ଭବାନୀପାଟଣା,୨୧।୮: ବର୍ଷା ଋତୁରେ ବଜ୍ରପାତ ବିନାଶକାରୀ ବିପର୍ଯ୍ୟୟ । ବଜ୍ରାଘାତରେ ମୃତ୍ୟୁ ସଂଖ୍ୟା ଅନ୍ୟ ଅଘଟଣ ଠାରୁ ଅଧିକ । ବିଶେଷ କରି ବର୍ଷା କାଳରେ ଗ୍ରାମାଞ୍ଚଳରେ ଲୋକେ ଚାଷବାସ ପାଇଁ କ୍ଷେତରେ ଥିବା ବେଳେ କିମ୍ବା ଅନ୍ୟ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିବାବେଳେ ବର୍ଷା ପବନ ଏବଂ ବିଜୁଳି ମାରିଲେ ଗଛମୂଳେ ଆଶ୍ରୟ ନେଇଥାନ୍ତି । ତେବେ ଏହା ଲୋକଙ୍କ ପାଇଁ ପ୍ରାଣଘାତୀ ହୋଇଥାଏ । ବଜ୍ରାଘାତ ଯୋଗୁ ଅନେକ ସମୟରେ ମୃତ୍ୟୁ ହୋଇଥାଏ । ତେବେ ଦେଶରେ ସର୍ବାଧିକ ବଜ୍ରପାତ ମୃତ୍ୟୁ ସଂଖ୍ୟା ଓଡ଼ିଶାରେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ସେହିପରି ଓଡ଼ିଶାରେ ସାପ କାମୁଡ଼ା ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି । ବର୍ଷାଦିନ ଆସିଲେ ସାପକୁ ନେଇ ବିଶେଷକରି ଗ୍ରାମାଞ୍ଚଳରେ ଭୟ ବଢ଼ୁଛି । ଉନ୍ନତ ଚିକିତ୍ସା ବ୍ୟବସ୍ଥା ନ ଥିବାରୁ ସାପ କାମୁଡ଼ା ରୋଗୀଙ୍କ ଜୀବନ ବିପଦ ମୁହଁକୁ ଠେଲି ହୋଇଯାଉଛି ।
ନ୍ୟାଶନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ ରିପୋର୍ଟ ଅନୁଯାୟୀ, ସାପ କାମୁଡ଼ା ମୃତ୍ୟୁରେ ମଧ୍ୟ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି । ମୃତ୍ୟୁହାର ପ୍ରାୟ ୨.୨ ପ୍ରତିଶତ ବଢ଼ିଚାଲିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଢୁଥିବା ସାପ କାମୁଡା ଓ ବଜ୍ରାଘାତ ଜନିତ ମୃତ୍ୟୁ ନିବାରଣ ଦୃଷ୍ଟିରୁ ରାଜ୍ୟ ସରକାର ମୃତକ ପରିବାରକୁ ସହାୟତା ଦେଇ ଆସୁଥିବା ବେଳେ ଚଳିତ ବର୍ଷ ରାଜ୍ୟବ୍ୟାପୀ ବ୍ୟାପକ ସଚେତନତା ସୃଷ୍ଟି କରାଯିବାକୁ ଗୁରୁତ୍ୱାରୋପ କରିଛନ୍ତି ।
ବଜ୍ରାଘାତ ଓ ସାପ କାମୁଡାରୁ କିଭଳି ଲୋକଙ୍କୁ ସୁରକ୍ଷିତ ରଖାଯାଇପାରିବ ସେଥିପାଇଁ ତୃଣମୂଳ ସ୍ତରରେ ସଚେତନତା ପାଇଁ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନକୁ କୋଟି କୋଟି ଟଙ୍କା ଯୋଗାଇ ଦେଉଛନ୍ତି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲାକୁ ମଧ୍ୟ ବିପର୍ଯ୍ୟୟ ସହାୟତା ଏବଂ ସଚେତନତା ପାଇଁ ପାଣ୍ଠି ଦିଆଯାଇଛି । ଜିଲ୍ଲା ଜରୁରକାଳୀନ ବିଭାଗ ପକ୍ଷରୁ ବଜ୍ରାଘାତ ସଚେତନତା ପାଇଁ ମୋଟ୍ ୧୪ଲକ୍ଷ ୩୦ହଜାର ଟଙ୍କା ମିଳିଛି । ସେହିପରି ସାପ କାମୁଡା ସଚେତନତା ପାଇଁ ୮ଲକ୍ଷ ୩୭ହଜାର ୫୦୦ଟଙ୍କା ବିଭିନ୍ନ ବିଭାଗକୁ ଟଙ୍କା ପ୍ରଦାନ କରାଯାଇଛି । ବିଭାଗୀୟ ଚିଠି ଅନୁସାରେ, ଗତ ମେ’ ମାସ ୨୨ତାରିଖରେ ଏହି ଟଙ୍କା ସଚେତନତା କାର୍ଯ୍ୟରେ ନିୟୋଜିତ ବିଭାଗୀୟ ଅଧିକାରୀମାନଙ୍କୁ ଦିଆଯାଇଛି । ଚିଠି ମୁତାବକ ଜୁନ ୩୦ ତାରିଖ ସୁଦ୍ଧା କଳାହାଣ୍ଡି ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ କରିବା ସହ ଏହା ସହ ଜଡ଼ିତ ପ୍ରମାଣ ଓ ୟୁସି ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ସରକାରଙ୍କ ନିର୍ଦ୍ଦେଶ ପାଳନରେ ଘୋର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଦାୟିତ୍ଵରେ ଥିବା ଅଧିକାରୀମାନେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ଫୁ’ କରି ଉଡେଇ ଦେଇଛନ୍ତି।
ଜିଲ୍ଲାର କୌଣସି ବ୍ଲକରେ ବଜ୍ରାଘାତ ଓ ସାପ କାମୁଡା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ହୋଇନଥିବା ଅଭିଯୋଗ ହୋଇଛି । ସଚେତନତା ରଥ ଜିଲ୍ଲାରେ ବୁଲି ନାହିଁ । ପୋଷ୍ଟର ବ୍ୟାନର କୌଣସି ଗାଁରେ ଲାଗି ନାହିଁ। ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାରେ ମଧ୍ୟ ହୋଇନଥିବା ଅଭିଯୋଗ ହେଉଥିବା ବେଳେ ସମ୍ପୃକ୍ତ ଅଧିକାରୀମାନେ କେଉଁଠି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କଲେ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ସୂତ୍ରରୁ ମିଳିଥିଲା ଖବର ଅନୁଯାୟୀ, ଜିଲ୍ଲା ଜରୁରକାଳୀନ ବା ଇମରର୍ଜେନ୍ସି ବିଭାଗରୁ ବଜ୍ରାଘାତ ସଚେତନତା ପାଇଁ ଜିଲ୍ଲା ସଂସ୍କୃତି ବିଭାଗକୁ ବିଭିନ୍ନ ଗ୍ରାମରେ ଷ୍ଟ୍ରିଟ୍ ପ୍ଲେ ଓ ନୃତ୍ୟ ସଂଗୀତ ମାଧ୍ୟମରେ ୧୦୦ଟି କାର୍ଯ୍ୟକ୍ରମ ପାଇଁ ୩ଲକ୍ଷ ଟଙ୍କା ଓ ସାପ କାମୁଡା ସଚେତନତା ପାଇଁ ଜିଲ୍ଲା କଳା ସଂସ୍କୃତି ସଂଘ ନାମରେ ୩ ଲକ୍ଷ ଟଙ୍କା ଆଦି ମୋଟ୍ ୬ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେହିପରି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ବଜ୍ରପାତ ସଚେତନତା ପାଇଁ ୧୦୦ଟି ୱାଲ୍ ପେଣ୍ଟିଂ ବାବଦକୁ ୩ଲକ୍ଷ ଓ ସଚେତନତା ରଥ ପାଇଁ ୨ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ କରାଯାଇଛି । ସେହିପରି ସାପ କାମୁଡ଼ା ସଚେତନତା ପାଇଁ ଏହି ବିଭାଗକୁ ୧ଲକ୍ଷ ୮୭ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଛି । ଉଭୟ ବଜ୍ରାଘାତ ଓ ସାପ କାମୁଡା ସଚେତନତା ପାଇଁ ଜିଲ୍ଲା ଶିକ୍ଷା ବିଭାଗକୁ ମୋଟ୍ ୪ଲକ୍ଷ ଟଙ୍କା, ଜିଲ୍ଲା ସମାଜ ମଙ୍ଗଳ ବିଭାଗକୁ ୩ଲକ୍ଷ ୭୫ହଜାର, ଜିଲ୍ଲା କୃଷି ବିଭାଗକୁ ମୋଟ୍ ୮୦ହଜାର ଓ ସାପ କାମୁଡା ସଚେତନତା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ୭୫ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ତେବେ କୌଣସି ବିଭାଗ ବଜ୍ରାଘାତ ଓ ସାପ କାମୁଡା ଦିଗରେ ସଚେତନତା ସୃଷ୍ଟି ପାଇଁ ଆଗ୍ରହ ନଦେଖାଇବା ପରିତାପର ବିଷୟ ।
ଅପରପକ୍ଷେ ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ ନ କରି ସହାୟତା ରାଶି ବାଣ୍ଟିବାକୁ ସହଜରେ ଗ୍ରହଣ କରି ପାରୁନଥିଲେ ପରିବେଶବିତ୍। ବର୍ତ୍ତମାନ ରାଜ୍ୟସରକାର ସଚେତନତାକୁ ମଧ୍ୟ ପ୍ରାଧାନ୍ୟ ଦେଇ ଜିଲ୍ଲା ସ୍ତରକୁ ଏବାବଦକୁ ଅର୍ଥ ମଧ୍ୟ ଦେଲେ। ସଚେତନତା ହିଁ ସାପ କାମୁଡ଼ା ଓ ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା କମାଇପାରିବ। ହେଲେ ଏ ଦିଗରେ କାମ କରିବାକୁ ଜିଲ୍ଲା ପ୍ରଶାସନ ଆଗ୍ରହ ଦେଖାଉନି। କଳାହାଣ୍ଡି ଭଳି କୃଷି ପ୍ରାଧାନ୍ୟ ଓ ଅନେକ ଦୁର୍ଗମ ଗ୍ରାମାଞ୍ଚଳ ଥିବା ଜିଲ୍ଲାରେ ନିୟମିତ ସଚେତନତା କାର୍ଯ୍ୟକ୍ରମ କରାଯାଇପାରିଲେ ମୃତ୍ୟୁସଂଖ୍ୟା ନିହାତି କମିବ ବୋଲି ଆଶା କରାଯାଉଛି।
ମାତ୍ର ଅଘଟଣକୁ କେମିତି ରୋକା ଯାଇ ପାରିବ କିମ୍ବା ମୃତ୍ୟୁସଂଖ୍ୟା କମ୍ କରିହେବ ସେ ଦିଗରେ କୌଣସି ଠୋସ୍ ପଦକ୍ଷେପ ନିଆଯାଉନି । କାଁ ଭାଁ କିଛି ସଚେତନତା କାର୍ଯ୍ୟକ୍ରମରେ ସୀମିତ ରହିଛି ସମୁଦାୟ ପ୍ରକ୍ରିୟା। ବଡ଼ କଥା ହେଲା, ଏହି ସଚେତନତା କାର୍ଯ୍ୟକ୍ରମ ତଳ ସ୍ତରରେ ପହଞ୍ଚି ପାରୁନି। ଲୋକେ ସାପ କାମୁଡ଼ିଲେ ଝଡ଼ାଫୁଙ୍କାକୁ ବିଶ୍ୱାସ କରି ଅଯଥା ବିଳମ୍ବ କରିଦେଇଥାନ୍ତି । ରୋଗୀ ସଙ୍କଟାପନ୍ନ ହେଲେ ଡାକ୍ତରଖାନା ନେଉଛନ୍ତି। ତେଣୁ ଆବଶ୍ୟକ ସଚେତନତା ସହ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ସାପ କାମୁଡ଼ା ରୋଗୀଙ୍କ ପାଇଁ ଉନ୍ନତ ଚିକିତ୍ସା ବ୍ୟବସ୍ଥା କରିବା ଜରୁରୀ। ସରକାରୀ ବିଜ୍ଞାପନ ଓ ସଭା ଗାଁ ଗହଳି ଲୋକଙ୍କ ପାଖରେ ପହଞ୍ଚୁ ନ ଥିବାରୁ ଏହାର ଉଦ୍ଦେଶ୍ୟ ପୂରଣ ହୋଇପାରୁନି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।