ଭୁବନେଶ୍ଵର, ୨୫/୧୦ : ଆସୁଛି ବାତ୍ୟା... କେହି ଷ୍ଟେସନ ଛାଡ଼ି ଯାଅନି। ସମସ୍ତ ସହରାଞ୍ଚଳରେ ଜରୁରୀକାଳୀନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଛୁଟି ବାତିଲ। ସମ୍ଭାବ୍ୟ ବାତ୍ୟା ଏବଂ ପ୍ରବଳ ବୃଷ୍ଟିପାତ ମୁକାବିଲା ପାଇଁ ନଗର ଉନ୍ନୟନ ବିଭାଗର ପ୍ରସ୍ତୁତି। ସବୁ ସହରାଞ୍ଚଳଗୁଡିକରେ ଥିବା ୱାଟର ଲଗିଙ୍ଗ ଜାଗାକୁ ଚି଼ହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୱାଟର ସପ୍ଲାଏ ଏବଂ ଡିଜି ସେଟକୁ ପ୍ରସ୍ତୁତ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି। ଏହା ସହ ସହ ବାତ୍ୟା ଆଶ୍ରୟସ୍ଥଳୀ ଆଲର୍ଟ ରଖିବାକୁ, ରନ୍ଧା ଖାଦ୍ୟ ଓ ପିଇବା ପାଣି ମହଜୁଦ ରଖିବାକୁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। 

ସେପଟେ ବାତ୍ୟା ମୁକାବିଲା ପାଇଁ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା ବୈଠକ ଡାକିଛନ୍ତି। ବିଭାଗୀୟ ଅଧିକାରୀଙ୍କ ସହ ଭିସିରେ ଜିଲ୍ଲାପାଳମାନେ ଉପସ୍ଥିତ ଅଛନ୍ତି। 

ଏବେ ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ମୋନ୍‌ଥା’। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତ କ୍ଷେତ୍ର ସକ୍ରିୟ ରହିଛି। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବ। ଆଗକୁ ଘନୀଭୂତ ହୋଇ ୨୬ରେ ଗଭୀର ଅବପାତର (ଡିପ୍‌ ଡିପ୍ରେସନ) ରୂପ ନେବ । ୨୭ ସକାଳ ସୁଦ୍ଧା ଦକ୍ଷିଣ- ପଶ୍ଚିମ ଓ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ । ଏହା ପରେ ଅଧିକ ବଳ ଗୋଟାଇ ୨୮ ତାରିଖରେ ଭୀଷଣ ବାତ୍ୟାର ରୂପ ନେବ।​‌ ବର୍ତ୍ତମାନ ଅବପାତ ଗୋପାଳପୁର ଠାରୁ ୧୦୪୦ କିଲୋମିଟର ଦୂରରେ ରହିଛି । ବିଶାଖାପାଟଣାରୁ ୯୯୦ କିଲୋମିଟର ଦୂରରେ କେନ୍ଦ୍ରଭୂତ ରହିଛି। ଏହାର ତୀବ୍ରତା କେତେ ରହିବ? କେଉଁଠି ସ୍ଥଳଭାଗ ଅତିକ୍ରମ କରିବ? ତାହା ସ୍ପଷ୍ଟ ହୋଇନଥିଲେ ବି ୨୭ରେ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛି ଆଇଏମଡି ।୨୪ ଘଣ୍ଟାରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ୧୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି। କାଲିଠୁ ରାଜ୍ୟ​‌ରେ ବର୍ଷାର ପରିମାଣ ବଢିବ।