତ୍ୟା କରିଛି ଇସ୍ରାଏଲ ।  ଗୁରୁବାର ଦିନ ଏକ ଅପରେସନରେ ସିନୱାରଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି । ତେବେ ଇସ୍ରାଏଲ୍ ସେନାଠୁ ରକ୍ଷା ପାଇବାକୁ ଏକ ବିଲ୍ଡିଂରେ ଲୁଚି ରହିଥିଲା ସିନୱାର । ଇସ୍ରାଏଲ୍‌ ଫୋର୍ସ ଏହି ବିଲ୍ଡିଂକୁ ଯେତେବେଳେ ଧ୍ୱଂସ କରିଦେଇଥିଲା ସେତେବେଳେ ୟାହ୍ୟା ସିନୱାରଙ୍କ ମୃତ୍ୟୁ ହୋଇଥିଲା ବୋଲି ଜଣାପଡିଛି। ଇସ୍ରାଏଲ୍ ସେନା ହତ୍ୟାକାଣ୍ଡର ଠିକ୍ ପୂର୍ବରୁ ସିନୱାରଙ୍କ ଏକ ଭିଡିଓ କ୍ୟାମେରାରେ କଏଦ କରିଥିଲା । ଶେଷ ମୁହୁର୍ତ୍ତରେ ତାଙ୍କ ଅବସ୍ଥା ଏହି ଭିଡିଓରେ ଦେଖିବାକୁ ମିଳିଛି । ଇସ୍ରାଏଲ୍ ଫୋର୍ସ ଦ୍ୱାରା ଛଡ଼ା ଯାଇଥିବା ଏହି ଭିଡିଓରେ ସିନୱାର ଏକ ସୋଫା ଉପରେ ଏକ ବାଡ଼ି ଧରି ବସି ରହିଥିବାର ଦେଖିବାକୁ ମିଳୁଛି ।

ସୂଚନା ମୁତାବକ, ଦିନ ପ୍ରାୟ ୧୦ଟାରେ ଆରମ୍ଭ ହୋଇଥିଲା ଏହି ଅପରେସନ । ଯେତେବେଳେ ଇସ୍ରାଏଲର ୪୫୦ତମ ବାଟାଲିଅନର ଜଣେ ସୈନିକ  ଏକ କୋଠା ଭିତରକୁ ଯାଇ ବାହାରକୁ ଯାଉଥିବାର ଦେଖିବାକୁ ପାଇଥିଲେ । ଏହି ଖବର ସେ ତାଙ୍କ ସେନାଧ୍ୟକ୍ଷଙ୍କୁ ଜଣାଇଥିଲେ । ଯାହା ପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅପରାହ୍ନ ୩ଟାରେ ଆଇଡିଏଫ୍ ଡ୍ରୋନ୍ ମାଧ୍ୟମରେ ଦେଖିଲେ ଯେ ତିନି ଜଣ ଲୋକ ଗୋଟିଏ ଘରୁ ଅନ୍ୟ ଘରକୁ ଯିବାକୁ ଚେଷ୍ଟା କରୁଛନ୍ତି । ତୃତୀୟ ବ୍ୟକ୍ତି ପଛରେ ଥିବାବେଳେ ଦୁଇଜଣ ବ୍ୟକ୍ତି କମ୍ବଳରେ ଘୋଡ଼ି ହୋଇ ଆଗକୁ ଯାଉଥିଲେ । ତେବେ ଇସ୍ରାଏଲ କମାଣ୍ଡର ଏହି ତିନିଜଣଙ୍କ ଉପରକୁ ଗୁଳି ଚଳାଇ ସେମାନଙ୍କୁ ଅଲଗା କରିଦେଲେ । ଦୁଇ ଆତଙ୍କବାଦୀ ଏକ କୋଠାକୁ ପଳାଇଥିଲେ ଏବଂ ତୃତୀୟ ବ୍ୟକ୍ତି ଅନ୍ୟ ଏକ ଅଲଗା ବିଲ୍ଡିଂରେ ପ୍ରବେଶ କରିଥିଲେ । ଏହି ତୃତୀୟ ବ୍ୟକ୍ତି ଜଣକ ଥିଲେ ୟାହ୍ୟା ସିନୱାର । ଅବଶ୍ୟ, ସେତେବେଳେ ଇସ୍ରାଏଲ୍ ସୈନିକମାନେ ଜାଣି ନ ଥିଲେ ଯେ ସେମାନେ ସିନୱାରକୁ ଘେରି ରହିଥିଲେ। ଏହି ସମୟରେ ସିନୱାର ବିଲ୍ଡିଂର ଦ୍ୱିତୀୟ ମହଲାକୁ ଯାଇଥିଲେ । ଆଇଡିଏଫ୍ ଟ୍ୟାଙ୍କ ସାହାଯ୍ୟରେ ତାଙ୍କ ଉପରକୁ ଗୁଳି ଚଳାଇଥିଲା । ଯେତେବେଳେ ଇସ୍ରାଏଲ ସେନା ବିଲ୍ଡିଂ ନିକଟରେ ପହଞ୍ଚିଲେ, ତାଙ୍କ ଉପରକୁ ବିଲ୍ଡିଂ ଭିତରୁ ଦୁଇଟି ଗ୍ରେନେଡ୍‌ ଫିଙ୍ଗି ଥିଲେ । ଏହାପରେ ସୈନିକମାନେ ବିଲ୍ଡିଂ ନିକଟରୁ ପଛକୁ ଫେରି ଏକ ଡ୍ରୋନ୍‌ ପଠାଇଥିଲେ । 

ଏନେଇ ଡ୍ରୋନ୍‌ ମାଧ୍ୟମରେ ଇସ୍ରାଏଲ ସେନା ବିଲ୍ଡିଂ ଭିତରେ ଜଣେ ଆହତ ବ୍ୟକ୍ତିଙ୍କୁ ଦେଖିବାକୁ ପାଇଥିଲେ । ଯାହାର ମୁହଁ ଆଚ୍ଛାଦିତ ହୋଇଥିଲା । ସେ କୋଠରୀରେ ଥିବା ଭଗ୍ନାବଶେଷ ମଧ୍ୟରେ ଥିବା ଏକ ସୋଫାରେ ବସିଥିଲେ ଏବଂ ତାଙ୍କ ହାତରେ ଏକ ବାଡ଼ି ଥିଲା । ଯେତେବେଳେ ଡ୍ରୋନ୍‌ ତାଙ୍କ ପାଖରେ ପହଞ୍ଚିଥିଲା, ସେତେବେଳେ ସେ ବାଡ଼ି ଫିଙ୍ଗି ଡ୍ରୋନ୍‌ ଖସାଇ ଦେବାକୁ ଚେଷ୍ଟା କରିଥିଲେ । ତେବେ ଏହା ପରେ ଆଇଡିଏଫ୍‌ ଟ୍ୟାଙ୍କ୍‌ ସାହାଯ୍ୟରେ ବିଲ୍ଡିଂ ଉପରେ ଆକ୍ରମଣ ହୋଇଥିଲା ।ଇସ୍ରାଏଲର ଗଣମାଧ୍ୟମ ଅନୁଯାୟୀ, ଗୁରୁବାର ସକାଳେ ଯେତେବେଳେ ସୈନିକମାନେ ବିଲ୍ଡିଂରେ ଖୋଜାଖୋଜି ଆରମ୍ଭ କରିଥିଲେ, ସେତେବେଳେ ସେମାନେ ଦେଖିଲେ ଯେ ୟାହ୍ୟା ସିନୱାର ପରି ଦେଖାଯାଉଥିବା ଜଣେ ବ୍ୟକ୍ତି ସେହି ବିଲ୍ଡିଂରେ ପଡ଼ିଛନ୍ତି । ଏହା ପରେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା ଏବଂ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଡିଏନ୍ଏ ଏବଂ ଅନ୍ୟାନ୍ୟ ପରୀକ୍ଷା ଆଧାରରେ ଏହା ନିଶ୍ଚିତ ହୋଇଥିଲା ଯେ ହତ୍ୟା କରାଯାଇଥିବା ଆତଙ୍କବାଦୀ ପ୍ରକୃତରେ ସିନୱାର । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.