ପାଟଣାଗଡ ୨୪/୧୨ ରାଜ୍ୟ ସରକାର କିଛି ଦିନ ତଳେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ସାଲେପାଲି ଗ୍ରାଫାଇଟ ମାଇନିଂ ବ୍ଲକକୁ ତାମିଲନାଡୁର ଭିନମୀର ରିସୋର୍ସ ପ୍ରାଇଭେଟ ଲିମିଟେଡ଼ କମ୍ପାନୀକୁ ନିଲାମ ଦେଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଅଞ୍ଚଳବାସୀ ତାତି ଉଠିଥିଲେ। ଗାଁ ଗାଁ ରେ ମେଳି ବାନ୍ଧିଥିଲେ । ଗତ ଜୁନ ୨୩ ତାରିଖରେ ଜନମ ମାଏଟ ବଚାଓ ସଂଘର୍ଷ ସମିତି ଆହ୍ୱାନରେ ପାଟଣାଗଡ଼ ଠାରେ ଏକ ଵିଶାଲ ରାଲି କରି ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଗତ ବିଧାନସଭା ଶୀତ ଅଧିବେଶନରେ ମଧ୍ୟ ସାଲେପାଲି ଗ୍ରାଫାଇଟ ମାଇନିଂ ବ୍ଲକ ଖଣି ଖନନ କଥା ଗୃହରେ ଆଲୋଚନା ହୋଇଥିଲା । ଖଣି ଖନନ ବିଷୟରେ ସ୍ଥାନୀୟ ପ୍ରଶାସନ ଏବଂ ରାଜନେତାଙ୍କୁ ସ୍ପଷ୍ଟୀକରଣ ମାଗିଲେ କେହି ସନ୍ତୋଷ ଜନକ ଉତ୍ତର ଦେଉ ନାହାନ୍ତି । ଖଣି ଖନନ ବିଷୟ ବିଭିନ୍ନ ଗଣମାଧ୍ୟମରେ ଓ ବିଧାନସଭାରେ ପ୍ରସାରଣ ହେଲାପରେ ମଧ୍ୟ ଜନସାଧାରଣଙ୍କୁ ଆଢୁଆଳରେ ରଖିଛନ୍ତି । ଦିନକୁ ଦିନ ଜନସାଧାରଣଙ୍କ ମନରେ ଭୟ ଏବଂ ଆତଙ୍କ ଖେଳି ଯାଉଛି । ଖଣି ଖନନ ହେଲେ ଅଞ୍ଚଳ ପୁରା ଦୂଷିତ ହେଇଯିବ, ଜଳବାୟୁ ପରିବର୍ତନ ହେଇଯିବ, ଜଳ ସ୍ଥର କମିବା ସହିତ ଜଳ ଜହର ହେଇଯିବ, ମଣିଷ ସମାଜ ଓ ଜୀବଜନ୍ତୁ ଉପରେ ଏହାର କୁପ୍ରଭାବ ପଡ଼ିବ, ମାନବ ସମାଜକୁ ବିଭିନ୍ନ ରୋଗ ଆକ୍ରାନ୍ତ କରିବ, ଚାଷୀ ଓ ଚାଷ ପ୍ରତି ମଧ୍ୟ କୁପ୍ରଭାବ ପଡ଼ିବ, ସାମାଜିକ କ୍ଷେତ୍ରରେ ପ୍ରଭାବ ପଡ଼ି ଭାଇଚାରା ନଷ୍ଟ ହେବ, ଏହାର କୁପ୍ରଭାବରେ ଲୋକେ ବାଧ୍ୟ ହୋଇ ଭିଟାମାଟି ହରେଇବେ, ଗାଁ ଗାଁ ମଧ୍ୟରେ ସୁସମ୍ପର୍କ ବିଲୋପ ପାଇଯିବ, ସଂସ୍କୃତି, ପରମ୍ପରା, ଯାନିଯାତ୍ରା ଉପରେ ପ୍ରଭାବ ପଡ଼ିବ ବୋଲି ଜନସାଧାରଣ ଏହାକୁ ଦୃଢ଼ ବିରୋଧ କରୁଛନ୍ତି । ଯଦି ସରକାରର ଏ ଅଞ୍ଚଳ ପ୍ରତି ଆନ୍ତରିକତା ଅଛି ତାହେଲେ ସୁତା କଳକାରଖାନା ପ୍ରତିଷ୍ଠା, ବିଡ଼ି ତିଆରି କାରଖାନା, ଚିନି କଳ କାରଖାନା, ଆମ୍ବ ଜୁସ କାରଖାନା, ତରଭୁଜ ଜୁସ କାରଖାନା, ଟମାଟୋ ସସ କାରଖାନା, ବିଭିନ୍ନ ଲଘୁ ବନ୍ୟ ଜାତ କାରଖାନା ପ୍ରତିଷ୍ଠା କରନ୍ତୁ ବୋଲି ଜନସାଧାରଣରେ ପ୍ରଶ୍ନ ଉଠୁଛି । ଛୋଟ ଛୋଟ କଳ କାରଖାନା ପ୍ରତିଷ୍ଠା କଲେ ଏଠାରେ କିଛି ମାତ୍ରାରେ ଦାଦନ ସମସ୍ୟା, ବେକାରୀ ସମସ୍ୟା ଦୂର ହେଇପାରେ । ଜନସାଧାରଣଙ୍କୁ ଜଳାଞ୍ଜଳି ଦେଇ କେବଳ ସରକାର ପୁଞ୍ଜିପତି ମାନଙ୍କ ପାଇଁ କାମ କରୁଛନ୍ତି ବୋଲି ପ୍ରଶ୍ନ ଉଠୁଛି। ସାଲେପାଲି ଗ୍ରାଫାଇଟ ମାଇନିଂ ବ୍ଲକ ଖଣି ଖନନ ବିଷୟରେ ସ୍ଥାନୀୟ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ଏବଂ ବଲାଙ୍ଗୀର ଲୋକସଭା ସାଂସଦ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ସଭାରେ ଆହ୍ୱାନ ଦେଇଥିଲେ ସଂଗ୍ରାମୀ ମାନେ । ଆଜି ବଞ୍ଜାରୀ ଠାରେ ଜନମ ମାଏଟ ବଚାଓ ସଂଘର୍ଷ ସମିତି ଆହୁତ ଚିନ୍ତନ ବୈଠକରେ ପ୍ରକାଶ ସାହୁ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ପରିବେଶବିତ ନୋବେଲ ପରିବେଶ ବିଜେତା ପ୍ରଫୁଲ୍ଲ ସାମନ୍ତରାୟ, ଲୋୟର ଶୁକତେଲ ସଂଗ୍ରାମ ସମିତିର ସତ୍ୟ ବନଛୋର, ଜିନ୍ଦାବାଦ ସଂଗଠନର ତ୍ରିଲୋଚନ ପୁଞ୍ଜି, ବଥର୍ଲା ସରପଞ୍ଚ କବିତାଞ୍ଜଳୀ ସାହୁ, ରାଜୀବ ସାହୁ, ପ୍ରଶାନ୍ତ ପାଢ଼ୀ, ଗନ୍ଧର୍ବ ସୁନା, ଗଙ୍ଗାଧର ସାହୁ, ବଂଶୀଧର ମେହେର ପ୍ରମୁଖ ଉଦବୋଧନ ଦେଇଥିଲେ । ମଦନ ମାଝୀ, ସୁରେଶ ପୁଟେଲ,ପିଣ୍ଟୁ ବୁଡ଼େକ, ଗଜିନ ତାଣ୍ଡି, ଛବିଲାଲ ବାଗ, ବେଣୁଧର ହୋତା, ଟଙ୍କ ରାଓ, ଶିବ ରାଓ, ହରିବନ୍ଧୁ ବରିହା, ମଧୁ ବାଗ, ଗଣ୍ଡାରାମ ଭୁଏ ପ୍ରମୁଖ ସହଯୋଗ କରିଥିଲେ । ସଭାକୁ ଗିରିରାଜ ଭୋଇ ପରିଚାଳନା କରିଥିବା ବେଳେ ଯୁଧିଷ୍ଠିର ମିର୍ଦ୍ଧା ଧନ୍ୟବାଦ ଅର୍ପଣ କରିଥିଲେ।