ଭୁବନେଶ୍ଵର, ୩୦/୦୧ : କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ସହ ଗଣ୍ଡଗୋଳ ନେଇ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ବଡ଼ ବୟାନ। "କୋଟିଆ ଓଡ଼ିଶାର ଥିଲା, ଓଡ଼ିଶାର ରହିବ। କେହି ବି ସେଥିରେ ରାଜନୈତିକ କାରଣରୁ ଖରାପ ନଜରରେ ଦେଖିବ ତାହାଲେ ଆମେ ଛାଡ଼ିବୁ ନାହିଁ। ଆମର ଯେଉଁ ଜାଗରେ ଅଧିକାର ନାହିଁ ସେଠି ଦ୍ୱନ୍ଦ ସୃଷ୍ଟି କରାଗଲେ କିମ୍ବା ମୋ ଘର ଛାଡି ମୁ ପଡିଶା ଘରେ ରହିବାକୁ ଚେଷ୍ଟା କଲେ ଦ୍ୱନ୍ଦ ହେବ।"
ସୂଚନା ଥାଉକି, ଆନ୍ଧ୍ର ଅଧିକାରୀମାନେ ପଟ୍ଟାଙ୍ଗି ବ୍ଲକ୍ କୋଟିଆ ପଞ୍ଚାୟତ ଉପରସେମ୍ବୀ ଏବଂ ଗଞ୍ଜେଇପଦରର ଲୋକଙ୍କ ଆଧାରକାର୍ଡ ଅପଡେଟ୍ କରୁଥିଲେ। ଖବର ପାଇ ଓଡ଼ିଶା ପୁଲିସ ପହଞ୍ଚି ସେମାନଙ୍କୁ ବିରୋଧ କରି ଆନ୍ଧ୍ର ଫେରିଯିବା ପାଇଁ ପରାମର୍ଶ ଦେଇଥିଲା । ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଥିଲେ । ଆନ୍ଧ୍ର ରାସନକାର୍ଡ ଦେଲେ କିଛି ଅସୁବିଧା ନାହିଁ ଏବଂ ସେମାନେ ଆନ୍ଧ୍ର ସହ ଅଛନ୍ତି ବୋଲି ଯୁକ୍ତି କରିଥିଲେ । ବାଧ୍ୟ ହୋଇ ପୁଲିସ୍ ଫେରି ଆସିଛି । ଗୁରୁବାର ଆନ୍ଧ୍ରର କେତେକ ସରକାରୀ ଅଧିକାରୀ ଓ କର୍ମଚାରୀ ଉପରୋକ୍ତ ଦୁଇ ଗାଁରେ ପହଞ୍ଚିଥିଲେ । ଗ୍ରାମବାସୀଙ୍କୁ ଆଧାରକାର୍ଡ, ରାସନକାର୍ଡ ବାବଦରେ ବୁଝାଇଥିଲେ । ରାସନକାର୍ଡ ସମ୍ପର୍କରେ ଖବର ପାଇ କୋଟିଆ ପଞ୍ଚାୟତ ସଦର ମହକୁମାରେ ମୁତୟନ ପୁଲିସ୍ ପହଞ୍ଚିଥିଲା । ଅଧିକାରୀମାନଙ୍କୁ ବିରୋଧ କରିବା ସହ ସେମାନଙ୍କୁ କୋଟିଆ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମବାସୀଙ୍କ ଆନ୍ଧ୍ର ପ୍ରେମ ଦେଖି ପୁଲିସ କର୍ମଚାରୀ ବି ଫେରି ଆସିଥିଲେ । ତେବେ ଆନ୍ଧ୍ର ସରକାରୀ କର୍ମଚାରୀଙ୍କ ଅନୁପ୍ରବେଶ ଜିଲ୍ଲା ପ୍ରଶାସନ ପ୍ରତି ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
କୋଟିଆ ଓଡ଼ିଶାର ଅବିଛେଦ୍ୟ ଅଙ୍ଗ
ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଦୀର୍ଘ ଦିନରୁ ଆନ୍ଧ୍ରପ୍ରଦେଶ ତାର ଏଭଳି ଆଭିମୁଖ୍ୟ ଦେଖାଉଛି। ସୀମା ଅତିକ୍ରମ କରି କୋଟିଆ ଲୋକଙ୍କୁ ପ୍ରଭାବିତ କରୁଛନ୍ତି। ସବୁ ବିଭାଗର ଅଧିକାରୀଙ୍କୁ କହିଛୁ, ଲୋକଙ୍କର ଯାହା ଆବଶ୍ୟକ ଅଛି ଦିଆଯିବ। ବାଧ୍ୟ ବାଧକତାରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ମାଉସୀ ହୋଇ ସାହାଯ୍ଯ କରୁଛନ୍ତି, ଆମେ ମା' ଭଳି କରୁଛୁ। କୋଟିଆର ବିକାଶ ପାଇଁ ପୂର୍ଣ୍ଣକାଳୀନ ଅଫିସରଙ୍କୁ ଦାୟିତ୍ଵ ଦିଆଯାଇଛି। ରୋଡ ମ୍ୟାପ୍ ପ୍ରସ୍ତୁତ ହେଉଛି। ଲୋକ ଓ ସ୍ଥାନୀୟ ପ୍ରଶାସନ ଆନ୍ଧ୍ର ପ୍ରଦେଶର ଉଦ୍ଦେଶ୍ଯକୁ ପଣ୍ଡ କରୁଛନ୍ତି। ଲୋକ ସତର୍କ ଅଛନ୍ତି। ବେଆଇନ ଅନୁପ୍ରବେଶ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ। କୋଟିଆ ଓଡ଼ିଶାର ଅବିଛେଦ୍ୟ ଅଙ୍ଗ। କେହି ଅଲଗା କରିପାରିବେନି। ସ୍ଵତନ୍ତ୍ର ପ୍ରୋଜେକ୍ଟ ଦିଆଯାଉଛି। ପର୍ଯ୍ୟଟନ, ଶିକ୍ଷା ଏବଂ ସ୍ଵାସ୍ଥ୍ୟ ଉପରେ ଗୁରୁତ୍ଵ ଦିଆଯାଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରାଯାଉଛି। ଅତୀତରେ ପୂର୍ବ ସରକାର ଠିକ ଯୁକ୍ତି ରଖି ନାହାନ୍ତି।
ବିରୋଧୀଙ୍କ ଟାର୍ଗେଟ୍
ସେପଟେ କୋଟିଆ ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ ମନୋହର ରନ୍ଧାରୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, କୋଟିଆ ପାଇଁ ରାଜ୍ୟ ସରକାର ନିଷ୍କ୍ରିୟତା ଦେଖାଉଛନ୍ତି। ଆନ୍ଧ୍ର ବାରମ୍ଵାର କୋଟିଆ ଆମର ବୋଲି ଜାହିର କରୁଛି। ଡବଲ ଇଞ୍ଜିନ ସରକାର ଏହାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କୁ ଜଣାଇବା କଥା। ଦୁଇ ବର୍ଷ ହେଲା କିଛି ନୂତନ ଯୋଜନା କରିନାହାନ୍ତି। ପୂର୍ବ ସରକାର କେବେ ବି ଅବହେଳା କରିନାହାନ୍ତି। ସେହିପରି କଂଗ୍ରେସ ବିଧାୟକ ଦଶରଥୀ ଗମାଙ୍ଗ କହିଛନ୍ତି ଯେ, ଆନ୍ଧ୍ରରେ ବିଜେପିର ମେଣ୍ଟ ସରକାର, ଓଡ଼ିଶାରେ ବିଜେପି ସରକାର। ଓଡ଼ିଶା ସୀମାରେ ଆନ୍ଧ୍ର ପଶି ରାସନ କାର୍ଡ ସର୍ଭେ କରିବା ଦୁର୍ଭାଗ୍ୟଜନକ। ବିଜେପି ସରକାର ବୋଧେ କିଛି କହୁନାହାଁନ୍ତି। ଓଡ଼ିଶାର ଇଞ୍ଚେ ଜମି କେହି ନ ମାଡି ବସନ୍ତୁ, ସେଥିପାଇଁ ସରକାର କାମ କରନ୍ତୁ।
ଜାନୁଆରୀ ୩୦ ସାଢେ ୫ଟାରେ ଦେଖନ୍ତୁ ପ୍ରମେୟ ମେଡିକାଲ୍ ଆଷ୍ଟ୍ରୋ-
ସୂଚନାଥାଉକି, ଗତ ୨୭ ତାରିଖରେ ଆନ୍ଧ୍ରର ଏକ ରାଜନୈତିକ ଦଳର କର୍ମକର୍ତ୍ତମାନେ ଉପରସେମ୍ବୀରେ ବୈଠକ କରିଥିଲେ । ଏଥିରେ ୧୨ ଖଣ୍ଡ ଗାଁର ମୁଖିଆ ଓ ଲୋକ ଯୋଗ ଦେଇଥିଲେ । ଉକ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନେ ଏହି ୧୨ ଖଣ୍ଡ ଗାଁକୁ ସେମାନଙ୍କ ବୋଲି ଦାବି କରିଥିଲେ । ଦୁଇଦିନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କୋଟିଆ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଭିତ୍ତି ଦେଇଥିଲେ । କୋଟିଆ ଓଡ଼ିଶାର ଅଛି, ରହିବ ବୋଲି ଆନ୍ଧ୍ରକୁ କଡ଼ା ଜବାବ ଦେଇଥିଲେ । ତଥାପି ଆନ୍ଧ୍ର ପକ୍ଷରୁ ଅନୁପ୍ରବେଶ ଜାରି ରହିଛି।
ଏହି ଖବରଟିକୁ ପଢନ୍ତୁ- ନବ ଦାସ ହତ୍ୟା ମାମଲା ; ଡେଥ୍ ଟାଇମ୍ କୁ ନେଇ ବଢିଲା ସସପେନ୍ସ, ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ, ଖୁବଶୀଘ୍ର ଖୁଲାସା