ଭୁବନେଶ୍ୱର,୦୭/୦୮: ‘ଆମେ ଠାକୁରଙ୍କ ଦୈନଦିନ ନୀତି ବନ୍ଦ ହେବାକୁ ଦେବା ନାହିଁ କି ଉପାସ ରଖିବା ନାହିଁ  ା ଯଦି ଆବଶ୍ୟକ ପଡୁଛି ତା' ହେଲେ ଏବେକାର ପର୍ବ ପର୍ବାଣୀକୁ ଅସ୍ଥାୟୀ ଭାବେ ବିବାଦ ସମାଧାନ ହେବା ପର୍ଯ୍ୟନ୍ତ  ପାଶୋରି ଦେବା । କିନ୍ତୁ ପ୍ରାଥମିକତା ଦେବା ଦିଅଁଙ୍କ ସେବା ପୂଜା’ । ବୁଧବାର ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହରେ ଶ୍ରୀଲିଙ୍ଗରାଜଙ୍କ ସେବାୟତ ପ୍ରତିନିଧିଙ୍କୁ ନେଇ ଜିଲ୍ଲାପାଳ  ଅମ୍ରୀତ ଋତୁରାଜ ଏକ ଜରୁରୀ ବୈଠକରେ ଏମିତି ମତପ୍ରକାଶ  କରିଛନ୍ତି । 

ମଙ୍ଗଳବାର ଶ୍ରୀଲିଙ୍ଗରାଜ ମନ୍ଦିର  କାର୍ଯ୍ୟନିର୍ବାହୀ ଅଧିକାରଙ୍କ ଅଧ୍ୟକ୍ଷତାରେ  ଶିବ ପବିତ୍ରାରୋପଣ ନୀତି ବାବଦରେ  ମନ୍ଦିର କାର୍ଯ୍ୟାଳୟରେ ଆଲୋଚନା  କରାଯାଇଥିଲା । କିନ୍ତୁ ବୈଠକରେ  କୌଣସି ନିଷ୍କର୍ଶ ନ ବାହାରିବାରୁ ବୁଧବାର ସନ୍ଧ୍ୟାଧୂପ ପରଠୁ ଦେଢ ଦିନ ମନ୍ଦିରରେ  ନୀତି ବନ୍ଦ ହେବାର ଥିଲା । କିନ୍ତୁ ଏହି  ଅଚଳ ପରିସ୍ଥିତିକୁ ଏଡାଇବା ଲାଗି  ଜିଲ୍ଲାପାଳ ଏକ ଜରୁରୀ ବୈଠକ ଡକାଇ  ଥିଲେ । ଏଥିରେ ଦେବୋତ୍ତର କମିସନର  ଲଲାଟେନ୍ଦୁ ଜେନା,ପୂଜାପଣ୍ଡା ନିଯୋଗ  ସଭାପତି ପ୍ରସନ୍ନ ପୂଜାପଣ୍ଡା,ସମ୍ପାଦକ  ସଚ୍ଚିକାନ୍ତ ପୂଜାପଣ୍ଡା,ବଡୁ ନିଯୋଗ  ସଭାପତି ଅଞ୍ଚଳ ବଡୁ,ସମ୍ପାଦକ  କମଳାକାନ୍ତ ବଡୁ,ବ୍ରାହ୍ମଣ ନିଯୋଗ  ସଭାପତି ନାରାୟଣ ମହାପାତ୍ର,ଏଡିଏମ  ତଥା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ମହାନ୍ତି,ସହକାରୀ  କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ  ଭାରୀମଲ ଓ ମନ୍ଦିର କାର୍ଯ୍ୟାଳୟ  କର୍ମଚାରୀ ମାନେ ଉପସ୍ଥିତ ରହି ପ୍ରାୟ  ୨ ଘଣ୍ଟା ମହାପ୍ରଭୁଙ୍କ ପବିତ୍ରା ରୋପଣ  ନୀତି ବାବଦରେ ଆଲୋଚନା କରିଥିଲେ ।  

ଶେଷରେ ପୂଜାପଣ୍ଡା ନିଯୋଗ ପ୍ରତିନିଧି  ମାନେ କହିଥିଲେ ଯେ, ଆସନ୍ତା ବର୍ଷ  ସୁଦ୍ଧା ଏହି ପର୍ବର ବିବାଦ ତୁଟାଇବେ ନଚେତ ଆମେ ନୀତିରେ ସହଯୋଗ  କରିବୁ ନାହିଁ । ଏଥିରେ ଜିଲ୍ଲାପାଳ ସହମତି ହୋଇଥିଲେ । ଏହା ବ୍ୟତିତ ସେ କହିଥିଲେ ଯେ, ବର୍ତ୍ତମାନ ଲଗାତାର କିଛି ବୈଠକ କରି ଠାକୁରଙ୍କ ପୂଜା  ନୀତିକୁ ନେଇ ଯାହା ବି ବିବାଦ ଅଛି  ସମାଧାନ କରିବାକୁ ପ୍ରୟାସ କରାଯିବ ।  

ପ୍ରକାଶ ଥାଉ କି ୨୦୨୦ ମସିହା ଶିବ  ପବିତ୍ରାରୋପଣ ତିଥିରେ ଶ୍ରୀଲିଙ୍ଗରାଜଙ୍କ  ଠାରେ ବଡୁ ଏବଂ ପୂଜାପଣ୍ଡା ନିଯୋଗ  ମଧ୍ୟରେ ସେବା ଅଧିକାର (କେଉଁ  ନିଯୋଗ କେତୋଟି ପଇତା ଲାଗି  କରିବ) ନେଇ ବିବାଦ ଉପୁଜି ଥିଲା ।  ବିବାଦ ସେହି ଦିନ ମନ୍ଦିର ପ୍ରଶାସନକୁ  ମଧ୍ୟ ସେବାୟତ ମାନେ ଅବଗତ  କରାଇଥିଲେ । କିନ୍ତୁ ସମାଧାନ ନ  ହୋଇପାରିବା କାରଣରୁ ସେଇ ବର୍ଷ  ଠାରୁ ଏହି ନୀତି ବନ୍ଦ ହୋଇଥିଲା । ଏବେ  ଉକ୍ତ ବିବାଦ ସହକାରୀ ଦେବୋତ୍ତରଙ୍କ  ନିକଟରେ ବିଚାରଧୀନ ଅଛି । ପ୍ରତି  ବର୍ଷ ତ୍ରୟୋଦଶୀ ସଂନ୍ଧ୍ୟାଧୂପ ବେଳେ  କିଛି ନିର୍ଦ୍ଦିଷ୍ଟ ପୂଜା ନୀତି ନ ହୋଇ  ପାରିବା କାରଣରୁ ଦେଢ ଦିନ ଠାକୁର  ଅପୂଜା ଓ ଉପାସରେ ରହୁଥିଲେ ।