ନୂ୍ଆଦିଲ୍ଲୀ,୦୮/୧୧: ୨୦୧୯ରୁ ବନ୍ଦ ପଡ଼ିଥିବା ବିମାନ କମ୍ପାନି ଜେଟ୍ ଏୟାର୍ୱେଜ୍ର ଯାତ୍ରା ଶେଷ ହୋଇଛି। ଏହାର ଆଉ ପୁନଃ ଚଳାଚଳ ଆଉ ହେବନାହିଁ । କାରଣ ସୁପ୍ରିମ୍ କୋର୍ଟ ଏହି ଘରୋଇ କମ୍ପାନିକୁ ଲିକ୍ୱିଡେଟ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ୍ କମ୍ପାନିର ସମସ୍ତ ସମ୍ପତ୍ତିକୁ ଏବେ ବିକ୍ରି କରାଯିବ ଏବଂ ଏଥିରୁ ଯେଉଁ ଅର୍ଥ ସଂଗ୍ରହ ହେବ ତାହାକୁ ଏହାର ଋଣପ୍ରଦାନକାରୀମାନଙ୍କୁ ପରିଶୋଧ କରାଯିବ। ଗୁରୁବାର ସର୍ବୋଚ୍ଚ ବ୍ୟାଙ୍କ ଜାତୀୟ କମ୍ପାନି ଆଇନ ଆପିଲେଟ୍ ଟ୍ରିବ୍ୟୁନାଲ(ଏନ୍ସିଏଲ୍ଏଟି) ର ଏକ ନିଷ୍ପତ୍ତିକୁ ବଦଳାଇ ଉପରୋକ୍ତ ରାୟ ଦେଇଛନ୍ତି ।
ଲିକ୍ୱିଡେଶନ୍ର ଅର୍ଥ ହେଉଛି କୌଣସି କମ୍ପାନିର ପରିସମ୍ପତ୍ତିଗୁଡ଼ିକୁ ଜବତ କରି ଏଥିରୁ ମିଳିବାକୁ ଥିବା ଅର୍ଥକୁ ବ୍ୟବହାର କରି କମ୍ପାନିର ଋଣ ଏବଂ ଅନ୍ୟାନ୍ୟ ବକେୟାଗୁଡ଼ିକୁ ପରିଶୋଧ କରିବା । ବର୍ତ୍ତମାନ ଏ ନିଷ୍ପତ୍ତି ଯୋଗୁ କମ୍ପାନିର ପ୍ରାୟ ୧.୪୩ ଲକ୍ଷ ରିଟେଲ ନିବେଶକ ଆଶଙ୍କା ମଧ୍ୟରେ । ୨୦୨୪ ମାର୍ଚ୍ଚରେ ଏନ୍ସିଏଲ୍ଏଟି ନିଜ ଆଦେଶରେ ନଗଦ ସଂକଟରେ ଫସିଥିବା ଜେଟ୍ ଏୟାର୍ୱେଜ୍ର ମାଲିକାନାକୁ ଜାଲାନ-କାଲରକ୍ କନ୍ସୋର୍ଟିୟମ୍(ଜେକେସି)କୁ ଟ୍ରାନ୍ସଫର କରିବାର ଅନୁମତି ପ୍ରଦାନ କରିଥିଲା । ୯୦ ଦିନ ମଧ୍ୟରେ ଏୟାର୍ଲାଇନ୍କୁ ଏହାକୁ ଟ୍ରାନ୍ସଫର କରିବାର ଥିଲା । ଏନ୍ସିଏଲ୍ଏଟିର ଏହି ରାୟକୁ ସୁପ୍ରିମ୍କୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍ବିଆଇ) ନେତୃତ୍ୱାଧୀନ କନ୍ସୋର୍ଟିୟମ୍ । ଶୁଣାଣି ପରେ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍ ଜେବି ପାରଦିୱାଲା ଓ ଜଷ୍ଟିସ୍ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଜ ଅକ୍ଟୋବର ୧୬ ରାୟକୁ ସୁରକ୍ଷିତ ରଖିଛନ୍ତି ।
ସୂଚନାଯୋଗ୍ୟ, ବର୍ଦ୍ଧିତ ଆର୍ଥିକ ସମସ୍ୟାଗୁଡ଼ିକ ମଧ୍ୟରେ ୨୦୧୯ ଏପ୍ରିଲ ୧୭ ରେ ଜେଟ୍ ଏୟାର୍ୱେଜ୍କୁ ବନ୍ଦ କରିଦିଆଯାଇଥିଲା । ଉକ୍ତ ସମୟରେ ଏୟାର୍ଲାଇନ୍ସ ଉପରେ ବ୍ୟାଙ୍କଗୁଡ଼ିକର ମୋଟ ୪,୭୮୩ କୋଟି ଟଙ୍କା ବକେୟା ରହିଥିଲା । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏୟାର୍ଲାଇନ୍ସକୁ ସର୍ବାଧିକ ଋଣ ପ୍ରଦାନ କରିଥିଲା । ଏୟାର୍ଲାଇନ୍ସ କ୍ଷତିକୁ ଗଲା ପରେ ବ୍ୟାଙ୍କ କନ୍ସୋର୍ଟିୟମ୍ ଏୟାର୍ଲାଇନ୍ସ ବିରୋଧରେ ଦେବାଳିଆ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ଏନ୍ସିଏଲ୍ଟି ମୁମ୍ବାଇ ନିକଟରେ କମ୍ପାନି ବିରୋଧରେ ଦେବାଳିଆ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ସମାଧାନ ଯୋଜନା ଅନ୍ତର୍ଗତ ଜେକେସିକୁ ମାଲିକାନାସତ୍ୱ ମିଳିବାର ଥିଲା । କିନ୍ତୁ ଏହା ବିରୋଧରେ ବ୍ୟାଙ୍କ କନ୍ସୋର୍ଟିୟମ୍ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ସୁପ୍ରିମ୍ କୋର୍ଟ ନିଜ ରାୟକୁ ନେଇ କହିଛନ୍ତି ଯେ, ଲିକ୍ୱିଡେସନ୍ ଏୟାର୍ଲାଇନ୍ସର ଋଣଦାତା ଏବଂ କର୍ମଚାରୀଙ୍କ ହିତ ଦିଗରେ ସହାୟକ ହେବ । କାରଣ ଜାଲାନ-କାଲ୍ରକ୍ କନ୍ସୋର୍ଟିୟମ୍ ମଞ୍ଜୁରିର ୫ ବର୍ଷ ପରେ ବି ସମାଧାନ ଯୋଜନାକୁ ଲାଗୁ କରାଯାଇନାହିଁ । ସୁପ୍ରିମ୍କୋର୍ଟ ଆଶ୍ଚର୍ଯ୍ୟଜନକ ଏବଂ ଚିନ୍ତାଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜେଟ୍ ଏୟାର୍ୱେଜ୍ର ଲିକ୍ୱିଡେଶନ୍ର ନିର୍ଦ୍ଦେଶ ଦେବା ପାଇଁ ସମ୍ବିଧାନର ଅନୁଚ୍ଛେଦ ୧୪୨ ଅଧୀନରେ ନିଜର ଅସାଧାରଣ ଶକ୍ତିଗୁଡ଼ିକର ବ୍ୟବହାର କରିଛନ୍ତି । ରିଜୋଲ୍ୟୁଶନ୍ ପ୍ଲାନ୍ ୫ ବର୍ଷ ପର୍ଯ୍ୟନ୍ତ ଲାଗୁ ନ ହେବା କାରଣରୁ କୋର୍ଟ ଏଭଳି ରାୟ ଦେଇଛନ୍ତି । କୋର୍ଟ ଏନ୍ସିଏଲ୍ଟିର ମୁମ୍ବାଇ ବେଞ୍ଚ୍କୁ ତୁରନ୍ତ ଏକ ଲିକ୍ୱିଡେଟର ନିଯୁକ୍ତ କରିବାର ନିର୍ଦ୍ଦେଶ ଦେଇଛନ୍ତି । ଜାଲାନ୍- କାଲରକ୍ କନ୍ସୋର୍ଟିୟମ୍ ପକ୍ଷରୁ ପରିଶୋଧ କରାଯାଇଥିବା ୨୦୦ କୋଟି ଟଙ୍କା ରାଶି ଜବତ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ୨୦୨୧ ଜୁନ୍ରେ ଏନ୍ସିଏଲ୍ଟିର ବ୍ୟାଙ୍କରେପ୍ସି ରିଜୋଲ୍ୟୁସନ ପ୍ରକ୍ରିୟା ଅଧୀନରେ ଜାଲାନ୍-କାଲ୍ରକ୍ କନ୍ସୋର୍ଟିୟମ୍ ଜେଟ୍ ଏୟାର୍ୱେଜ୍କୁ କିଣିବା ପାଇଁ ବିଡ୍ ଡାକିଥିଲା । ଏହା ପରଠାରୁ ହିଁ ଜେକେସି ଏବଂ ଋଣ ପ୍ରଦାନକାରୀଙ୍କ ମଧ୍ୟରେ ମାଲିକାନା ହସ୍ତାନ୍ତରକୁ ନେଇ ବିବାଦ ଚାଲିଥିଲା । ଜେକେସି ଦାବି କରିଥିଲା ଯେ, ଋଣ ପ୍ରଦାନକାରୀମାନେ ଏୟାର୍ଲାଇନ୍ସର ଟ୍ରାନ୍ସଫର ପ୍ରକ୍ରିୟା ଆରମ୍ଭ କରୁନାହାନ୍ତି । ଅନ୍ୟପକ୍ଷରେ, ଋଣପ୍ରଦାନକାରୀମାନେ ଯୁକ୍ତି ବାଢ଼ିଥିଲେ ଯେ, ଜେକେସି ଏଯାଏ କୌଣସି ପାଣ୍ଠି ଇନ୍ଫ୍ୟୁଜ୍ କରିନାହିଁ ।
ସମାଧାନ ଯୋଜନା ଅନ୍ତର୍ଗତ ଜାଲାନ- କାଲ୍ରକ୍ କନ୍ସୋର୍ଟିୟମ୍କୁ ୪୭୮୩ କୋଟି ଟଙ୍କା ପରିଶୋଧ କରିବାର ଥିଲା । ସହମତି ଅନୁସାରେ, ପରିଶୋଧର ପ୍ରଥମ କିସ୍ତିରେ ୩୫୦ କୋଟି ଟଙ୍କା ଇନ୍ଫ୍ୟୁଜ୍ କରିବାର ଥିଲା । କନ୍ସୋର୍ଟିୟମ୍ ଯୋଜନା ଅଧୀନରେ ୩୫୦ କୋଟି ଟଙ୍କା ମଧ୍ୟରୁ କେବଳ ୨୦୦ କୋଟି ଟଙ୍କା ଜମା କରିଥିଲା । ଋଣ ପ୍ରଦାନକାରୀମାନେ ଏହା ବି କହିଥିଲେ ଯେ, ଜେକେସି ଏୟାର୍ ଅପରେଟର୍ ସାର୍ଟିଫିକେଟ୍ ଏବଂ ଅନ୍ତରାଷ୍ଟ୍ରୀୟ ଅଧିକାର ହାସଲ କରିବା ସହିତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପୁରା କରିବାରେ ବିଫଳ ହୋଇଛି ।
ଜେଟ୍ ଏୟାର୍ୱେଜ୍ର ପୁନରୁଦ୍ଧାର କରିବାରେ ବିଳମ୍ବ ହେବା କାରଣରୁ ଏୟାର୍ଲାଇନ୍କୁ ନିଜ ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ ପ୍ରତିମାସ ୨୨ କୋଟି ଟଙ୍କାର କ୍ଷତି ସହିବାକୁ ପଡୁଥିଲା । ଏହାବ୍ୟତୀତ ଜେଟ୍ ଏୟାର୍ୱେଜ୍ ଉପରେ ୭,୫୦୦ କୋଟି ଟଙ୍କା ବକେୟା ରହିଛି, ଯାହାଦ୍ୱାରା ସ୍ଥିତି ଅଧିକ ଜଟିଳ ହୋଇଯାଇଥିଲା । ପ୍ରକାଶଯୋଗ୍ୟ, ୧୯୯୦ ଦଶକ ଆରମ୍ଭରେ ଟିକେଟିଂ ଏଜେଣ୍ଟରୁ ଉଦ୍ୟୋଗୀ ପାଲଟିଥିବା ନରେଶ ଗୋୟଲ ଜେଟ୍ ଏୟାର୍ୱେଜ୍ ଇଣ୍ଡିଆ ଲିମିଟେଡ୍ର ଆରମ୍ଭ କରି ଲୋକଙ୍କୁ ଏୟାର୍ ଇଣ୍ଡିଆର ବିକଳ୍ପ ଦେଇଥିଲେ । ଏକଦା ଜେଟ୍ ପାଖରେ ମୋଟ ୧୨୦ ପ୍ଲେନ୍ ଥିଲା ଏବଂ ଏହା ଅଗ୍ରଣୀ ବିମାନ କମ୍ପାନିଗୁଡ଼ିକ ମଧ୍ୟରେ ଅନ୍ୟତମ ରହିଥିଲା ।