ସମ୍ବଲପୁର, ୨୨।୫ : ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ସୁନାପାଲି ରାଜାନଗର ଅଞ୍ଚଳରେ ଅଭାବନୀୟ ଘଟଣା। ଚୋରକୁ ପିଟିପିଟି ମାରିଦେଲେ ସ୍ଥାନୀୟ ଲୋକେ। ମୃତକ ଜଣଙ୍କ ହେଲେ ପଶ୍ଚିମବଙ୍ଗର ଆଲମ୍ ଗିରି ବେଙ୍ଗଲି (୨୫ ବର୍ଷ)। ସେ ମୋତିଝରଣରେ ରହି ଏକ ହୋଟଲରେ କାମ କରୁଥିଲେ।
ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ଆଲମ୍ ଗିରି ସୁନାପାଲି ରାଜା ନଗର ଅଞ୍ଚଳର ଏମଡି ସଇଦଙ୍କ ସହ ୨ଟି ଘରେ ଚୋରି କରିବାକୁ ପଶିଥିଲା। ହେଲେ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲା। କିଛି ଲୋକ ତାଙ୍କୁ କାବୁ କରି ମାଡ଼ ମାରିଥିଲେ। ସେଠାରେ ଅଭିଯୁକ୍ତ ଜଣକ ଚୋରି କରିଥିବା ନେଇ ସ୍ବୀକାର କରିଥିଲା। ନିସ୍ତୁକ ମାଡ଼ ମାରିବାରୁ ଆଲମ୍ଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଣ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ତଦନ୍ତରୁ ମୃତକଙ୍କ ଦେହରେ କୌଣସି କ୍ଷତ ଚିହ୍ନ ନଥିବା ପୋଲିସ କହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ଏନେଇ ଥାନାରେ ଏକ ଚୋରି ଅଭିଯୋଗ ହୋଇଛି। ଖବର ଲେଖା ହେବା ସୁଦ୍ଧା ଅଭିଯୁକ୍ତଙ୍କ ମୃତ୍ୟୁ ନେଇ କୌଣସି ରିପୋର୍ଟ ଲେଖାଯାଇ ନାହିଁ।