ନିରାକାରପୁର, ୧୧/୬ : ପାଉଁରୁଟି... ହାଲୁକା ଖାଦ୍ୟ ଭାବେ ଏହା ବେଶ ଜଣାଶୁଣା । ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇଥାନ୍ତି। ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକୀୟ ଶ୍ୱେତସାର ଓ ଅନ୍ୟାନ୍ୟ ଉପାଦାନ ଏଥିରୁ ମିଳିଥାଏ । ହେଲେ ଏହି ପାଉଁରୁଟି ବର୍ତ୍ତମାନ ସୁରକ୍ଷିତ ନୁହେଁ। କାରଣ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଗଢି ଉଠିଥିବା ଏହି ପାଉରୁଟି କାରଖାନାରେ ପାଉଁରୁଟି ଉତ୍ପାଦନର ମାନ ପରୀକ୍ଷଣ ହେଉନାହିଁ । ସେହିପରି ପ୍ୟାକିଂରେ ପ୍ରସ୍ତୁତି ଓ ଶେଷ ତାରିଖ ଉଲ୍ଲେଖ ନ ଥିବାରୁ ଖାଦ୍ୟର ମାନ ଉପରେ ସର୍ବଦା ସନ୍ଦେହ ସୃଷ୍ଟି ହେଉଛି । ଖାଦ୍ୟର ମାନକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢଉ କରାଯାଉ ନ ଥିବାରୁ ବ୍ୟବସାୟ କରୁଥିବା ମାଲିକମାନେ ଖୁଲମଖୁଲା ସରକାରୀ ନିୟମକୁ ବେଖାତିର କରି ନିଜର ବ୍ୟବସାୟ ବଢାଇ ଚାଲୁଛନ୍ତି । ଫଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।
ଅଭିଯୋଗ ମୁତାବକ, ସହର ଗ୍ରାମାଞ୍ଚଳରେ ବେକରି ଫ୍ୟାକ୍ଟ୍ରି ଉପରେ ସରକାରୀ ନଜର ନାହିଁ। ବାସି ସାମଗ୍ରୀ ବିକ୍ରି ସହ ଫ୍ୟାକ୍ଟ୍ରିରେ ଏ ନେଇ ସାବଧାନତା ଗ୍ରହଣ କରାଯାଉନାହିଁ । ଅପମିଶ୍ରିତ ଅଟା, ମଇଦା ଓ ଦୂଷିତ ପାଣି ପ୍ରତି ସତର୍କତା ରଖାଯାଉ ନାହିଁ। ଖାଦ୍ୟ ସାମଗ୍ରୀ ନିରାପତ୍ତା ନେଇ ଆଇନ ଓ ତଦାରଖ ପାଇଁ କର୍ମଚାରୀ ନିଯୁକ୍ତ ଥିଲେ ମଧ୍ୟ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହୋଇଛି । ସେହିପରି ଫ୍ୟାକ୍ଟ୍ରି ମାଲିକମାନେ ନିଜର ବ୍ୟବସାୟୀମାନଙ୍କୁ ଭଲ କମିଶନ ଦେଇ ଗାଁ ଗହଳିରେ କାୟାବିସ୍ତାର କରି ବ୍ୟବସାୟ ଚଲାଉଛନ୍ତି । ବର୍ଷକୁ ଥରେ ଖାଦ୍ୟ ନିରାପତ୍ତା ନେଇ ଫ୍ୟାକ୍ଟ୍ରି ମାଲିକଙ୍କୁ ସାର୍ଟିଫିକେଟ ଦେବା ପରେ ଜିଲ୍ଲା ପ୍ରଶାସନ ଚୁପ୍ ବସି ରହୁଛି । ଫ୍ୟାକ୍ଟ୍ରି ମାଲିକମାନେ ପ୍ରସ୍ତୁତ କରୁଥିବା ଖାଦ୍ୟର ମାନକୁ ଆଖିରେ ଦେଖିଲେ ତାହା ଖାଇବା ତ ଦୂରର କଥା ତାକୁ ଛୁଇଁବାକୁ ଇଚ୍ଛା ପ୍ରକାଶ କରିବେ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । ଅପମିଶ୍ରିତ ଖାଦ୍ୟ ପଦାର୍ଥ ଦୂଷିତ ପାଣିରେ ଖାଦ୍ୟ ପ୍ରସ୍ତୁତ କରି ଫ୍ୟାକ୍ଟ୍ରି ମାଲିକମାନେ ଲୋକଙ୍କ ଜୀବନ ସହିତ ଖେଳୁଥିବା ଦେଖିବାକୁ ମିଳୁଛି।
୨୦୦୬ ମସିହାରେ ଖାଦ୍ୟ ନିରାପତ୍ତା ଓ ଗୁଣବତ୍ତା ଆଇନ ଅନୁଯାୟୀ ଦି ଫୁଡ ସେଫ୍ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ(ଏଫ୍ଏସ୍ଏସ୍ଆଇ) ପ୍ରତିଷ୍ଠା ହୋଇଛି । ଖାଦ୍ୟ ପ୍ରସ୍ତୁତି ସଂରକ୍ଷଣ ବିକ୍ରି ଆଦିକୁ ଏହା ମାଧ୍ୟମରେ ନିରୀକ୍ଷଣ କରାଯାଉଛି । ଖାଦ୍ୟ ଉତ୍ତମମାନ ଓ ଗୁଣବତ୍ତା ରକ୍ଷା ପାଇଁ ବହୁ ନିୟମ ରହିଛି । ସ୍ଥାନୀୟ ଅଞ୍ଚଳର କେତେକ ଫ୍ୟାକ୍ଟ୍ରି ମାଲିକ ଏହାକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି । ପ୍ୟାକିଂ ଖାଦ୍ୟ ସାମଗ୍ରୀରେ ଅନ୍ୟୁନ ତିଆରି ଓ ଶେଷ ତାରିଖ ରହିବା କଥା ଯାହାଦ୍ୱାରା ଖାଦ୍ୟର ମାନ ସମୟ ନିର୍ଦ୍ଧାରିତ ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।