• ଭୂଇଁପୁରଠାରେ ୩୬ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ
  • ୪୦, ୮୧୧ କୋଟି ଟଙ୍କା ନିବେଶ, ସୃଷ୍ଟି ହେବ ୫୯ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ
  • ଶିଳ୍ପପତିଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ରାଉଣ୍ଡଟେବୁଲ୍ ବୈଠକ

ଭୁବନେଶ୍ୱର ୮ ।୪ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅନ୍ତର୍ଗତ ଭୂଇଁପୁର ଠାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ୩୬ ଟି ଶିଳ୍ପ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରୁ ୨୫ଟି ପ୍ରକଳ୍ପର ଶୁଭାରମ୍ଭ ହୋଇଥବା ବେଳେ ୧୧ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶା ଏବେ ଆଉ କେବଳ ଏକ ସମ୍ଭାବନାର ରାଜ୍ୟ ହୋଇ ରହିନାହିଁ, ଆମ ରାଜ୍ୟ ଏବେ ସମୃଦ୍ଧିର ସ୍ପର୍ଶ ଅନୁଭବ କରୁଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ସମୃଦ୍ଧ ଓଡିଶା’ର ସ୍ବର୍ଣ୍ଣିମ ଯାତ୍ରାରେ ଏକ ନୂତନ କିନ୍ତୁ ଗୁରୁତପୁର୍ଣ୍ଣ ଫର୍ଦ୍ଦ ଯୋଡି ହୋଇଗଲା। ବର୍ତ୍ତମାନ ଓଡିଶାରେ ଚାଲୁଥିବା ଦ୍ଵିତୀୟ ଶିଳ୍ପ ବିପ୍ଲବର ଏହା ହେଉଛି ବାସ୍ତବ ପ୍ରତିଫଳନ ଆଗାମୀ କିଛି ବର୍ଷ ମଧ୍ୟରେ ଆମରାଜ୍ୟ ଏକ ପୂର୍ଣ୍ଣ ସମୃଦ୍ଧି ସମ୍ପନ୍ନ ରାଜ୍ୟ ଭାବେ ବିଶ୍ଵ ଦରବାରରେ ଉଭା ହେବ। ଆଜିର ଏହି କାର୍ଯ୍ୟକ୍ରମରେ ଆଉ ୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି ଏବଂ ୫୯ ହଜାର ନିଯୁକ୍ତି ସୃଷ୍ଟି ହୋଇଛି ।

ଆମକୁ ଯେଉଁ ସାମଗ୍ରୀ ବିଦେଶରୁ ଆମଦାନୀ କରିବାକୁ ପଡୁଥିଲା, ସେଗୁଡ଼ିକ ଏବେ ଆମ ଖୋର୍ଦ୍ଧା ମାଟିରେ ତିଆରି ହେବ। ଏହି ସଫଳତା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ଓଡ଼ିଶାରେ ନିର୍ମିତ ସାମଗ୍ରୀ ବିଶ୍ଵ ବଜାରକୁ ଯିବ ଏବଂ ଆମ ଶିଳ୍ପ ବ୍ୟବସ୍ଥାକୁ ଆହୁରି ସ୍ଵାବଲମ୍ବୀ କରି ଗଢିତୋଳିବାରେ ସହାୟକ ହେବ। ଏହି ଶିଳ୍ପପ୍ରକଳ୍ପ ଗୁଡିକ ଆତ୍ମନିର୍ଭର ଭାରତ ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦେଶର ବିଭିନ୍ନ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଶିଳ୍ପପତି ମାନଙ୍କ ସହ ଏକ ସ୍ୱତନ୍ତ୍ର ରାଉଣ୍ଡଟେବୁଲ୍ ବୈଠକରେ ଯୋଗଦେଇଥିଲେ। ରାଜ୍ୟରେ ଆରମ୍ଭ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ। ରାଜ୍ୟରେ ଶିଳ୍ପ ଉନ୍ନତି ପାଇଁ ଓଡିଶା ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇବାକୁ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ସମସ୍ତ ଅନୁମୋଦନ ସମୟତା ମିଳିବ । ଏହି ସହିତ କୌଣସି ସମସ୍ୟା ହେଲେ ଶିଳ୍ପପତିମାନେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ସମ୍ପର୍କ କରି ସମାଧାନ ପାଇପାରିବେ ବୋଲି ଶିଳ୍ପପତିମାନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ ଆଜିର ଏହି ଭିତ୍ତିଭୂମି ଏବଂ ଉଦଘାଟନ କାର୍ଯ୍ୟକ୍ରମ ଏକ ସ୍ଥିର ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଶିଳ୍ପ ଇକୋସିଷ୍ଟମ ଗଠନ ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ ଯେ ୧୯ ମାସରେ ଓଡିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ସମସ୍ତ କାର୍ଯ୍ୟ , ଆମ ସରକାରଙ୍କ ଦୃଢ଼ ଶାସନ ଏବଂ ଶିଳ୍ପ ପାଇଁ ଓଡ଼ିଶାର ପ୍ରତିଷ୍ଠାକୁ ପ୍ରମାଣିତ କରୁଛି ।

ଏହି ଅବସରରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଆଦାନୀ ପୋର୍ଟସ୍ ଏଣ୍ଡ୍ SEZ ର ମ୍ୟାନେଜିଙ୍ଗ୍ ଡାଇରେକ୍ଟର କରନ୍ ଆଦାନୀ ଏବଂ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ।