ନୂଆଦିଲ୍ଲୀ,୨୫/୦୫: ୨୪ ଘଣ୍ଟାରେ ସର୍ବାଧିକ ବୀମା ପଲିସି କରି ଗିନିଜ୍‌ ବିଶ୍ୱ ରେକର୍ଡସ୍‌ରେ ସ୍ଥାନ ହାସଲ କରିଛି ଏଲ୍‌ଆଇସି  ଇଣ୍ଡିଆ । ଗତ ଶନିବାର ଏଲ୍‌ଆଇସି ପକ୍ଷରୁ  ଏହା ସ୍ପଷ୍ଟ କରାଯାଇଛି । 

ଗତ ଜାନୁଆରୀ ୨୦  ତାରିଖରେ ଏଲ୍‌ଆଇସିର ଉତ୍ସର୍ଗୀକୃତ ଏଜେନ୍ସି  ନେଟ୍‌ୱର୍କର ଅଦ୍ୱିତୀୟ ପ୍ରଦର୍ଶନକୁ ଗିନିଜ୍‌ ପକ୍ଷରୁ  ଯାଞ୍ଚ୍‌ପୂର୍ବକ ମାନ୍ୟତା ପ୍ରଦାନ କରାଯାଇଛି । ଏହି ଦିନ  ଏଲ୍‌ଆଇସିର ମୋଟ୍‌ ୪,୫୨,୮୩୯ ଜଣ ଏଜେଣ୍ଟ୍‌  ସଫଳତାପୂର୍ବକ ସାରା ଦେଶରେ ୫,୫୫,୧୦୭  ଜୀବନ ବୀମା ପଲିସି ପୂରଣ କରିଥିଲେ ।  ଏହି ସ୍ମାରକୀ ପ୍ରୟାସ ୨୪ ଘଣ୍ଟା ମଧ୍ୟରେ ଜୀବନ  ବୀମା ଉଦ୍ୟୋଗରେ ଏଜେଣ୍ଟ୍‌ଙ୍କ ଉତ୍ପାଦକତାର ଏକ  ନୂଆ ବିଶ୍ୱସ୍ତରୀୟ ମାଇଲଖୁଣ୍ଟ ସ୍ଥାପନ କରିଛି । 

ଏଲ୍‌ଆଇସି ଇଣ୍ଡିଆ ଅନୁସାରେ, ଏଲ୍‌ଆଇସି  ଏଜେଣ୍ଟ୍‌ମାନଙ୍କର ସମର୍ପଣଭାବ, କୌଶଳ ଓ  ଅବିଶ୍ରାନ୍ତ କାର୍ଯ୍ୟ ପ୍ରତି ସଦାଚାରର ଏହା ଏକ ଶକ୍ତିଶାଳୀ ପ୍ରମାଣପତ୍ର । ଏହି ଉପଲବ୍ଧି ଗ୍ରାହକ  ଓ ସେମାନଙ୍କ ପରିବାରକୁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ  ସୁରକ୍ଷା ପ୍ରଦାନ ମିଶନ୍‌ କ୍ଷେତ୍ରରେ ନିଗମର ଗଭୀର ଅଙ୍ଗୀକାରବଦ୍ଧତାର ଉଦାହରଣ । ବିଶ୍ୱ  ରେକର୍ଡ ଲାଗି ଗତ ଜାନୁଆରୀ ୨୦ ତାରିଖ  ଏଲ୍‌ଆଇସିର ‘ମ୍ୟାଡ୍‌ ମିଲିଅନ୍‌ ଡେ’ରେ ଅତିକମ୍‌ରେ ଗୋଟିଏ ପଲିସି ପୂରଣ କରିବାକୁ  ଦେଶର ପ୍ରତ୍ୟେକ ଏଜେଣ୍ଟ୍‌ଙ୍କୁ ଏଲ୍‌ଆଇସି ଏମ୍‌ଡି  ଓ ସିଇଓ ସିଦ୍ଧାର୍ଥ ମହାନ୍ତି ଅପିଲ କରିଥିଲେ ।