ନୂଆଦିଲ୍ଲୀ,୧୦/୧୧; ନେତା ହେଲେ ବି ଛଡାଗଲା ନାହିଁ । ବିଳମ୍ବ ହେଲା ମାନେ ଦଣ୍ଡ ତ ମିଳିବ ! ମଧ୍ୟପ୍ରଦେଶ ନର୍ମଦାପୁରମ ଜିଲ୍ଲା ପଞ୍ଚମଢ଼ିଠାରେ କଂଗ୍ରେସର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଚାଲିଛି । ଟ୍ରେନିଂ କ୍ୟାମ୍ପରେ କଂଗ୍ରେସ ତଥା ବିରୋଧୀ ଦଳ ନେତା ସାଂସଦ ରାହୁଲ ଗାନ୍ଧୀ ସାମିଲ ହେବାକୁ ପହଞ୍ଚିଥିଲେ । ହୋଟେଲ ହାଇଲାଣ୍ଡରେ ପ୍ରଶିକ୍ଷଣ ଶିବିରକୁ ସମ୍ବୋଧନ କରିଥିଲେ । ରାହୁଲ ସେଠାରେ ୨ ମିନିଟ୍ ବିଳମ୍ବରେ ପହଞ୍ଚିଥିଲେ । ଦଣ୍ଡ ସ୍ୱରୂପ ତାଙ୍କୁ ୧୦ ପୁସ୍ଅପ୍ କରିବାକୁ କୁହାଯାଇଥିଲା । ରାହୁଲ ମଧ୍ୟ ତାକୁ ସ୍ୱୀକାର କରିଥିଲେ । ସମସ୍ତଙ୍କ ସାମ୍ନାରେ ୧୦ ପୁସ୍ଅପ୍ କରିଥିଲେ ରାହୁଲ ଗାନ୍ଧୀ । ଏହି ଦଣ୍ଡ ବାବଦରେ କଂଗ୍ରେସ ଟ୍ରେନିଂ ବିଭାଗର ମୁଖ୍ୟ ସଚିନ ରାଓ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ ପ୍ରଶିକ୍ଷଣ ଶିବିରରେ ଅନୁଶାସନ ପାଳନ ନକଲେ ଦଣ୍ଡ ମିଳିବ ।
ଖବର ସରବରାହ ସଂସ୍ଥା ପିଟିଆଇ ଅନୁସାରେ, ମଧ୍ୟପ୍ରଦେଶ କଂଗ୍ରେସ ମିଡିଆ ସଂଯୋଜକ ମୁଖ୍ୟ ଅଭିନବ ବରୋଲିୟା କହିଛନ୍ତି,'' ଆମ ନେତା ରାହୁଲ ଜୀଙ୍କ ପାଇଁ ଏହା କିଛି ନୂଆ କିମ୍ବା ଆଶ୍ଚର୍ଯ୍ୟକର କଥା ନୁହେଁ । ଆମ ଶିବିରରେ ଆମେ ଅନୁଶାସନ, ଶୃଙ୍ଖଳାର ପାଳନ କରିଥାଉ । ଦଳରେ ଏକ ଲୋକତନ୍ତ୍ର ଅଛି ଯେଉଁଠି ସମସ୍ତେ ସମାନ୍ ଏବଂ ସେମାନଙ୍କ ସହିତ ସମାନ ବ୍ୟବହାର କରାଯାଏ । ଆମ ଦଳ ଭାଜପା ପରି ନୁହେଁ ।''
ଦଣ୍ଡ ପୂର୍ବରୁ ସ୍ଥିର ଥିଲା- କଂଗ୍ରେସ ସୁତ୍ର ଅନୁଯାୟୀ, ଏଆଇସିସିର ତାଲିମ ବିଭାଗ ମୁଖ୍ୟ ସଚିନ ରାଓ କହିଛନ୍ତି, ବିଳମ୍ବରେ ପହଞ୍ଚିବା ପାଇଁ ସଂଗଠନ ସୃଜନ ଅଭିଯାନ ବିଳମ୍ବରେ ପହଞ୍ଚିଲେ ୧୦ ମିନିଟ୍ ପୁସ୍ଅପ୍ ଦଣ୍ଡ ପୂର୍ବରୁ ସ୍ଥିର କରିଥିଲେ । ୨୦୨୮ରେ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଦଳକୁ ତୃଣମୂଳ ସ୍ତରରେ ମଜବୁତ୍ କରିବା ଏସଏସଏର ଉଦ୍ଦେଶ୍ୟ । ଏହି ଦୁଇ ଦିନିକିଆ ଶବିର ଆସନ୍ତାକାଲି ଶେଷ ହେବ ।
ମଧ୍ୟପ୍ରଦେଶର ପନାରପାନି ଠାରେ ସାମ୍ବାଦିକଙ୍କୁ ସୂଚନା ଦେଇ ରାହୁଲ କହଥିଲେ କି,''ହରିୟାଣାରେ ୨୫ ଲକ୍ଷ ଭୋଟ ଚୋରି ହୋଇଛି । ପ୍ରତି ୮ ଜଣରେ ଜଣଙ୍କ ଭୋଟ ଚୋରି ହୋଇଛି । ଏହା ହେଉଛି ବିଜେପି ଓ ନିର୍ବାଚନ କମିଶନଙ୍କ ସିଷ୍ଟମ । ଆମ ପାଖରେ ପ୍ରମାଣ ଅଛି ଏହାକୁ ଧୀରେ ଧୀରେ ସାର୍ବାଜନିନ କରିବୁ ।'' ଏହାର ଜବାବ ଦେଇ ବିଜେପି ପ୍ରବକ୍ତା ଶହୱାଜ ପୁନୱାଲା କହିଛନ୍ତି କି, ରାହୁଲ ଗାନ୍ଧୀଙ୍କ ପାଇଁ ଏଲ୍ଓପିର ଅର୍ଥ ଦଳର ନେତା ନୁହେଁ, ବରଂ ପର୍ଯ୍ୟଟନ ଏବଂ ଦଳର ନେତା । ବିହାର ନିର୍ବାଚନ ଚାଲିଛି ସେ ପଞ୍ଚମଢ଼ିରେ ସଫାରିରେ ଅଛନ୍ତି । ଯଦି ସେ ନିର୍ବାଚନରେ ହାରି ଯାଆନ୍ତି ତେବେ ନିର୍ବାଚନ କମିଶନଙ୍କୁ ଦୋଷ ଦେବେ ।
ରାହୁଲ ପଞ୍ଚମଢ଼ିରେ ଜଙ୍ଗଲ ସଫାରି କରିଥିଲେ । ସକାଳ ୬ଟା ୧୫ରେ ସେ ରବିଶଙ୍କର ଭବନରୁ ଗାଡିରେ ବାହାରିଥିଲେ । ସାତପୁଡା ବ୍ୟାଘ୍ର ଅଭୟାରଣ୍ୟର ପନାରପାନି ଗେଟ ପର୍ଯ୍ୟନ୍ତ ୧୦ କି.ମି ନିଜ ଗାଡିରେ ଯାଇଥିଲେ । ସେଠାରୁ ଖୋଲା ଜିପ୍ରେ ପନାରପାନି ଓ ବାରାସୋଲ ପର୍ଯ୍ୟନ୍ତ ବୁଲିଥିଲେ । ସକାଳ ୮ଟା ୫୫ରେ ରବିଶଙ୍କର ଭବନକୁ ଫେରିଆସିଥିଲେ । ସେଠାରେ ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ ।