ଭୁବନେଶ୍ୱର ୦୫/୦୪: ହସ ଚିନ୍ତା କମିଥାଏ । ଏହା ଖୁବ୍‌ ପ୍ରଭାବଶାଳୀ ଓ ଶସ୍ତା ଔଷଧ ଭାବେ ବେଶ୍‌  ପରିଚିତ । ନିୟମିତ ୧୫ ମିନିଟ୍‌ ପାଇଁ ହୃଦୟ ଖୋଲା ଭାବେ ହସିବା  ଉଚିତ୍‌ । ହସ ବା ଖୁସିରେ ରହିବା ବ୍ୟକ୍ତି ପାଇଁ କୌଣସି ଥେରାପୀଠାରୁ କମ୍‌  ନୁହେଁ । ତେଣିକି ତାହା ଟିଭିର କାର୍ଟୁନ୍‌ ଶୋ’ ଦେଖି ହେଉ ଅବା ଖବର କାଗଜର  ହସକଥା ପଢି ହେଉ । କାରଣ ହସ ବ୍ୟକ୍ତିକୁ ଅନେକ ଫାଇଦା ପହଞ୍ଚାଇଥାଏ ।   ହସିବା ଦ୍ୱାରା ଷ୍ଟ୍ରେସ୍‌ କମ୍‌ ରହିଥାଏ । କେବଳ ଷ୍ଟ୍ରେସ୍‌ ନୁହେଁ, ମାଂସପେଶୀକୁ  ୪୫ ମିନିଟ୍‌ ଯାଏ ଆରାମ ମିଳିଥାଏ ।  

ହସ ଶରୀରରେ ଷ୍ଟ୍ରେସ୍‌ ହର୍‌ମୋନ୍‌ ସ୍ତର କମ୍‌ କରିଥାଏ, ଯାହା ଶରୀରରେ ଥିବା  ଆଣ୍ଟିବର୍ଡି ପାଇଁ ଲାଭଦାୟକ । କେତେକ ଗବେଷଣାରୁ ପ୍ରମାଣିତ ହୋଇସାରିଛି  ଯେ ହୃଦୟ ଖୋଲା ହସୁଥିବା ଲୋକମାନେ ଅଧିକ ସୁସ୍ଥ । ମଣିଷ ହୃଦୟ ଖୋଲା ହସିବା ଦ୍ୱାରା ଶରୀରରୁ ଏଣ୍ଡୋଫିନ୍‌ ହର୍‌ମୋନ୍‌ କ୍ଷରଣ  ହୋଇଥାଏ । ଏହା ଷ୍ଟ୍ରେସ୍‌ ବା ଚିନ୍ତାକୁ କମ୍‌ କରିବା ସହ ରୋଗ ପ୍ରତିରୋଧକ  ଶକ୍ତି ବଢାଇଥାଏ ।  କୁହାଯାଏ ହସିବା ଦ୍ୱାରା ରୋଗ ଛୁମନ୍ତର୍‌ ହୋଇଯାଏ । ଯଦି  ଆପଣ ଖୁସିରେ ହସୁଥାନ୍ତି, ତେବେ ରକ୍ତ ସଞ୍ଚାଳନ ମଧ୍ୟ ତୀବ୍ର ହୋଇଥାଏ ।  ଫଳରେ ହୃଦୟ ସମ୍ବନ୍ଧୀୟ ସମସ୍ୟା କମ୍‌ ରହିଥାଏ । 

ଏହାବ୍ୟତୀତ ହସ ଶରୀରରେ ସୋରୋଟୋନିନ୍‌ ହର୍‌ମୋନ୍‌ ସ୍ତରକୁ ବଢାଇଥାଏ, ଯାହା ମୁଡ୍‌କୁ ଭଲ ରଖିବାରେ ସହଯୋଗ କରିଥାଏ । ଫଳରେ ଅବସାଦ ଓ ଆଙ୍ଗ୍‌ଜାଇଟି  ବ୍ୟକ୍ତିକୁ ସ୍ପର୍ଶ କରିପାରେନା । ଲାପ୍ଟର୍‌ ଥେରାପୀ ଅନିଦ୍ରାଜନିତ ସମସ୍ୟାଠାରୁ  ମୁକ୍ତି ଦେଇଥାଏ । ହୃଦୟ ଖୋଲା ହସ ଶରୀରରେ ମେଲାନିନ୍‌ ହର୍‌ମୋନ୍‌   କ୍ଷରଣ ବଢାଇଥାଏ, ଯାହା ନିଦ ଆଣିବାରେ ସହାୟତା କରିଥାଏ । ହସିବା  ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ରହିବା ସହ ମଧୁମେହର ଆଶଙ୍କା କମାଇଥାଏ ।