ଢେଙ୍କାନାଳ, ୩/୯ : ଚଳିତବର୍ଷ ବନ୍ୟପ୍ରାଣୀ ହାତୀ, ବାର୍ହା ଓ ସାପ କାମୁଡି଼ବାରେ ଅନେକ ବ୍ୟକ୍ତିଙ୍କର ଅକାଳରେ ଜୀବନ ଯାଇଛି । ସେଥିମଧ୍ୟରୁ ଶତକଡ଼ା ୯୮ ଭାଗ ଲୋକ ଶୌଚ ହେବାକୁ ଯାଉଥିବା ବେଳେ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି । ସକାଳେ ଓ ସଂଧ୍ୟାରେ ବାହାରେ ଶୌଚ ହେବା ସେମାନଙ୍କ ପାଇଁ ବିପଦ ଡାକି ଆଣୁଛି । ଏଣେ ସ୍ୱଚ୍ଛତା ପାଇଁ ସଚେତନତା ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେବା ସହ ବାହ୍ୟ ମଳତ୍ୟାଗମୁକ୍ତ ଅଞ୍ଚଳ କରିବା ପାଇଁ ବ୍ୟକ୍ତିଗତ ପାଇଖାନା ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଉଛି । ଏତେସବୁ ପରେ ବି ଲୋକେ ପୂର୍ବ ପରି ବାହାରେ ଶୌଚ ହେବାକୁ ଯାଉଥିବାରୁ ଢେଙ୍କାନାଳ ଜିଲ୍ଲାରେ ଏଭଳି ଘଟଣା ଦିନକୁ ଦିନ ବଢି଼ବାରେ ଲାଗିଛି ।
୨୦୧୪ ମସିହାରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ସେହିବର୍ଷ ଅକ୍ଟୋବର ୨ ଗାନ୍ଧିଜୟନ୍ତୀରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ୫ ବର୍ଷ ମଧ୍ୟରେ ସମଗ୍ର ଭାରତକୁ ଖୋଲା ମଳତ୍ୟାଗମୁକ୍ତ ଭାରତ ଗଠନର ଲକ୍ଷ୍ୟ ନେଇ ବିପିଏଲ୍, ଏପିଏଲ୍ ସବୁ ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇଥିଲା । କେବଳ ଗ୍ରାମାଞ୍ଚଳ ନୁହେଁ ସହରାଞ୍ଚଳକୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇ ବାହ୍ୟ ମତତ୍ୟାଗ ମୁକ୍ତ ଅଞ୍ଚଳ ଉପରେ ଗୁରୁତ୍ୱାରୋପ କରାଯାଇଛି । ନାମୀଦାମୀ କଳାକାରମାନଙ୍କ ଦ୍ୱାରା ବିଜ୍ଞାପନ ମାଧ୍ୟମରେ ପ୍ରଚାର ପ୍ରସାର କରାଯାଉଛି । ବିଭିନ୍ନ ସଚେତନ ଧର୍ମୀ କାନ୍ଥଲେଖା ବିଭିନ୍ନ ସ୍ଥାନରେ ଶୋଭା ପାଉଛି । ଏସବୁ ସତ୍ତେ୍ୱ ଲୋକଙ୍କର ମାନସିକତାରେ ପରିବର୍ତ୍ତନ ଆସିପାରିନାହିଁ । ଲୋକେ ପୂର୍ବପରି ଶୌଚ ହେବାପାଇଁ ବିଲବାଡ଼ି ଓ ପଡ଼ିଆ ଉପରେ ନିର୍ଭର କରୁଛନ୍ତି । ଯାହା ବିପଦର କାରଣ ହେଉଛି । ଜିଲ୍ଲାରେ ୨୦୨୪- ୨୫ରେ ହାତୀ ଆକ୍ରମଣରେ ୧୦୫ ଜଣଙ୍କ ଜୀବନ ଯାଇଛି । ତନ୍ମଧ୍ୟରେ ଅଧିକାଂଶ ଶୌଚ ହେବାକୁ ଯାଉଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁମୁଖରେ ପଡି଼ଛନ୍ତି ।
ସେହିପରି ଢେଙ୍କାନାଳ ଜିଲ୍ଲାରେ ଯେତିକି ଲୋକ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ଶୌଚ ହେବାକୁ ଯାଇଥିବାବେଳେ ସାପ ଦଂଶନର ଶିକାର ହୋଇଛନ୍ତି । ଶୌଚ ହେବାପାଇଁ ଲୋକେ ବିଲ, ପୋଖରୀ, ଗାଡି଼ଆ, କେନାଲ ଏବଂ ନଦୀକୁ ଯାଉଛନ୍ତି । ସକାଳେ ଓ ସଂଧ୍ୟାରେ ହାତୀଙ୍କ ଚଳପ୍ରଚଳ ରହୁଥିବାରୁ ଏହି ସମୟରେ ଅଘଟଣ ଘଟୁଛି । ସେହିପରି ଶୌଚ ହେବାକୁ ଯାଉଥିବା ବ୍ୟକ୍ତିମାନେ ମଧ୍ୟ ଗୋଡ଼ ଖସିଯିବାରୁ ପାଣିରେ ବୁଡି଼ ପ୍ରାଣ ହରାଇଥିବା ଘଟଣା ସାମ୍ନାକୁ ଆସିଛି । ଅନେକ ମହିଳା ଓ ଯୁବତୀ ଶୌଚ ହେବାପାଇଁ ବାହାରକୁ ଯାଉଥିବାବେଳେ ବଳାତ୍କାର ଓ ଅସଦାଚରଣ ଶିକାର ହେଉଥିବା ଘଟଣା ମଧ୍ୟ ଘଟୁଛି । ସରକାର ସ୍ୱଚ୍ଛ ଭାରତ ମିଶନରେ ସଚେତନତା ପାଇଁ ଯେତେ ଅର୍ଥ ବ୍ୟୟ କରୁଥିଲେ ବି ତାର ପ୍ରଭାବ ଯେ ଲୋକଙ୍କ ମଧ୍ୟରେ ପଡୁନାହିଁ ତାହା ଏହିସବୁ ଘଟଣାର ସମୀକ୍ଷା କଲେ ସହଜରେ ବୁଝାପଡ଼େ । ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣରେ ଢେଙ୍କାନାଳ ଜିଲ୍ଲାରେ ପ୍ରାୟ ୩ ଲକ୍ଷ ପରିବାରକୁ ପାଇଖାନା ଯୋଗାଇ ଦିଆଯାଇଥିବା ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ ତଥ୍ୟ କହୁଥିବାବେଳେ ଏହିସବୁ ପାଇଖାନାର ଅଧାରୁ ଅଧିକ ଚିହ୍ନବର୍ଣ୍ଣ ନାହିଁ । ଫଳରେ ଗ୍ରାମାଞ୍ଚଳ ଲୋକମାନେ ତାଙ୍କର ଅଭ୍ୟାସରେ ପରିବର୍ତ୍ତନ ନଆଣି ପୂର୍ବପରି ବାହାରେ ଶୌଚାଦି କାମ କରୁଛନ୍ତି ।
ପାଇଖାନା ନିର୍ମାଣ ଅପେକ୍ଷା ପାଇଖାନା ବ୍ୟବହାର ଉପରେ ଗୁରୁତ୍ୱ ଦିଆଗଲେ ଏହି ଯୋଜନାର ଫାଇଦା ଲୋକଙ୍କ ପାଖରେ ପହଞ୍ଚିପାରନ୍ତା । ଫଳରେ ଅକାଳରେ ଯାଉଥିବା ଜୀବନ ରକ୍ଷା ହୋଇପାରିବ ବୋଲି ବୁଦ୍ଧିଜୀବିମାନେ ମତ ଦିଅନ୍ତି । ଏ ସମ୍ପର୍କରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ କୁମାର କର କହିଛନ୍ତି, ସକାଳ ୭ଟା ପୂର୍ବରୁ ଓ ସଂଧ୍ୟା ୬ଟା ପରେ ହାତୀ ଚଳପ୍ରଚଳ କରୁଥିବା ପୋଖରୀ, ବିଲବାଡ଼ି, ତୋଟା ଆଦିକୁ ନଯିବା ପାଇଁ ସଚେତନତା କରାଯାଉଛି । ଆମ କର୍ମଚାରୀମାନେ ମାଇକ୍ ଜରିଆରେ ଗାଁ ଗାଁ ବୁଲି ସଚେତନ କରିବା ସହ ସଭା ସମିତି ଆୟୋଜନ କରି ବାରମ୍ବାର ବୁଝାଉଛନ୍ତି । ମାତ୍ର ଲୋକେ ଅମାନିଆ । ଅଧିକାଂଶ ଲୋକେ ଭୋର୍ ଓ ସଂଧ୍ୟା ସମୟରେ ଶୌଚ ହେବାକୁ ଯାଇ ହାତୀ ସମେତ ବନ୍ୟଜନ୍ତୁ ଆକ୍ରମଣର ଶିକାର ହେଉଛନ୍ତି । ଲୋକେ ପ୍ରଥମେ ନିଜ ଆଡୁ ସଚେତନ ହେଲେ ଅଘଟଣକୁ ରୋକାଯାଇପାରିବ ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି ।