ଭୁବନେଶ୍ୱର,୨୪/୧୦: ମା’  ଧନଦାତ୍ରୀ ଭକ୍ତଙ୍କ ଗହଣରୁ ବିଦାୟ  ନେଇ ସାରିଛନ୍ତି । ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ  ଭୁବନେଶ୍ୱରର ପ୍ରାୟ ୫୦ଟି ପୂଜା ମଣ୍ଡପରେ ବିରାଜିତ ମା’ ଗଜଲକ୍ଷ୍ମୀଙ୍କ ମୃଣ୍ମୟ ପ୍ରତିମାଙ୍କୁ ବୁଧବାର ବିଦାୟ ଦିଆଇଛି । ଭୁବନେଶ୍ୱର ଲକ୍ଷ୍ମୀ  ପୂଜା ଭସାଣି ଉତ୍ସବ ସମିତି ଆନୁକୂଲ୍ୟରେ  ମିଳିତ ଭସାଣି ଅନୁଷ୍ଠିତ ହୋଇଥିଲା । ଏଥିରେ  ଭୁବନେଶ୍ୱରର ପାଖାପାଖି ୧୨ଟି ମେଢ଼ ଯୋଗ  ଦେଇଥିଲେ । ସମସ୍ତ ମେଢ଼ ସହିଦନଗର ସ୍ଥିତ ଦୁର୍ଗା ପୂଜା ପଡିଆରେ ପହଞ୍ଚିଥିଲେ ।  ସେଠାରୁ ଜନପଥରେ ରାଜମହଲ ହୋଇ ବିସର୍ଜନ ପାଇଁ ଯାଇଥିଲେ । ସମସ୍ତ ସମିତିର  ମେଢ଼ ଓ କର୍ମକର୍ତ୍ତାଙ୍କୁ ଭୁବନେଶ୍ୱର ଲକ୍ଷ୍ମୀ  ପୂଜା ଭସାଣି ଉତ୍ସବର ସଭାପତି ମନୋରଞ୍ଜନ ଦାସ, ସାଧାରଣ ସମ୍ପାଦକ ହରିଶ ପ୍ରସାଦ ରଥ ସମ୍ବର୍ଦ୍ଧନା ଦେଇଥିଲେ ।  

ସହିଦନଗର ଦୁର୍ଗା ପୂଜା ସମିତିର ସଭାପତି  ହେମନ୍ତ କୁମାର ପରିଡା, ସମ୍ପାଦକ ସଚ୍ଚିନନ୍ଦନ  ନାୟକ, କାର୍ଯ୍ୟକାରୀ ସଭାପତି ସରୋଜ  କୁମାର ପାତ୍ର ଉପସ୍ଥିତ ଥିଲେ । ମା’ଙ୍କୁ ବିଦାୟ  ଦେବା ଅବସରରେ ଆୟୋଜନ କରାଯାଇଥିବା  ରୋସଣିରେ ପ୍ରାୟତଃ ସମସ୍ତେ ପାରମ୍ପରିକ  ବାଦ୍ୟଯନ୍ତ୍ର ବ୍ୟବହାର କରିଥିଲେ । ଘୋଡା  ନାଚ, ଛଉ ନୃତ୍ୟ, ସିଂହ ବାଜା, ପଞ୍ଜାବୀ ବାଜା,  ବ୍ରାସ ବ୍ୟାଣ୍ଡ ଓ ଅନେକ ପ୍ରକାର ବାଦ୍ୟଯନ୍ତ୍ର ଦେଖିବାକୁ ମିଳିଥିଲା । ଉତ୍ସବରେ ବାୟା ବାବା ଗଜଲକ୍ଷ୍ମୀ  ପୂଜା ସମିତି ୟୁନିଟ୍‌- ୯, ମହାବୀର ଲକ୍ଷ୍ମୀ ପୂଜା କମିଟି ବିଜେବି ନଗର, ବାବା ନୀଳକଣ୍ଠେଶ୍ୱର  ସାମୂହିକ ସଂଗଠନ ବରମୁଣ୍ଡା, ମା’ଦରୀୟାଣୀ  କ୍ଲବ ଭୋଟପଡା ଓ ସହିଦନଗର ଦୁର୍ଗା ପୂଜା  ସମିତି ସାମିଲ ହୋଇଥିଲେ । ସହିଦନଗର  ଦୁର୍ଗା ପୂଜା ସମିତି କର୍ମକର୍ତ୍ତା ଉପସ୍ଥିତ ରହି  ସହଯୋଗ କରିଥିଲେ ।