ନୂଆଦିଲ୍ଲୀ ୨୫/୦୮: ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ଲଗାତର କିଛି ନା କିଛି ପୋଷ୍ଟ କରିଥାନ୍ତି । ଇନ୍‌ଷ୍ଟାଗ୍ରାମରେ ତାଙ୍କର ବେଶ୍‌ ଫଲୋଅର ବି ଅଛନ୍ତି । ହେଲେ ଏବେ ତାଙ୍କର ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଚର୍ଚ୍ଚାକୁ ଆସିଛି । ଲିଙ୍କ୍‌ଡଇନ୍‌ ତାଙ୍କ ଆକାଉଣ୍ଟକୁ ନକଲି ବୋଲି ଭାବିଥିବା ଏବଂ ସେ ଏହି ଆକାଉଣ୍ଟକୁ ବ୍ୟବହାର କରିପାରୁ ନ ଥିବା କଥା ଶ୍ରଦ୍ଧା ଏହି ପୋଷ୍ଟରେ କହିଥିଲେ । ଅର୍ଥାତ ଲିଙ୍କ୍‌ଡଇନ୍‌ ତାଙ୍କ ଆକାଉଣ୍ଟକୁ ବ୍ଲକ କରିଥିବା କଥା ଶ୍ରଦ୍ଧା ଜଣାଇଥିଲେ । ଏଥିସହ ତାଙ୍କ ସମସ୍ୟା ସୁଧାରିବାକୁ ସେ ପୋଷ୍ଟ ମାଧ୍ୟମରେ ଲିଙ୍କ୍‌ଡଇନ୍‌କୁ ଅପିଲ କରିଥିଲେ । ଶ୍ରଦ୍ଧାଙ୍କ ଆକାଉଣ୍ଟ ଭେରିଫାଏଡ ହୋଇଥିଲେ ବି ତାହା ନଜର ଆସୁ ନ ଥିବା ଏବଂ ତାହାକୁ ଲିଙ୍କ୍‌ଡଇନ୍‌ ଫେକ୍‌ ବୋଲି ଭାବୁଥିବା ସେ କହିଥିଲେ ।  

ଇନ୍‌ଷ୍ଟା ଷ୍ଟୋରୀରେ ସେ ଲିଙ୍କ୍‌ଡଇନ୍‌କୁ ଟ୍ୟାଗ୍‌ କରି ଲେଖିଛନ୍ତି, ‘ପ୍ରିୟ ଲିଙ୍କ୍‌ଡଇନ୍‌, ମୋତେ ବିଶ୍ୱାସ ହେଉନି ଯେ ମୋ ଆକାଉଣ୍ଟକୁ ଆଉ ବ୍ୟବହାର କରିପାରିବି କି ନା । କାରଣ ଲିଙ୍କ୍‌ଡଇନକୁ ଲାଗୁଛି ଯେ ଏହି ଆକାଉଣ୍ଟ ନକଲି । କେହି ମୋତେ ସାହାଯ୍ୟ କରିପାରିବେ କି? ଆକାଉଣ୍ଟ ପ୍ରସ୍ତୁତ ଅଛି ଏବଂ ତାହା ପ୍ରିମିୟମ ଓ ଭେରିଫାଏଡ ବି । କିନ୍ତୁ ଏହାକୁ କେହି ଦେଖିପାରୁନାହାନ୍ତି । ମୁଁ ମୋ ଏଣ୍ଟରପ୍ରିନ୍ୟୋର ଯାତ୍ରାକୁ ସେୟାର କରିବାକୁ ଚାହୁଁଛି । ଆକାଉଣ୍ଟ ବନାଇବା ଏକ ଯାତ୍ରା ବନିଗଲାଣି ।’

ତେବେ ଶ୍ରଦ୍ଧା କପୁର ଅଭିଯୋଗ କରିବାର ପ୍ରାୟ ଘଣ୍ଟାଏ ଭିତରେ ଲିଙ୍କ୍‌ଡଇନ ତାହାର ସମାଧାନ କରିଛି । ତାଙ୍କ ସମସ୍ୟା ଠିକ୍‌ ହୋଇଥିବା ନେଇ ଶ୍ରଦ୍ଧା ନିଜେ ଆଉ ଏକ ଇନ୍‌ଷ୍ଟା ଷ୍ଟୋରୀ ଜରିଆରେ ଜଣାଇଛନ୍ତି । ‘ତୁ ଝୁଠି ମେଁ ମକ୍କାର’ ଅଭିନେତ୍ରୀ ଶ୍ରଦ୍ଧା ୨୦୨୨ରେ ଲଞ୍ଚ୍‌ ହୋଇଥିବା ଡେମି-ଫାଇନ୍‌ ଜୁଏଲାରୀ ଲେବଲ୍‌, ପଲମୋନ୍‌ସର ସହପ୍ରତିଷ୍ଠାତା ଏବଂ ବ୍ରାଣ୍ଡ୍‌ ଆମ୍ବାସଡର ଭାବେ ବିଜ୍‌ନେସ ୱାର୍ଲ୍ଡରେ ପାଦ ରଖିଛନ୍ତି । ସାର୍କ ଟ୍ୟାଙ୍କ ଇଣ୍ଡିଆରେ ଆସିବା ପରେ ଏହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା । ଏହି ବ୍ରାଣ୍ଡ୍‌ ଶାର୍କ ନମିତା ଥାପର ଏବଂ ରିତେଶ ଅଗ୍ରୱାଲଙ୍କଠାରୁ ୧.୨୬ କୋଟିର ପାଣ୍ଠି ହାସଲ କରିଥିଲା ।