ମୁମ୍ବାଇ,୧୨/୧୧:ନିକଟରେ ସଲମାନଙ୍କ ପରେ  ବଲିଉଡ ଅଭିନେତା ଶାହରୁଖ ଖାନ୍‌ଙ୍କୁ ମିଳିଥିଲା ହତ୍ୟା ଧମକ। ଯାହାକୁ ନେଇ ପୋଲିସ ଧମକ ଦେଇଥିବା ବ୍ୟକ୍ତିଙ୍କୁ  ଗିରଫ କରିଛି।ମୁମ୍ବାଇ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡର ରାୟପୁରରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ମହମ୍ମଦ ଫୈଜାନ ଖାନ୍‌। ସେ ପେସାରେ ଜଣେ ଓକିଲ। ମୁମ୍ବାଇ ପୁଲିସ ଆଜି ସକାଳୁ ଛତିଶଗଡର ରାୟପୁରରେ ଥିବା ତାଙ୍କ ବାସଭବନରୁ ତାଙ୍କୁ ଗିରଫ କରାଯାଇଛି। ମହମ୍ମଦ ଫୈଜାନ ଅଭିନେତାଙ୍କୁ ଧମକଚମକ ଦେବା ସହ ୫୦ ଲକ୍ଷ ଟଙ୍କା ମାଗିଥିଲେ।ବର୍ତ୍ତମାନ ଛତିଶଗଡର ରାଜଧାନୀ ରାୟପୁରରେ ମୁମ୍ବାଇ ପୁଲିସ ଟିମ୍ ଉପସ୍ଥିତ ରହି ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ଗିରଫ ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ।

ତେବେ ବାନ୍ଦ୍ରା ପୁଲିସ ଷ୍ଟେସନକୁ କେହି ଜଣେ ବ୍ୟକ୍ତି ଫୋନ୍‌ କରି ଶାହରୁଖ ଖାନ୍‌ଙ୍କୁ ଜୀବନରେ ମାରିବାକୁ ଧମକ ଦେବା ସହ ୫୦ ଲକ୍ଷ ଟଙ୍କା ମାଗିଥିଲେ। ନଭେମ୍ବର ୫ ତାରିଖରେ ଏହି ଫୋନ୍‌ କଲ୍‌ ଆସିଥିଲା। ଏହାପରେ ବାନ୍ଦ୍ରା ପୁଲିସ ଷ୍ଟେସନରେ ଏ ନେଇ ମାମଲା ରୁଜୁ ହୋଇଥିଲା। ପୁଲିସ ଯେଉଁ ନମ୍ବରରୁ ଫୋନ୍‌ କଲ୍ ଆସିଥିଲା ତାକୁ ଟ୍ରେସ୍‌ କରିବା ପରେ ଏହା ଛତିଶଗଡ଼ ରାୟପୁରର ମହମ୍ମଦ ଫୈଜାନ ଖାନ୍‌ଙ୍କ ବୋଲି ଜଣାପଡିଥିଲା। ଏହାପରେ ପରେ ତଦନ୍ତ ପାଇଁ ମୁମ୍ବାଇ ପୁଲିସର ଏକ ଟିମ୍‌ ଛତିଶଗଡ଼ ଯାଇ ଉକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲେ। ଜଣାପଡିଥିଲା ଯେ, ଏହି ଘଟଣାର ତିନି ଦିନ ପୂର୍ବରୁ ଅର୍ଥାତ୍ ୨ ନଭେମ୍ବରରେ ତାଙ୍କ ଫୋନ୍ ଚୋରି ହୋଇଯାଇଥିଲା ଏବଂ ସେ ନମ୍ବର ବନ୍ଦ କରିପାରିନଥିଲେ। ରାୟପୁରରେ ଫୋନ୍ ଚୋରି ହୋଇଥିବା ନେଇ ଏକ ରିପୋର୍ଟ ମଧ୍ୟ ଦାଖଲ କରିଥିଲେ।