ନୂଆଦିଲ୍ଲୀ,୯/୪ : ଟି-୨୦ କ୍ରିକେଟରେ ସାଧାରଣତ ଆପଣ ଦେଖିଥିବେ କି ବୋଲରଙ୍କ ଉପରେ ବ୍ୟାଟର ଅଧିକ ଭାରି ପଡ଼ିଥାନ୍ତି । ବୋଲରଙ୍କ ଲାଗି କୌଣସି ବି ଟିମକୁ ୧୫୦ରନରୁ କମ୍ ସ୍କୋରରେ ରୋକିବାକୁ ବହୁ ଅସୁବିଧା ହୋଇଥାଏ । କାରଣ ଏହି ଫର୍ମାଟରେ ଏକ ବୋଲର ୪ଓଭର ପକାଇଥାଏ । ଏଥିଲାଗି ଗୋଟିଏ ଟି-୨୦ ମ୍ୟାଚରେ ୫ ଓ୍ବିକେଟ ନେବା ବି ଅସମ୍ଭବ ହୋଇପଡ଼ିଥାଏ । କିନ୍ତୁ ଆମେ ଯଦି କହିବା ଟି-୨୦ ମ୍ୟାଚରେ ଜଣେ ବୋଲର ୯ଓ୍ବିକେଟ ନେଇଛନ୍ତି ତ କ’ଣ ଆପଣ ବିଶ୍ବାସ କରିପାରିବେ ।
ଆଜ୍ଞା ହଁ ଏହା ସମ୍ପୂର୍ଣ୍ଣ ଭାବେ ସତ୍ୟ ଘଟଣା । ଏହି ଘଟଣା ଦେଖିବାକୁ ମିଳିଛି ବ୍ରାଜିଲରେ । ଯାହା ରାଷ୍ଟ୍ରୀୟ ମହିଳା କ୍ରିକେଟ ଟିମର ଅଲରାଉଣ୍ଡର ଖେଳାଳୀ ଲାରା କାର୍ଡୋସୋ ଗୋଟିଏ ଟି-୨୦ ପାଳିରେ ୯ଓ୍ବିକେଟ ନେଇଛନ୍ତି । ପୁରୁଷ ଏବଂ ମହିଳା କ୍ରିକେଟରେ ମିଶାଇ କାର୍ଡୋସୋ ଗୋଟିଏ ଟି-୨୦ ପାଳିରେ ସବୁଠାରୁ ଅଧିକ ଓ୍ବିକେଟ ନେବାର ବୋଲର ହୋଇଯାଇଛନ୍ତି ।
ମହିଳା ଟି-୨୦ କ୍ରିକେଟରେ ବ୍ରାଜିଲ ଏବଂ ଲେସେଥେର ଟିମ୍ ସାମ୍ନାସାମ୍ନି ଥିଲେ । ବ୍ରାଜିଲର ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨୦୨ରନ୍ କରିଥିଲେ । ଏହି ଲକ୍ଷ୍ୟର ପିଛା କରି ଆସିଥିବା ଲେସେଥେର ପୂରା ଟିମ୍ ୧୩ରନରେ ଅଲଆଉଟ୍ ହୋଇଯାଇଥିଲେ । ପୂରା ଟିମ୍ କେବଳ ୬.୨ଓଭର ହିଁ ବ୍ୟାଟିଂ କରିପାରିଥିଲେ । ଲେସେଥେ ଟିମର କୌଣସି ବି ଖେଳାଳୀ ରନ୍ ମାମଲାରେ ଦୁଇ ଅଙ୍କ ଛୁଇଁ ପାରିନଥିଲେ ଏବଂ ୮ ବ୍ୟାଟର ତ ଖାତା ଖୋଲି ପାରିନଥିଲେ ।
ଲାରା କାର୍ଡୋସୋ ଏହି ମ୍ୟାଚରେ ୩ ଓଭର ପକାଇଥିଲେ । ଯେଉଁଥିରେ ୨ମେଡେନ ଥିଲା । ସେ ପ୍ରାୟ ୯ ବ୍ୟାଟରଙ୍କୁ ଆଉଟ୍ କରିଥିଲେ । ବାକି ରହିଥିବା ଏକ ଓ୍ବିକେଟ ମ୍ୟାରିଏନ ଆର୍ଟୁରଙ୍କ ଖାତାକୁ ଯାଇଥିଲା, ଯିଏ ନିଜ ସ୍ପେଲର ଦ୍ବିତୀୟ ବଲରେ ଓ୍ବିକେଟ ନେଇଥିଲେ । ଲେସେଥେଙ୍କ ଦ୍ବାରା କରାଯାଇଥିବା ୧୩ରନ୍ ମହିଳା ଅନ୍ତରାଷ୍ଟ୍ରୀୟ ଟି-୨୦ କ୍ରିକେଟରେ କୌଣସି ଟିମ୍ ଦ୍ବାରା କରାଯାଇଥିବା ୭ମ ସବୁଠାରୁ ଛୋଟ ସ୍କୋର ଅଟେ ।