ସମ୍ବଲପୁର,୧୪/୦୧: (ବିନୋଦ କୁମାର ବେହେରା): ମଣିଷ ଶିକାର କରିଥିବା ସନ୍ଦେହରେ କାବୁ କରିଥିଲା ବନ ବିଭାଗ । ନୂଆପଡ଼ା ଜଙ୍ଗଲରେ କୋକୁଆ ଭୟ ସୃଷ୍ଟି କରିଥିବା ଏହି ଅଣ୍ଡିରା କଲରାପତରିଆର ନୂଆ ଠିକଣା ପାଲଟିଥିଲା ସମ୍ବଲପୁର ଚିଡ଼ିଆଖାନାର ବନ୍ଦ ଖୁଆଡ଼ । ଜଙ୍ଗଲରୁ ଖୁଆଡ଼ରୁ ଆସିବା ପରେ ସାଥୀଟିଏ ମଧ୍ୟ ମିଳିଲା । ମିଳନ କରାଇ ବଂଶବୃଦ୍ଧି କରିବା ପାଇଁ ଚିଡ଼ିଆଖାନା କର୍ତ୍ତୃପକ୍ଷ ପ୍ରୟାସ ମଧ୍ୟ କରିଥିଲେ । ହେଲେ ସଂକ୍ରାମକ ରୋଗରେ ଆଖି ବୁଜିଲା ସାଥୀ ‘ରାଣୀ’ । ଏବେ ପ୍ରାୟ ଏକ ବର୍ଷରୁ ଅଧିକ ହେଲାଣି ଖୁଆଡ଼ରେ ନିସଃଙ୍ଗ ଜୀବନ କାଟୁଛି ସମ୍ବଲପୁର ଚିଡ଼ିଆଖାନାରେ ଥିବା ଏକମାତ୍ର ୮ ବର୍ଷୀୟ ଅଣ୍ଡିରା କଲରାପତରିଆ ‘ରାଜା’ ।
ରାଣୀର ମୃତ୍ୟୁ ପରେ ଏପର୍ଯ୍ୟନ୍ତ ଆଉ ଏକ ମାଈ କଲରାପତରିଆ ଆଣିବାରେ ଚିଡ଼ିଆଖାନା କର୍ତ୍ତୃପକ୍ଷ ସଫଳ ହୋଇନାହାନ୍ତି । ଫଳରେ ଏପରି ଦୀର୍ଘଦୀନର ନିସଙ୍ଗ ଜୀବନ ‘ରାଜା’ର ସ୍ୱାସ୍ଥ୍ୟଗତ ସନ୍ତୁଳନ ଉପରେ ମଧ୍ୟ ପ୍ରଭାବ ପକାଇବାର ଆଶଙ୍କା ସୃଷ୍ଟି ହୋଇଛି । ନୂଆପଡ଼ା ଜିଲ୍ଲାର ଜଙ୍ଗଲରେ ଦୁଇଜଣଙ୍କୁ ଆକ୍ରମଣ କରି ମାରିବା ପରେ ୨୦୨୩ ମସିହା ଡିସେମ୍ବରରେ ଏହି କଲରାପତରିଆକୁ ବନ ବିଭାଗ କାବୁ କରି ସମ୍ବଲପୁର ସ୍ଥାନାନ୍ତର କରିଥିଲା । ସେବେଠାରୁ ଏହି ୮ବର୍ଷୀୟ ପ୍ରାପ୍ତ ବୟସ୍କ ଅଣ୍ଡିଆ କଲରାପତରିଆଟି ସମ୍ବଲପୁର ଚିଡ଼ିଆଖାନାର ଖୁଆଡ଼ରେ ରହିଛି । ତେବେ ପୂର୍ବରୁ ଚିଡ଼ିଆଖାନାରେ ଥିବା ଏକମାତ୍ର ମାଈ କଲରାପତରିଆ ‘ରାଣୀ’କୁ ‘ରାଜା’ ସହ ମିଳନ ପାଇଁ ଗୋଟିଏ ଖୁଆଡ଼ରେ ରଖାଯାଇ ବଂଶବୃଦ୍ଧି କରିବାକୁ ଜୁ’ କର୍ତ୍ତୃପକ୍ଷ ପ୍ରୟାସ କରିଥିଲେ । ଉଭୟଙ୍କୁ ସିସିଟିଭି ନିରୀକ୍ଷଣ ମାଧ୍ୟମରେ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା । ରାଣୀ ସନ୍ତାନ ପ୍ରସବ କରିବ ବୋଲି ସମସ୍ତେ ଆଶା କରୁଥିଲେ । ହେଲେ ତାହା ବିଫଳ ହୋଇଥିଲା ।
୨୦୨୪ ମସିହା ଡିସେମ୍ବର ମାସରେ ରାଣୀ ସଂକ୍ରମିତ ରୋଗରେ ଆକ୍ରାନ୍ତ ହେଲା । ଦୀର୍ଘଦିନ ପ୍ରାଣୀ ବିଶେଷଜ୍ଞଙ୍କ ଚିକିତ୍ସା ସତ୍ତେ୍ୱ ମଧ୍ୟ ସେହିବର୍ଷ ଡିସେମ୍ବର ୫ ତାରିଖରେ ଏହି ୭ବର୍ଷୀୟା ମାଈ କଲରାପତରିଆର ମୃତ୍ୟୁ ହୋଇଥିଲା । ‘ରାଣୀ’ର ମୃତ୍ୟୁ ଚିଡ଼ିଆଖାନାରେ ଦର୍ଶକଙ୍କୁ ନିରାଶ କରିବା ସହ କଲରାପତରିଆ ବଂଶବୃଦ୍ଧି ମିଶନକୁ ମଧ୍ୟ ଅନିଶ୍ଚିତତା ମଧ୍ୟ ଠେଲି ଦେଇଥିଲା । ସେବେଠାରୁ ଏକମାତ୍ର ଅଣ୍ଡିରା କଲରାପତରିଆ ‘ରାଜା’ ଖୁଆଡ଼ରେ ନିସଙ୍ଗ ଜୀବନ କାଟୁଛି । ଅନ୍ୟ ଚିଡ଼ିଆଖାନାରୁ ଏକ ମାଈ କଲରାପତରିଆ ସମ୍ବଲପୁରକୁ ଆଣିବା ବର୍ତ୍ତମାନ ସୁଦ୍ଧା ସମ୍ଭବ ହୋଇନି । ଏସମ୍ପର୍କରେ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାସ କହିଛନ୍ତି, ୮ବର୍ଷୀୟ ‘ରାଜା’ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ।
ସାଥୀ ଅଭାବ ଓ ସଠିକ ସମୟରେ ମିଳନ ନକରିପାରିବା କାରଣରୁ ତା’ର ସେପରି କିଛି ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ପର୍କିତ ଲକ୍ଷଣ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିନି । ସେ ଖୁଆଡ଼ରେ ସମ୍ପୂର୍ଣ୍ଣ ସ୍ୱାଭାବିକ ବିଚରଣ କରୁଛି । ଚିଡ଼ିଆଖାନାକୁ ଆଉ ଏକ କଲରାପତରିଆ ଆଣିବା ଦିଗରେ ସରକାର ନିଷ୍ପତ୍ତି ନେବେ । ଉପଯୁକ୍ତ ସାଥୀଟିଏ ମିଳିଲେ, ସେମାନଙ୍କ ବଂଶବୃଦ୍ଧି କଥା ଚିନ୍ତା କରାଯାଇପାରେ । ନଚେତ୍ ସେମାନଙ୍କ ମଧ୍ୟରେ ଲଢେଇ ଓ ପରସ୍ପର ଆକ୍ରମଣ ଆଶଙ୍କା ମଧ୍ୟ ରହିଛି । ସମ୍ବଲପୁର ଚଡ଼ିଆଖାନାକୁ ବିକଶିତ କରାଯାଇ ରାଜ୍ୟର ଦ୍ୱିତୀୟ ନନ୍ଦନକାନନ କରିବାକୁ ପ୍ରୟାସ କରାଯାଉଛି । ମହାବଳ ବାଘ ଆଣିବାକୁ ସ୍ୱତନ୍ତ୍ର ଖୁଆଡ଼ କାମ ମଧ୍ୟ ଆରମ୍ଭ ହୋଇସାରିଛି । ହେଲେ ବର୍ତ୍ତମାନ ଚିଡିଆଖାନାରେ ‘ବିଗ୍ କ୍ୟାଟ୍’ ବର୍ଗରେ କେବଳ ଏକମାତ୍ର କଲରାପତରିଆ ‘ରାଜା’ ଦର୍ଶକଙ୍କ ଆକର୍ଷଣ ସାଜିଛି ।