କଟକ, ୦୨/୧୦: ଏଥର ଦୁର୍ଗାପୂଜାରେ  ମଦମୁକ୍ତ ଭସାଣି ହେବ ବୋଲି କଟକ ସହରରେ ବଡ଼ ଜୋରଦାର ଢଙ୍ଗରେ ନାରା ଚାଲିଛି । ଏଥିଲାଗି ପ୍ରଶାସନ ଜୋର୍‌ ଦେଉଥିବା ବେଳେ ପୂଜା କମିଟିଗୁଡ଼ିକ ମଧ୍ୟ ଏନେଇ ଘୋଷଣା କରିଛନ୍ତି ।  ଗତବର୍ଷ ଏହି ନାରା ଚାଲିଥିଲେ ହେଁ ଏହାର ପ୍ରଭାବ ସେତେ ଦେଖିବାକୁ ମିଳିନଥିଲା । ତେଣୁ ଚଳିତ ବର୍ଷ ଏହି ମଦମୁକ୍ତ ଭସାଣି ନାରା କେତେ କାର୍ଯ୍ୟକାରୀ ହେବ ତାହାକୁ ନେଇ ଚର୍ଚ୍ଚା ହେଉଛି । ମଦମୁକ୍ତ କରିବାକୁ କୁହାଯାଉଥିଲେ ହେଁ ପୂଜା ସମୟରେ ଏବେ ସହରାଞ୍ଚଳରେ ମଦ କାରବାର ବଢ଼ିଛି । ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନଗୁଡ଼ିକର ରାଜ୍ୟ ପାନୀୟ ନିଗମ ଡିପୋରୁ ମଦ ଉଠାଇବା ପରିମାଣ ବଢ଼ିଛି ।  ପୂଜା ବଜାର ଓ ଭସାଣିରେ ମଦର ଚାହିଦା ବଢିଥିବାରୁ ବ୍ୟବସାୟୀମାନେ ଅଧିକ ମଦ ଉଠାଇଥିବା ଅବକାରୀ  ବିଭାଗ ସୂତ୍ରରୁ ସୂଚନା ମିଳିଛି ।    

କଟକର ମଦ ବ୍ୟବସାୟୀମାନେ ଗତ ଅଗଷ୍ଟରେ ୫ ଲକ୍ଷ ୩୨ ହଜାର ୩୮୬ ଲିଟର  ବିଦେଶୀ ମଦ ଉଠାଇଛନ୍ତି । ସେହିପରି ୬ ଲକ୍ଷ ୭୨  ହଜାର ୬୮୯ ଲିଟର ବିୟର ଓ ୨ ଲକ୍ଷ ୫୩ ହଜାର  ୮୬ ଲିଟର ଦେଶୀ ମଦ ଉଠିଛି । ଜୁଲାଇରେ ୫ଲକ୍ଷ  ୩୨ ହଜାର ଲିଟରରୁ ଅଧିକ ବିଦେଶୀ ମଦ, ୬ ଲକ୍ଷ  ୭୯ ହଜାର ୭୯୨ ଲିଟର ବିୟର ଓ ୨ ଲକ୍ଷ ୬୫  ହଜାର ୯୨ ଲିଟର ଦେଶୀ ମଦ ଉଠିଥିବା ସୂଚନା  ମିଳିଛି । ଅଗଷ୍ଟ ମାସ ଅପେକ୍ଷା ସେପ୍ଟେମ୍ବରରେ  ଡିପୋରୁ ମଦ ଉଠାଣ ପରିମାଣ ବଢ଼ିଛି । ବିଦେଶୀ ମଦଠାରୁ ଆରମ୍ଭ କରି ବିୟର ଓ ଦେଶୀ ମଦ  ଉଠାଣ ବି ବଢ଼ିଛି ।

ମଦର ଚାହିଦା ବଢ଼ିଥିବାରୁ  ଉଠାଣ ବଢ଼ିଛି । ସବୁଠାରୁ ବଡ଼ କଥା ହେଉଛି,  ଦଶହରାରେ ଦଶମୀ ଓ ଭସାଣି ଦିନ ଅର୍ଥାତ୍‌  ଆସନ୍ତା ୨ ଓ ୩ ତାରିଖ ମଦ ଦୋକାନ ବନ୍ଦ ରହିବ। ସହରରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ  ନିୟନ୍ତ୍ରଣରେ ରଖିବା ପାଇଁ ପ୍ରତିବର୍ଷ ପରି ଏଥର  ମଧ୍ୟ ଜିଲ୍ଲା ଅବକାରୀ ବିଭାଗ ମଦ ଦୋକାନଗୁଡ଼ିକ  ନବମୀ ରାତି ୧୧ଟା ପରେ ସିଲ୍‌ କରିଛନ୍ତି । ରାତି ୧୧ଟା ପରେ ଅବକାରୀ  ବିଭାଗ କର୍ମଚାରୀ ସହରାଞ୍ଚଳରେ ଥିବା ୫୭ ଟି  ଠିପି ବନ୍ଦ ମଦ ଦୋକାନ (ଅଫ ସପ୍‌) ଓ ୪୦  ଟି ଠିପି ଖୋଲା ମଦ ଦୋକାନ(ବାର୍‌ ବା ଅନ  ସପ୍‌) ଜଉ ମୁଦ ଦେଇ ସିଲ୍‌ କରିଛନ୍ତି ।

ତେବେ  ତା ପୂର୍ବରୁ ମଦ ଦୋକାନରୁ ବୁଧବାର ମଦ ବୁହା  ହୋଇଥିଲା । ଅନେକ ମଦ ଦୋକାନ ଥାକ ଖାଲି  ହୋଇଯାଇଥିଲା । ଅନ୍ୟପକ୍ଷରେ ପୂର୍ବରୁ ଯାହା ଯେମିତି ଚାଲିଥିଲା ଦୁଇ ଦିନ ହେଲାଣି ମଦ କାରବାର  ଜୋରଦାର ବଢ଼ିଥିବା ଜଣେ ଅବକାରୀ ଅଧିକାରୀ  କହିଛନ୍ତି । ସହରରେ ମଦ କାରବାର ବଢ଼ିଥିବାରୁ ସହରାଞ୍ଚଳରେ ମଦମୁକ୍ତ ଭସାଣି ନାରା ବାସ୍ତବରେ  କେତେ କାର୍ଯ୍ୟକାରୀ ହେବ ତାହା ସନ୍ଦେହରେ ।